ବାସୁ-ବିଶୁନି ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି: ରାଜା ଶିବେନ୍ଦ୍ର

ସହିଦ ସ୍ମୃତିସ୍ତମ୍ଭକୁ ନେଇ ରାଜକନିକାରେ ବିବାଦ

ଭୁବନେଶ୍ୱର : ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଥିବା ସହିଦ ସ୍ମୃତିସ୍ତମ୍ଭ ପାଇଁ ସହିଦ ପୀଠରୁ ମାଟି ଉଠାକୁ ନେଇ ବିବାଦ ଦେଖାଦେଇଛି। ଟ୍ରଷ୍ଟ ପକ୍ଷରୁ ଯେଉଁ ସହିଦମାନଙ୍କ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି, ତହିଁରେ ବାସୁ-ବିଶୁନିଙ୍କ ନାଁ ସାମିଲ ହେବାକୁ ନେଇ ପ୍ରଶ୍ନ ଉଠିଛି। ଏହି ଦୁଇ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ଓ ସ୍ୱାଧୀନତା ସଂଗ୍ରାମରେ କୌଣସି ଅବଦାନ ନାହିଁ ବୋଲି ଦାବି କରିଛନ୍ତି ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ।

ଆଜି କନିକା ହାଉସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜା ଶିବେନ୍ଦ୍ର କହିଲେ, ୧୯୨୧/୨୨ ମସିହାରେ ବ୍ରିଟିସ୍‌ ଶାସନ ସମୟରେ ରାଜକନିକାରେ ଚାଷୀ ବିଦ୍ରୋହ ହୋଇଥିଲା। ସେ ସମୟର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଚାଷୀଙ୍କ ଉପରେ ମାତ୍ରାଧିକ ଟିକସ ଲଦି ଦେବାକୁ ନେଇ ବିଦ୍ରୋହ ହୋଇଥିଲା। ବିଦ୍ରୋହ ସମୟରେ ପୁଲିସ ଗୁଳିରେ ବାସୁ ସେଠୀ ଓ ବିଶୁନି ମଡ଼ୁଆଳ ପ୍ରାଣ ହରାଇଥିଲେ। ସ୍ୱାଧୀନତା ସଂଗ୍ରାମ ସହିତ ଦୁହିଁଙ୍କର କୌଣସି ସଂପର୍କ ନାହିଁ। ଏହି ସମୟରେ କେତେକ ରାଜନେତା ଏହାକୁ ସ୍ୱାଧୀନତା ସଂଗ୍ରାମ ସହିତ ଯୋଡ଼ିବାକୁ ଚେଷ୍ଟା କରିଥିଲେ, ମାତ୍ରା ତାହା ସଫଳ ହୋଇପାରି ନ ଥିଲା।

ଅପରପକ୍ଷେ ଦୁହିଁଙ୍କ ସ୍ୱାଧୀନତା ସଂଗ୍ରାମୀ ହେବା ନେଇ ସରକାରୀ ଭାବେ ଏହାର ପ୍ରମାଣ ନାହିଁ। ଏପରିକି ଓଡ଼ିଶା ରିଭ୍ୟୁରେ ଜନ୍ମେଜୟ ଚୌଧୁରୀଙ୍କ ଦ୍ୱାରା ଲିଖିତ ଆଫଟରମାଥ ଅଫ ଦି ନନ୍‌-କୋପରେସନ୍‌ ମୁଭମେଣ୍ଟ: ଦି କନିକା ଅପରାଇଜିଂରେ ମଧ୍ୟ ଏହି ଦୁଇ ବ୍ୟକ୍ତି ସହିଦ ହେବା ନେଇ କୌଣସି ଉଲ୍ଲେଖ ନାହିଁ। ଏହାସହ ଜଜମେଣ୍ଟ ଅନ୍‌ ସର୍କମଷ୍ଟାନେ୍‌ସ ଆରାଇଜିଂ ଫ୍ରମ୍‌ ଡିଷ୍ଟରବାନ୍ସେସ୍‌ ଇନ କନିକା ୧୯୨୨ ମସିହାରେ ବ୍ରିଟିସ ସରକାରଙ୍କ ରାୟରେ ଦୁହେଁ ସ୍ୱାଧୀନତା ସଂଗ୍ରାମୀ ବୋଲି କେଉଁଠାରେ କୁହାଯାଇ ନାହିଁ। ତେଣୁ କିଭଳି ଏକ ଟ୍ରଷ୍ଟ ଦୁହିଁଙ୍କୁ ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା ଦେଲା ବୋଲି ରାଜା ଶିବେନ୍ଦ୍ର ପ୍ରଶ୍ନ କରିଛନ୍ତି। ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ଏହି ଦୁହିଁଙ୍କୁ ଯୋଡ଼ିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଅପମାନ ହେବ। ଆସନ୍ତା ୯ ତାରିଖ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସ୍ମୃତିସ୍ତମ୍ଭକୁ ସ୍ଥାପନା କରାଯିବାକୁ ନିଷ୍ପତ୍ତି ହୋଇଛି। ସହିଦ ପୀଠରୁ ଏଥିପାଇଁ ମାଟି ଉଠାଇବାକୁ ନେଇ ରାଜକନିକା ଅଞ୍ଚଳରେ ମଧ୍ୟ ଅଶାନ୍ତି ଦେଖାଦେଇଛି। ତେଣୁ ରାଜ୍ୟ ସରକାର ଦୁହିଁଙ୍କ ସ୍ୱାଧୀନତା ସଂଗ୍ରାମୀ ନେଇ ଉପଯୁକ୍ତ ପ୍ରମାଣ ଦେବାର ଆବଶ୍ୟକତା ରହିଛି ବୋଲି ରାଜା ଶିବେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର