ସ୍ବାମୀ ଦେଶସେବାରେ ସମର୍ପିତ, ପତ୍ନୀ କରୋନା ସଂଗ୍ରାମର ଯୋଦ୍ଧା : ଅନ୍ୟଙ୍କୁ ରୋଜଗାର ଦେବା ସହ ଗରିବଙ୍କୁ ମାଗଣାରେ ବାଣ୍ଟୁଛନ୍ତି ମାସ୍କ

ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ମୁଁ ଗର୍ବିତ: ବିରୁପାକ୍ଷ

ବ୍ରହ୍ମପୁର : ସ୍ବାମୀ ବିଏସ୍‌ଏଫ୍‌ରେ। ଦେଶସେବା ପାଇଁ ସମର୍ପିତ। ଆଉ ଦେଶର ଏଭଳି ଜଟିଳ ପରିସ୍ଥିତିରେ ପତ୍ନୀ ସାଜିଛନ୍ତି କରୋନା ସଂଗ୍ରାମର ଯୋଦ୍ଧା। କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଦରକାର ପଡ଼ୁଥିବା ମାସ୍କ ସିଲେଇ ସହ ଅନ୍ୟ ମହିଳା ଓ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି। ଆଉ ପ୍ରସ୍ତୁତ ହେଉଥିବା ମାସ୍କକୁ ଗରିବ ଓ ଅସହାୟଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ଏଭଳି ଜଣେ ମହିଳା ହେଲେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅଧୀନ ଜିରାବାଡ଼ି ଗ୍ରାମର ଶ୍ରଦ୍ଧାଞ୍ଜଳି ପାତ୍ର। ମାତ୍ର ୨୭ ବର୍ଷ ବୟସରେ ହିଁ ତାଙ୍କର ଏଭଳି ପ୍ରଚେଷ୍ଟାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଆଉ ହରିଆନାରେ ରହୁଥିବା ସ୍ବାମୀ ବିରୁପାକ୍ଷ ପ୍ରଧାନ ମଧ୍ୟ ପତ୍ନୀଙ୍କ ଏଭଳି ପଦକ୍ଷେପକୁ ନେଇ ଗର୍ବିତ ବୋଲି ‘ସମ୍ବାଦ’କୁ ଫୋନ୍ ଯୋଗେ କହିଛନ୍ତି।

ଶ୍ରଦ୍ଧାଞ୍ଜଳି କହିଛନ୍ତି, ପିଲାଟି ଦିନରୁ ହିଁ ବିଭିନ୍ନ ଡିଜାଇନ୍‌ର ପୋଷାକ ସ‌ିଲେଇ ପ୍ରତି ତାଙ୍କର ଆଗ୍ରହ ଥିଲା। ଯୁକ୍ତ ତିନି ସ୍ନାତକ ଶେଷ ପରେ ନିଜ ଇଚ୍ଛା ପୂରଣ ପାଇଁ ସିଲେଇ ଶିକ୍ଷା କରିଥିଲେ। ପରେ ନିଜେ ଏକ ମେସିନ୍ କିଣି ପୋଷାକପତ୍ର ସିଲେଇ ଆରମ୍ଭ କରିଥିଲେ। ଏହା ମଧ୍ୟରେ ତାଙ୍କର ବାହାଘର ସରିଥିଲା। କିନ୍ତୁ ନିଜ ଅଞ୍ଚଳର ବହୁ ଯୁବତୀ ଓ ମହିଳାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ସେ ପ୍ରୟାସ ଆରମ୍ଭ କରିଥିଲେ। ଜିରାବାଡ଼ି ଅଞ୍ଚଳର ବହୁ ଯୁବତୀ ଓ ମହିଳାଙ୍କୁ ସ‌ିଲେଇ ଶିକ୍ଷା ତାଲିମ ଦେଇଥିଲେ। ନିଜ‌େ ୧୦ଟି ମେସିନ୍ କିଣି ମହିଳାଙ୍କ ବିଭିନ୍ନ ପୋଷାକ ସିଲେଇ କରୁଥିଲେ। ଏଭଳି ଭାବେ ୪୦ରୁ ଅଧିକ ମହିଳା ଓ ଯୁବତୀଙ୍କୁ ସେ ତାଲିମ ଦେବା ପରେ ସେମାନେ ନିଜେ ମେସିନ୍ କିଣି ପୋଷାକ ତିଆରି କରିବା ଆରମ୍ଭ କରିଥିଲେ। ଶ୍ରଦ୍ଧାଞ୍ଜଳି ସେମାନଙ୍କୁ କପଡ଼ା କାଟି ଯୋଗାଉଥିଲେ। ଫଳରେ ମହିଳା ଓ ଯୁବତୀ ନିଜ ଘରେ କାମ କରିବା ସହ ସିଲେଇ କରି ମାସକୁ ୭ରୁ ୮ହଜାର ଟଙ୍କା ମଜୁରି ପାଉଥିଲେ। ଆଉ ପ୍ରସ୍ତୁତ ହେଉଥିବା ‌ପୋଷାକକୁ ଶ୍ରଦ୍ଧାଞ୍ଜଳି ସ୍ଥାନୀୟ ବଜାର ସହ ଭୁବନେଶ୍ବର ମାର୍କେଟକୁ ବିକ୍ରି ପାଇଁ ପଠାଉଥିଲେ।

