ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଯବାନ ସହିଦ ହେବା ଘଟଣା: ଭୁବନେଶ୍ୱର ପହଞ୍ଚିଲା ସହିଦ ବ୍ରଜମୋହନଙ୍କ ମରଶରୀର

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସହିଦ ଯବାନଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶେଷ ସମ୍ମାନ ଜଣାଇଛନ୍ତି। ସହିଦ ଯବାନଙ୍କ ମରଶରୀରକୁ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ଥିବା ତାଙ୍କର ଜନ୍ମଗ୍ରାମକୁ ନିଆଯିବ।

ସୂଚନାଯୋଗ୍ୟ ଓଡ଼ିଆ ଯବାନ ବ୍ରଜମୋହନ ବେହେରା (୪୩) ଅନ୍ୟ ଯବାନମାନଙ୍କ ସହିତ କ୍ୟାମ୍ପକୁ ପହଞ୍ଚିବା ପୂର୍ବରୁ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଅସୁସ୍ଥ ଥିବା ୨ ଜଣ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ସାରି ସେମାନେ ଫେରୁଥିଲେ। ମାତ୍ର ୮୦୦ ମିଟର ପରେ ସେମାନେ ଶିବିରରେ ପହଞ୍ଚି ଥାନ୍ତେ। ଏହି ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଯାଇଥିଲେ। ସେହିପରି ବିସ୍ଫୋରଣରେ ଅନ୍ୟ ୨ ଜଣ ଯବାନ ଗୁରୁତର ଆହତ ହେବାରୁ ତାଙ୍କୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଡ. ଭୀମରାଓ ଆମ୍ବେଦକର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ନନ୍ଦୁଆ ଗାଁରେ ବି.ଏମ୍‌ ବେହେରା ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିଲେ।

ବିବାହିତ ଯବାନ ପରିବାର ସହିତ ଛତିଶଗଡ଼ରେ ରହୁଥିଲେ ଏବଂ ସେ ଦୀର୍ଘ ୪ ରୁ ୫ ବର୍ଷ ହେବ ନିଜର ଜନ୍ମମାଟିକୁ ଆସି ନଥିଲେ। ବ୍ରଜ କିଶୋର ସହିଦ ହେବା ପରେ ଆଜି ସନ୍ଧ୍ୟାରେ ତାଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆଖପାଖର ଗାଁର ଲୋକେ ବ୍ରଜକିଶୋରଙ୍କ ଗାଁକୁ ଧାଇଁଛନ୍ତି। ସେହିପରି ଯୁବଗୋଷ୍ଠୀଙ୍କ ମୁହଁ ମଳିନ ପଡ଼ିଯାଇଛି।

ସମ୍ବନ୍ଧିତ ଖବର