ଭୁବନେଶ୍ୱର: ଓଡ଼ିଶାର ମରୁଡ଼ି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଅଧିକ ୫୦ ଦିନର କାମ ମିଳିବ। ପ୍ରତିବର୍ଷ ପରିବାର ପିଛା ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ମନରେଗାରେ ବ୍ୟବସ୍ଥା ରହିଛି। ମରୁଡ଼ି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷରେ ଧାର୍ଯ୍ୟ ୧୦୦ ଦିନର କାମ ସହିତ ସହିତ ଆଉ ଅଧିକ ୫୦ ଦିନର କାମ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ୧୫ଟି ଜିଲ୍ଲାର ୭୦ଟି ବ୍ଲକ୍ରେ ଥିବା ୧୦୯୭ ଗ୍ରାମ ପଞ୍ଚାୟତର ୫୯୮୫ଟି ଗାଁକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏହି ସବୁ ଅଞ୍ଚଳରେ ଲୋକମାନେ ୧୫୦ ଦିନର କାମ ପାଇବେ। ମରୁଡ଼ି ପ୍ରଭାବିତ ହୋଇଥିବା ୧୫ଟି ଜିଲ୍ଲା ହେଉଛି ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର। ମନରେଗା ପାଇଁ ଏବେ ପ୍ରଚଳନରେ ଥିବା ଏମ୍ଆଇଏସ୍ରେ ୧୦୦ ଦିନ କାମର ଡାଟା ସଂରକ୍ଷିତ ରଖିବାର ବ୍ୟବସ୍ଥା ରହିଛି। ଅଧିକ ୫୦ ଦିନର ଡାଟା ଯେଭଳି ରଖାଯାଇପାରିବ ସେଥିପାଇଁ ସପ୍ଟଓୟାରରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର କହିଛନ୍ତି। ଅତିରିକ୍ତ କାମ ପାଇଁ ଯେଉଁ ଖର୍ଚ ହେବ ତାହାର ତଥ୍ୟ ଅଲଗା ଭାବେ ସଂରକ୍ଷିତ ରଖିବାକୁ ମଧ୍ୟ କୁହାଯାଇଛି।ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମନରେଗାରେ ଅଧିକ ୫୦ ଦିନର କାମ ଯୋଗାଇ ଦେବା ନିମନ୍ତେ ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ ଚଳିତ ବର୍ଷ ଜାନୁଆରି ୯ ତାରିଖରେ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଯୁଗ୍ମ ସଚିବ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖି ଜଣାଇଛନ୍ତିି।
ମରୁଡ଼ି ପ୍ରଭାବିତ ଅଞ୍ଚଳରେ ମନରେଗାରେ ମିଳିବ ଅଧିକ ୫୦ ଦିନର କାମ
/sambad/media/post_attachments/wp-content/uploads/2018/02/big_389276_1446486207.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)