ବର୍ତ୍ତମାନ କରୋନା କଟକଣା ଓ ଲକ୍‌ଡାଉନ୍ ଘୋଷଣା ପରେ କାମ ବନ୍ଦ ହୋଇଯାଇଛି। ପୋଷାକ ବିକ୍ରି ହୋଇ ପାରୁନି। ତଥାପି ଶ୍ରଦ୍ଧାଞ୍ଜଳି ଭାଙ୍ଗି ପଡ଼ିନାହାନ୍ତି। ଏଭଳି ଜଟିଳ ପରିସ୍ଥିତିରେ ସମସ୍ତଙ୍କୁ ସେ ସହଯୋଗର ହାତ ବଢ଼ାଇଛନ୍ତି। ଗାଁର ମହିଳା ଓ ଯୁବତୀଙ୍କୁ ନେଇ ମାସ୍କ ସିଲେଇ କାମ ଜାରି ରଖିଛନ୍ତି। ପୋଷାକ ପାଇଁ ଆସିଥିବା କପଡ଼ାକୁ କାଟି ମାସ୍କ ତିଆରି ପାଇଁ ଦେଉଛନ୍ତି। ଗୋଟିଏ ମାସ୍କ ସିଲେଇ ପାଇଁ ୩ ଟଙ୍କା ଲେଖାଏଁ ପାରିଶ୍ରମିକ ଦେଉଛନ୍ତି। ଗୋଟିଏ ମାସ୍କ ତିଆରି ପାଇଁ ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶତାଧିକ ମାସ୍କ ସେ ବର୍ତ୍ତମାନ ଗରିବ ଶ୍ରେଣୀର ଲୋକଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ସରକାରୀ କର୍ମଚାରୀଙ୍କୁ ମାଗଣାରେ ବା‌ଣ୍ଟୁଛନ୍ତି। ଖାଲି ଏତିକି ନୁହେଁ, କରୋନା ମୁକାବିଲା ଓ ମାସ୍କ୍ ବ୍ୟବହାର ପାଇଁ ସେ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଏହି କାମରେ ବଡ଼ ଭାଇ ସଞ୍ଜିତ୍‌ଙ୍କ ସମେତ ସାନଭଉଣୀ ଓ ମା ସହଯୋଗ କରୁଛନ୍ତି ବୋଲି ଶ୍ରଦ୍ଧାଞ୍ଜଳି କହିଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କ ଏକ ୨ବର୍ଷର ଶିଶୁକନ୍ୟା ଅଛି। ଆଗକୁ ୪ହଜାର ମାସ୍କ ସିଲେଇ କରି ବାଣ୍ଟିବା ପାଇଁ ସେ ଲକ୍ଷ୍ୟ ରଖିଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି।

ସମ୍ବନ୍ଧିତ ଖବର