ଚର୍ଚାରେ ସରକାରଙ୍କ ମାସ୍କ କିଣା, ଦୁଇଟି କମ୍ପାନିରୁ ଭିନ୍ନ ଭିନ୍ନ ଦରରେ କିଣାଯିବାକୁ ନେଇ ହଟଚମଟ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଔଷଧ ନିଗମ ବା ଓଏସ୍‌ଏମ୍‌ସିଏଲ୍ ପକ୍ଷରୁ କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ଦୁଇଟି କମ୍ପାନିରୁ ଭିନ୍ନ ଭିନ୍ନ ଦରରେ ତ୍ରିସ୍ତରୀୟ ମାସ୍କ କିଣା ଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ କମ୍ପାନିଠାରୁ ଯେଉଁ ମାସ୍କ ପ୍ରାୟ ୧୦ ଟଙ୍କାରେ କିଣାଯାଇଛି, ଆଉ ଏକ କମ୍ପାନି ସେହି ମାସ୍କ ପାଇଁ ୧୬ ଟଙ୍କା ନେଇଛି। ତେଣୁ ମାସ୍କ କିଣାରେ ଏକ ବଡ଼ଧରଣର ହେରଫେର୍‌ ଅଭିଯୋଗ ହୋଇଛି। ମାତ୍ର ଏଭଳି ଅଭିଯୋଗକୁ ଔଷଧ ନିଗମ ଖଣ୍ଡନ କରିଛି। କର୍ତୃପକ୍ଷ କହିଛନ୍ତି, କିଛି ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି। କରୋନା ମହାମାରୀ ଦେଖାଦେବା ପରେ ମାସ୍କ ଓ ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣର ଚାହିଦା ହଠାତ୍ ବୃଦ୍ଧି ପାଇଥିଲା। କୋଭିଡ୍‌ ଯୁଦ୍ଧରେ ସାମିଲ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ମାସ୍କ ଉପଲବ୍ଧ କରିବା ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ମାସ୍କ କିଣାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପ୍ରିଲ ୧୫ ତାରିଖରେ ହରିୟାନାର ସିଷ୍ଟୁଲା

ଟୁଲିପ୍ ପ୍ରାଇଭେଟ ଲିଃ ୫ ଲକ୍ଷ ୟୁନିଟ୍‌ର ତ୍ରିସ୍ତରୀୟ ମାସ୍କ ୯.୯୦ ଟଙ୍କାରେ ଦେବା ପାଇଁ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ନିଗମ ୪୯ଲକ୍ଷ ୫୦ ହଜାର ଟଙ୍କା ଖର୍ଚ କରିଥିଲା। ଠିକ୍ ଏହାର ଦୁଇଦିନ ପରେ ଅର୍ଥାତ୍ ୧୭ ଏପ୍ରିଲରେ ତାମିଲନାଡ଼ୁର ବିଷ୍ଣୁ ଡିସପୋଜେବୁଲ୍‌ସ ପ୍ରାଇଭେଟ୍‌ ଲିଃଠାରୁ ୩୦ ଲକ୍ଷ ୟୁନିଟ୍‌ର ତ୍ରିସ୍ତରୀୟ ମାସ୍କ ୧୬ଟଙ୍କା ମୂଲ୍ୟରେ କିଣାଯାଇଥିଲା। ଏଥିପାଇଁ ନିଗମ ୪ କୋଟି ୮୦ଲକ୍ଷ ଟଙ୍କା ଖର୍ଚ କରିଥିଲା। ମାତ୍ର ଦୁଇଦିନ ଭିତରେ ମାସ୍କ ଦର ବଢ଼ିଯିବା ଓ ଅଧିକ ଦର ନେଉଥିବା କମ୍ପାନିଠାରୁ ବହୁତ ପରିମାଣର ମାସ୍କ କିଣାଯିବାକୁ ନେଇ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି। ପୂର୍ବ ଦରଠାରୁ ପରବର୍ତୀ ସମୟରେ କିଣାଯାଇଥିବା ମାସ୍କ ଦର ୬.୧୦ଟଙ୍କା ଅଧିକ ରହିଛି। ରାଜ୍ୟରେ କେତେ ପରିମାଣର ମାସ୍କ ଆବଶ୍ୟକ, ଏନେଇ ସ୍ବାସ୍ଥ୍ୟସେବା/ଜନସ୍ବାସ୍ଥ୍ୟ/ଡିଏମ୍‌ଇଟିଙ୍କଠାରୁ ଔଷଧ ନିଗମକୁ କୌଣସି ଇଣ୍ଡେଣ୍ଟ ବା ଚାହିଦା ମୁତାବକ ଦିଆଯାଇଥିଲା କି ନାହିଁ, ତାହା ମଧ୍ୟ ସନ୍ଦେହ ଘେରରେ ରହିଛି।

ଔଷଧ ନିଗମ ପକ୍ଷରୁ ୧ଲକ୍ଷ ୟୁନିଟ୍‌ର ପିପିଇ କିଣାଯାଇଛି। ଗୋଟିଏ ୟୁନିଟ୍‌ର ଦର ୯ଶହ ଟଙ୍କା ଥିବା ବେଳେ ନିଗମ ଏଥିପାଇଁ ୯ କୋଟି ଟଙ୍କା ଖର୍ଚ କରିଛି। କୋଭିଡ ସମୟରେ ତୁରନ୍ତ ମାସ୍କ, ପିପିଇ ଯୋଗାଉଥିବା କମ୍ପାନିମାନଙ୍କୁ ପ୍ରୋ‌ତ୍ସାହନ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। କ୍ରୟାଦେଶ ପାଇବାର ୭ ଦିନ ଭିତରେ ସାମଗ୍ରୀ ଯୋଗାଇଲେ ୫୦ ପ୍ରତିଶତ, ୧୫ଦିନରେ ୨୫ ପ୍ରତିଶତ ଓ ୧ମାସରେ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ତେଣୁ ତାମିଲନାଡ଼ୁର ବିଷ୍ଣୁ ଡିସ୍‌ପୋଜେବୁଲ୍‌ସକୁ ପ୍ରଥମ କମ୍ପାନିଠାରୁ ଅଧିକ ଦର ଦିଆଯିବା ସହିତ ପ୍ରୋତ୍ସାହନ ରାଶି ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ସମାନ ମାସ୍କ କିଭଳି ଦୁଇଟି କମ୍ପାନିରୁ ଭିନ୍ନ ଭିନ୍ନ ଦରରେ କିଣାଗଲା, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ସତ୍ୟାସତ୍ୟ ପଦାକୁ ଆସିପାରିବ।

ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି, ତ୍ରିସ୍ତରୀୟ ମାସ୍କର ଚାହିଦା ବଢ଼ି ଯିବାରୁ କେନ୍ଦ୍ର ସରକାର ଦର ୧୦ଟଙ୍କା ଧାର୍ଯ୍ୟ କରିଥିଲେ। ଏଥିପାଇଁ ନିଗମ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଥିଲା। ଏହାର କିଛି ଦିନ ପରେ କେନ୍ଦ୍ର ସରକାର ପୁନର୍ବାର ଦରକୁ ପରିବର୍ତ୍ତନ କରି ୧୬ଟଙ୍କା ଧାର୍ଯ୍ୟ କରିଥିଲେ। ଏହି ସମୟରେ କିଛି ଉତ୍ପାଦନକାରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ନେବା ପାଇଁ ମନା କରିବା ସହ ୧୬ ଟଙ୍କାରେ ମାସ୍କ ଦେବା ପାଇଁ କହିଥିଲେ। ତେଣୁ ସେହି ସମୟରେ ଯେଉଁ କ୍ରୟାଦେଶ ଦିଆଯାଇଛି, ତହିଁରେ ଏଭଳି ବ୍ୟବଧାନ ରହିଛି। ମାତ୍ର ଏଥିରେ କୌଣସି ଅସୁବିଧା ନାହିଁ। ୧୦ ଟଙ୍କାରେ ଯେଉଁ କମ୍ପାନି ମାସ୍କ ଯୋଗାଇବ, ତାକୁ ପ୍ରୋତ୍ସାହନ ରାଶି ମିଳିବ, ମାତ୍ର ୧୬ଟଙ୍କା ପାଇଁ କୌଣସି ପ୍ରୋତ୍ସାହନ ରାଶି ନାହିଁ। ଏକ ସମୟରେ ନିଗମର କେନ୍ଦ୍ରୀୟ ଷ୍ଟୋର‌ରେ ମାତ୍ର ସାଢ଼େ ୪ ହଜାର ପିପିଇ ରହିଥିଲା। ତେଣୁ ଜିଲ୍ଲାୱାରୀ ବିତରଣ କରିବା ସମୟରେ ସମସ୍ୟା ସୃଷ୍ଟି ହୋଇଥିଲା। କରୋନା ସମୟରେ ଯାହା ବି କିଣାଯାଇଛି, ତାହା ଜରୁରୀକାଳୀନ କ୍ରୟାଦେଶ କମିଟିର ଅନୁମୋଦନରେ କିଣାଯାଇଛି। ରାଜ୍ୟରେ ପିପିଇ, ମାସ୍କର ଷ୍ଟକ୍ ବଢ଼ାଇବା ପାଇଁ‌ କେନ୍ଦ୍ର ସରକାର ଅନୁମୋଦନ କରିଥିବା କମ୍ପାନିଠାରୁ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏପରିକି ଯେଉଁ କମ୍ପାନିର ପିପିଇ ସିଟ୍ରା ବା ସାଉଥ ଇଣ୍ଡିଆ ଟେକ୍ଟଟାଇଲ୍‌ ରିସର୍ଚ ଆସୋସିଏସନ୍‌ ସାର୍ଟିଫାଏଡ୍‌, ତାହାଠାରୁ ହିଁ ପିପିଇ କିଣାଯାଇଛି। ଲକ୍‌ଡାଉନ୍‌ ସମୟରେ ଔଷଧ ନିଗମ ଯେଉଁ ସାମଗ୍ରୀ ପାଇଁ ବିଜ୍ଞାପନ ଦେଇଥିଲେ, ତହିଁରେ ରାଜ୍ୟ ବାହାରର ଅଧିକ କମ୍ପାନି ରହିଥିଲେ। ଏଭଳି ପରିସ୍ଥିତିରେ ସ୍ଥାନୀୟ କମ୍ପାନିମାନେ ଏସବୁ ସାମଗ୍ରୀ ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କଲା ବେଳକୁ ନିଗମ ଅର୍ଡର କରିବା ବନ୍ଦ କରିଦେଇଛି। ସ୍ଥାନୀୟ ଉତ୍ପାଦନକାରୀଙ୍କ ଅସନ୍ତୋଷକୁ ଆମେ ଜାଣିପାରୁଛୁ। ଯେଉଁ କମ୍ପାନିମାନେ ଅର୍ଡର୍‌ ନେଇଛନ୍ତି, ସେମାନଙ୍କୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଯୋଗାଇବାକୁ କୁହାଯାଇଛି। ପରବର୍ତୀ ସମୟରେ ଏହାକୁ ଗ୍ରହଣ କରାଯିବ ନାହିଁ। ଆଗାମୀ ଦିନରେ ଯାହା ବି କିଣାଯିବ, ତାହା ଟେଣ୍ଡର୍‌ ଜରିଆରେ କିଣାଯିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର