ମସିହାଖାଲି ହତ୍ୟା ଘଟଣା : ଦୁଇ ନାବାଳକ ସମେତ ୬ ଅଟକ, ମିଳିଲା ଦୁଇଟି କାତି

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଦୁଇଜଣ ନାବାଳକଙ୍କ ସମେତ ୬ଜଣଙ୍କୁ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଦୁଇଟି କାତି ମଧ୍ୟ ପୁଲିସ ଜବତ କରି ସାରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ‌ଦିଗରେ ପୁଲିସ ତଦନ୍ତ କରୁଛି।

ଗତ ୩୧ତାରିଖ ବିଳମ୍ବିତ ରାତିରେ ଜିରୋ ନାଇଟ୍‌ରେ ମସିହାଖାଲି ଗ୍ରାମରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ମସିହାଖାଲି ବାଉରୀସାହିରେ ରହୁଥିବା କୈଳାସ ଦାସଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। କୈଳାସଙ୍କ ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଯେଉଁମାନେ ଏହି ହତ୍ୟାକାଣ୍ଡରେ ଜଡ଼ିତ ଅଛନ୍ତି ସେମାନଙ୍କ ସହିତ କୈଳାସଙ୍କ ବାରମ୍ବାର ଝଗଡ଼ା ହେଉଥିଲା। ଗତ କିଛିଦିନ ତଳେ ମଧ୍ୟ କୈଳାସ ସେମାନଙ୍କ ସହିତ ଝଗଡ଼ା କରି ମାରପିଟ୍‌ କରିଥିଲେ ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ଏଥିପାଇଁ ତାଙ୍କୁ ପାନେ ଦେବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ୩୧ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ କୈଳାସଙ୍କୁ ଘରୁ ଡାକି ନେଇଥିଲେ। ସମସ୍ତେ ପ୍ରଚୁର ମଦ୍ୟପାନ କରିଥିବା ବେଳେ ମଦ ନିଶାରେ ପୁଣି ଝଗଡ଼ା ହୋଇଥିଲା। ଏହାପରେ ଅଭିଯୁକ୍ତମାନେ କାତିରେ କୈଳାସଙ୍କ ଉପରେ ଚୋଟ ପକାଇଥିଲେ। ଗାଁ ମୁଣ୍ଡରେ ଥିବା ବଡ଼ବନ୍ଧ ନିକଟରେ କୈଳାସ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ୧ତାରିଖ ସକାଳେ କିଛି ଲୋକ ଶୌଚ ପାଇଁ ବନ୍ଧକୁ ଯାଇଥିଲେ। ସେମାନେ କୈଳାସଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଅନ୍ୟମାନଙ୍କୁ ଖବର କରିଥିଲେ। ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ୨ଜଣ ସନ୍ଦିଗ୍ଧଙ୍କୁ ଆଣି ପୁଲିସ ଜେରା କରିଥିଲା। ଏହି ଘଟଣାରେ ଆହୁରି ୪ଜଣ ସାମିଲ ଥିବାରୁ ପୁଲିସ ସେମାନଙ୍କୁ ମଧ୍ୟ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି।

କୈଳାସ ମିସ୍ତ୍ରି ଭାବେ କାମ କରୁଥିଲେ। ସେ ପୂର୍ବରୁ ଖୋଡ଼ାସିଙ୍ଗିରେ ରହୁଥିବା ବେଳେ ପ୍ରାୟ ୨ବର୍ଷ ହେଲା ଗାଁକୁ ଯାଇଥିଲେ। ବିଭିନ୍ନ ସମୟରେ ଅଭିଯୁକ୍ତଙ୍କ ସହିତ ତାଙ୍କର ଝଗଡ଼ା ହେଉଥିଲା। ସେଥିପାଇଁ ଅଭିଯୁକ୍ତମାନେ ପ୍ରତିଶୋଧପରାୟଣ ହୋଇ କୈଳାସଙ୍କୁ ହତ୍ୟା କରିଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର