୧୧ ବର୍ଷ ପରେ ଦେବଗଡ଼ ମସଜିଦର ଖୋଲିଲା ତାଲା

ଦେବଗଡ଼: ପୌରାଞ୍ଚଳରେ ଥିବା ମସଜିଦ୍‌ରେ ନମାଜ ପାଠକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ୧୧ ବର୍ଷ ଧରି ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ହୋଇଛି। ଗତ ୨୦୦୯ ମସିହାରେ ଦେବଗଡ଼ ମସ୍‍ଜିଦରେ ନମାଜ ପାଠବେଳେ ଉକ୍ତ ସଂପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ। ଫଳରେ ଏହି ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ଲୋକମାନେ ଆହତ ହୋଇଥିଲେ। ଆଇନ୍‌ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମସ୍‌ଜିଦରେ ତାଲା ପକାଯାଇଥିଲା।

ମସୁଲମାନ ସଂପ୍ରଦାୟର ବିଭିନ୍ନ ପର୍ବପର୍ବାଣୀ ଆସିଲେ ଭାଗ୍ୟକୁ ଆଦରି ସେମାନେ କେତେବେଳେ ଖୋଲା ଛାତତଳେ ତ ପୁଣି କେତେବେଳେ ରାଜରାସ୍ତା ଉପରେ ସେମାନେ ନମାଜ ପାଠ କରୁଥିଲେ। ପରେ ଉକ୍ତ ମାମଲା ୱାକ୍‌ଫ ବୋର୍ଡ ନିକଟରେ ପହଞ୍ଚିବା ପରେ ମସ୍‌ଜିଦରେ ଉଭୟ ପକ୍ଷଙ୍କ ପ୍ରବେଶ ଉପରେ ରୋକ ଲଗା ଯାଇଥିଲା। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହୁଥିବା କାରଣରୁ ବିବାଦ ସମାଧାନ ହୋଇ ନପାରି ମସଜିଦ ମୁଖ୍ୟ ଫାଟକରେ ତାଲା ପକାଇ ଦିଆ ଯାଇଥିଲା। ବିବାଦର ସମାଧାନ ପାଇଁ ୱାକଫ ବୋର୍ଡ ପକ୍ଷରୁ ବାରମ୍ବାର ଉଦ୍ୟମ କରି ବିଫଳ ହେବା ପରେ ଗତ ଜୁନ ୨୪ ତାରିଖ ଦିନ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ ଖାଁଙ୍କ ବାସ ଭବନରେ ମୁସଲିମ ସମ୍ପ୍ରଦାୟର ଭଦ୍ର ମଣ୍ଡଳୀଙ୍କ ଉପସ୍ଥିତିରେ ଦେବଗଡ଼ ମୁସଲିମ ସମ୍ପ୍ରଦାୟର ବରେଲୀ ଓ ଦେଓବନ୍ଦ ଗୋଷ୍ଠୀର ମୁଖ୍ୟ ଓ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ, ଦେବଗଡ଼ ମସଜିଦ କୋଠା ସମେତ ୨୧ ଡିସିମିଲ ଜମିରୁ ବରେଲୀ ଗୋଷ୍ଠୀକୁ ୧୪ ଡିସିମିଲ ଓ ଦେଓବନ୍ଦ ଗୋଷ୍ଠୀ ଙ୍କୁ ୭ ଡିସିମିଲ ଜମି ସର୍ବ ସମ୍ମତି କ୍ରମେ ବଣ୍ଟନ କରାଯିବା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା କରାଯାଇଥିଲା। ପରେ ମସଜିଦ କୋଠାର ଚାବିକୁ ବରେଲୀ ଗୋଷ୍ଠୀର ସଭାପତି ସେକ ସୈଫଉଦ୍ଦିନଙ୍କୁ ପ୍ରଦାନ କରାଯାଇଥିଲା। ଦୀର୍ଘ ବର୍ଷର ବିବାଦର ସମାଧାନ ପରେ ଆଜି ଉଭୟ ପକ୍ଷ ଖୁସି ବ୍ୟକ୍ତ କରିବା ସହ ପରସ୍ପର ମଧ୍ୟରେ ମିଠା ବାଣ୍ଟିଥିଲେ। ମସଜିଦ ସମସ୍ୟାର ସମାଧାନରେ ହାଜି ମହମ୍ମଦ ଆୟୁବ ଖାଁ ମଧ୍ୟସ୍ଥତା କରି ଦୀର୍ଘ ବର୍ଷ ବବାଦର ଅନ୍ତଃ ଘଟାଇଥିବାରୁ ଉଭୟ ଗୋଷ୍ଠୀ ପକ୍ଷରୁ ଶ୍ରୀ ଖାଁଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା। ମସ୍‌ଜିଦ ଖୋଲାଯିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଂଖ୍ୟା ଲଘୁ ସେଲ୍‌ ଉପ ସଭାପତି ମହମ୍ମଦ ମୋବିନ, ୱାକଫ ବୋର୍ଡ କମିସନର୍‌ ଏସଏମ ଅବଦଶ, ଅବସର ପ୍ରାପ୍ତ ପ୍ରଫେସର ଅଫସର ଅଲ୍ଲୀ, ସାମାଜିକ କର୍ମୀ ସୟଦ ମୁଜିବୁର ରେହେମାନ, ମହମ୍ମଦ ଫାରୁକ, ଏସକେ ଦିଲଦାର ମହମ୍ମଦ, ସୟଦ ଅଫସର ଅଲ୍ଲୀ, ବରେଲୀ ଗୋଷ୍ଠୀ ପକ୍ଷରୁ ସଭାପତି ସେକ ସୈଫଉଦ୍ଦିନ, ଉପ ସଭାପତି ସାମିଲଉଦ୍ଦିନ, ଆମିର ରାଜା, ଅବଦୁଲ ନସିମ ଓ ସଞ୍ଜୟ ଖାଁ ପ୍ରମୁଖ ରହିଥିବା ବେଳେ ଦେଓବନ୍ଦ ପକ୍ଷରୁ ସାକିଲ ଅହମ୍ମଦ, ମହମ୍ମଦ ନଶୁରୁଲକ୍ଷ, ମୁଜିବୁର ରେହେମାନ, ଓସମା ଫଇସଲ, ୱାସିମ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର