ସୀମା ସୁରକ୍ଷା ଚିନ୍ତା: ‘ପୋଲାଭରମରୁ କୋଟିଆ’ ପର୍ଯ୍ୟନ୍ତ ହେବ ମଶାଲ ଶୋଭାଯାତ୍ରା

ଜୟପୁର: ଓଡିଶା ସୀମାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା, ଛତିଶଗଡ ମାଡ଼ି ବସି ନିଜର ବୋଲି କହିବାକୁ ଯୋଜନା କରୁଛନ୍ତି। କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ଗ୍ରାମପୁଂଜକୁ ନିଜର କହିବାକୁ ପଛାଉ ନାହିଁ। ସେଭଳି ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ପାଇଁ ମାଲାକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହା ସାଙ୍ଗକୁ ତେଲେଙ୍ଗନା ଓ ଛତିଶଗଡ଼ ମଧ୍ୟ ଓଡିଶା ସୀମା, କୋରାପୁଟ, ମାଲାକାନଗିରି ଜିଲ୍ଲାରେ ଅନୁପ୍ରବେଶ ଜାରି ରଖିଛି। ଏହାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ଜନଜାଗରଣ କରାଯିବ ବୋଲି ଏକ ବୈଠକରେ ନିଷ୍ପତ୍ତି ହୋଇଛି।

ପୋଲାଭରମ ଠାରୁ କୋଟିଆ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା କରାଯିବାକୁ ଯାଦବ ଭବନ ଠାରେ ସମ୍ମିଳନୀ କୋରାପୁଟ ଶାଖା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଏଭଳି ନିଷ୍ପତି ନିଆଯାଇଥିଲା। ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସମ୍ପାଦକ ଭାବେ ନବ ନିର୍ବାଚିତ ବିରେନ ମୋହନ ପଟ୍ଟନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଭାପତି ମଦନମୋହନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ବିନୋଦ ମହାପାତ୍ର ଏବଂ ଡଃ. ସୁରେଶ ଦାସ ଯୋଗ ଦେଇଥିଲେ । ମଶାଲ ଶୋଭାଯାତ୍ରା ସଂପର୍କରେ କେନ୍ଦ୍ର ସମ୍ପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ରାଜ୍ୟ ବୈଠକରେ ତାରିଖ ନିର୍ଦ୍ଧାରଣ କରିବା ପରେ ଏହି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼।

ସମ୍ବନ୍ଧିତ ଖବର