ସପରିବାର ଘରକୁ ଫେରିବା ପୂର୍ବରୁ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ରାଜମିସ୍ତ୍ରୀ

ରାଉରକେଲା : ପରିବାର ସହ ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ରାଜମିସ୍ତ୍ରୀଙ୍କର ଜୀବନ l ମୃତକ ଜଣକ ହେଲେ ଝାଡ଼ଖଣ୍ଡର ସେବକ ନାଗ (୪୫)l ଏମିତି ଦୁଃଖଦ ଘଟଣା ୧୪୩ ନମ୍ବର ଜାତୀୟ ରାଜପଥରେ ଥିବା ବୀରମିତ୍ରପୁର ମାଛ ମାର୍କେଟରେ ଘଟିଛି l ବୀରମିତ୍ରପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l
ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ (ଜେଏଚ ୧୦ବିଏଚ -୨୧୧୫) ଜବତ କରି ଘଟଣାର ତଦନ୍ତ ଚଳାଇଛି l ମିଳିଥିବା ସୂଚନା ମୁତାବକ ଲକଡାଉନ ପୂର୍ବରୁ ସେବକ, ପତ୍ନୀ,ଏକ ମାତ୍ର ପୁଅକୁ ଧରି ବୀରମିତ୍ରପୁରରେ ଥିବା ଶ୍ୱଶୁର ଘରକୁ ବୁଲି ଆସିଥିଲେl ଲକ ଡାଉନ କଟକଣା ପାଇଁ ଗାଡ଼ି ଚଳାଚଳ ବନ୍ଦ ଥୁବାରୁ ଘରକୁ ଫେରି ପାରି ନ ଥିଲେ l

ଆଜି ଝାଡ଼ଖଣ୍ଡକୁ ଗାଡି ଚାଲୁଥିବା ଜାଣିବା ପରେ ପରିବାର ସହ ଘରକୁ ଯିବାକୁ ବୀରମିତ୍ରପୁର ଅଟୋ ଷ୍ଟାଣ୍ଡ ନିକଟରେ ବସକୁ ସେ ସପରିବାର ଅପେକ୍ଷା କରିଥିଲେ l କିଛି ଜିନିଷ କିଣିବାକୁ ପତ୍ନୀ, ପୁଅକୁ ଅଟୋ ଷ୍ଟାଣ୍ଡ ନିକଟରେ ଛିଡ଼ା କରି ମାଛ ମାର୍କେଟ ଆଡ଼କୁ ଯାଉଥିଲେ l ହଠାତ୍ ରାଉରକେଲାରୁ ଝାଡ଼ଖଣ୍ଡ ଆଡକୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ ପଛରୁ ଧକ୍କା ଦେଇଥିଲା l ଗୁରୁତର ଅବସ୍ଥାରେ ଆମ୍ବୁଲାନସରେ ରାଉରକେଲା ସରକାରୀ ହସ୍ପିଟାଲ ଅଣାଯାଉଥିବା ବେଳେ ବାଟରେ ସେବକଙ୍କର ମୃତ୍ୟୁ ହୋଇ ଯାଇଥିଲା l

ସମ୍ବନ୍ଧିତ ଖବର