ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶ ସବୁବେଳେ ଋଣୀ: ରାଜ୍ୟପାଳ

ଉଦ୍‌ଘାଟିତ ହେଲା ଅମର ସହିଦ ସ୍ମୃତିସ୍ତମ୍ଭ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆଠାରେ ‘ଅମର ସହିଦ ସ୍ମୃତିସ୍ତମ୍ଭ’ ରବିବାର ଉଦ୍‌ଘାଟିତ ହୋଇଛି। ଭର୍ଚୁଆଲରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି। ଅପରପକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ମନ୍ତ୍ରୀ ପରିଷଦର ବହୁ ସଦସ୍ୟ ତଥା ଦଳମତ ନିର୍ବିଶେଷରେ ରାଜନେତାମାନେ ଉପସ୍ଥିତ ରହି ଅମର ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ‘୩୫ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ’ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ଓ ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ, ସ୍ବାଧୀନତା ସଂଗ୍ରାମୀମାନଙ୍କ ନିକଟରେ ଦେଶ ସବୁବେଳେ ଋଣୀ ହୋଇ ରହିବ। କିଛି ପାଇବା ପାଇଁ କିଛି ତ୍ୟାଗ ବି ଜରୁରି। ଆମ ସଂଗ୍ରାମୀମାନେ ମାନବିକତାର ରକ୍ଷା ଓ ସ୍ବାଧୀନତା ପାଇଁ ନିଜକୁ ତ୍ୟାଗ କରି ଦେଇଥିଲେ। ଅମର ସହିଦ ଓ ସଂଗ୍ରାମୀମାନଙ୍କ ତ୍ୟାଗ ତଥା ତିତିକ୍ଷାରୁ ଆମେ ସ୍ବାଧୀନତା ପାଇଥିଲେ। କିନ୍ତୁ ତାଙ୍କ ସଂଗ୍ରାମ ନିଜର ସ୍ବାଧୀନତା ନୁହେଁ, ମାନବିକତାର ସ୍ବାଧୀନତା ପାଇଁ ଥିଲା। ସେମାନେ ସାରା ବିଶ୍ବକୁ ‘‌ସର୍ବେ ଭବନ୍ତୁ ସୁଖୀନଃ’ର ଶିକ୍ଷା ଦେଇଯାଇଛନ୍ତି। ନିଜ ଜୀବନ, ପରିବାର ଓ ସବୁ କିଛିକୁ ତ୍ୟାଗ କରି ଇଂରେଜମାନଙ୍କର ଅକଥନୀୟ ଅତ୍ୟାଚାର ସହି ଆମ ସଂଗ୍ରାମୀମାନେ ଭାରତମାତା ଓ ଆମକୁ ସ୍ବାଧୀନତାର ଉପହାର ଦେଇଛନ୍ତି। ଏଣୁ ସେମାନେ ସର୍ବଦା ପୂଜ୍ୟ ହୋଇ ରହିବେ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏଥିସହ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ମାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରାରମ୍ଭିକ ଅଧିବେଶନ‌ରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କ ସଭାପତିତ୍ବ କରିଥିଲେ। ଅପରାହ୍‌ଣ ଅଧିବେଶନରେ ରାଜ୍ୟ ଯୁବ ସାମ୍ମୁଖ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାର ଅପରାହ୍‌ଣ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଦୁଇଟି ଅଧିବେଶନରେ ଅତିଥି ଭାବେ ମନ୍ତ୍ରୀ ସମୀର ଦାଶ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ଜୟଦେବ ଜେନା, ବିଜେପି ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଗଣେଶ୍ବର ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ସହିଦ ପୀଠରୁ ମାଟି ଆଣିଥିବା ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମହୋତ୍ସବର ସ୍ମୃତି ସ୍ମରଣିକା ଉନ୍ମୋଚନ ହୋଇଥିଲା। ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ଓ ବିରୂପାକ୍ଷ ତ୍ରିପାଠୀ ପରିଚାଳନା କରିଥିଲେ। ଅଭୟ ବଡ଼ଜେନା, ସନ୍ତୋଷ ପତି ଓ ଶ୍ୟାମପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଲୋକରଞ୍ଜନ ମହତାବ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଭୁବନେଶ୍ବର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ ଅଧିବେଶନକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର