ଚିନ୍ତା ବଢ଼ାଇଛି କରୋନାର ନୂଆ ପ୍ରଜାତି, ଚିନ୍ତାରେ ପ୍ରଶାସନ, ମାସ୍କ ଯାଞ୍ଚ କଡ଼ାକଡ଼ି

ରାୟଗଡ଼ା: କରୋନାର ନୂଆ ପ୍ରଜାତି ଭୂତାଣୁ ଏବେ ଚିନ୍ତାର କାରଣ ପାଲଟିଛି। ଚୀନ୍, ଜର୍ମାନୀ, ୟୁରୋପରେ ସଂକ୍ରମଣ ବଢ଼ିବା ପରେ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ସତର୍କତା ମାର୍ଗଦର୍ଶିକା ଅବଲମ୍ବନ କରିବାକୁ ନିର୍ଦେଶ ଦେବା ସହ ଟେଷ୍ଟିଂ ଓ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଛି। ନୂଆ ପ୍ରଜାତି ଭୂତାଣୁ ତୃତୀୟ ଲହରୀ ଆଣିବା ନେଇ ଆଶଙ୍କା ସୃଷ୍ଟି କରିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ରାୟଗଡ଼ା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରଟିପିସିଆର ଲ୍ୟାବରେ ୪୦୦ରୁ ଉର୍ଦ୍ଧ୍ବ ସ୍ୱାବ ଟେଷ୍ଟିଂ କରାଯାଉଛି। କରୋନା କଟକଣା ହଟିବା ପରେ ଗ୍ରାମାଞ୍ଚଳ, ବସ୍ତି ଇଲାକାରୁ ଶ୍ରମିକ ଶ୍ରେଣୀର ଲୋକ ବାହାର ରାଜ୍ୟକୁ କାମ କରିବାକୁ ଯାଇ ପାର୍ବଣରେ ଘରକୁ ଫେରୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଫୋକସ୍ କରିଛି। ଅକ୍ଟୋବର ମାସରେ ରାୟଗଡ଼ା ଡିଏଫଓ କଲୋନୀ ସମେତ ମସଜିଦ୍ ଲାଇନ୍, ହରିଜନ ସାହିରୁ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ପ୍ରତିଦିନ ବିଭିନ୍ନ ଟ୍ରେନ୍ ମାଧ୍ୟମରେ ରାୟଗଡ଼ାକୁ ପ୍ରବାସୀ ଆସୁଥିବା ବେଳେ ରାୟଗଡ଼ାରୁ ବାହାରକୁ ମଧ୍ୟ ଯାଉଛନ୍ତି। ଓଡ଼ିଶା ଅପେକ୍ଷା ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ହାର ଅଧିକ ଥିବାରୁ ନୂଆ ପ୍ରଜାତିର ଭୂତାଣୁ ସହ କେହି ସଂସ୍ପର୍ଶରେ ଆସି ରାୟଗଡ଼ାକୁ ଫେରିଲେ ବିପଦକୁ ଏଡ଼ାଇ ହେବନି।

ଏହି ଦୃଷ୍ଟିରୁ ଶନିବାର ଦିନ ଜିଲ୍ଲା ପୁଲିସ୍, ପ୍ରଶାସନ ପକ୍ଷରୁ ନିୟମିତ ମାସ୍କ ପରିଧାନକୁ କଡାକଡି କରାଯାଇଛି। ସମସ୍ତ ଦୋକାନ, ବଜାର, ଜନଗହଳିପୂର୍ଣ୍ଣ ଅଞ୍ଚଳ ବୁଲି ସତର୍କ କରାଯିବା ସହ ବିନା ମାସ୍କରେ ଗ୍ରାହକଙ୍କୁ ଜିନିଷ ବିକ୍ରି କରିବା ନେଇ ପୁଲିସ୍ କଟକଣା ଲଗାଇଛି। ରାୟଗଡ଼ା ଅତିରିକ୍ତ ତହସିଲଦାର ସୁନୀଲ ଖରା, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ଅନ୍ୟ ଅଧିକାରୀ ଦୈନିକ ବଜାର, ସାରଳା ଜଙ୍କସନ୍, ଓଭରବ୍ରିଜ୍ ମାର୍କେଟ୍ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛନ୍ତି। ବିନା ମାସ୍କରେ ବଜାରକୁ ଆସିଲେ ଜରିମାନା ଆଦାୟ ପାଇଁ ପୁଲିସ୍ ସତର୍କ ସୂଚନା ଜାରି କରିଛି। ରାୟଗଡ଼ା ଜିଲ୍ଲାରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସଂକ୍ରମଣ ହାର କମିବା ପରେ ଜେକେପୁର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରରୁ କର୍ମଚାରୀ ପ୍ରତ୍ୟାହାର କରି ନିଆଯାଇଛି। ଏବେ ମାତ୍ର ୨୦ଟି ଶଯ୍ୟାକୁ ନେଇ କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ଜିଲ୍ଲାରେ ମାତ୍ର ୧୭ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ମେଡ଼ିକାଲରେ ଜଣେ ବି ରୋଗୀ ନଥିବା ବେଳେ ସମସ୍ତେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।

ଆଜି ସୁଦ୍ଧା ଜିଲ୍ଲାରୁ ୨୦ ହଜାର ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ ହଜାର ୩୦ ଜଣ ସୁସ୍ଥ ହୋଇଛନ୍ତି। ୧୬୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବିଗତ କିଛି ଦିନ ହେଲା ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ଶୂନ ରହୁଥିବା ବେଳେ କାଁ ଭାଁ ୨/୩ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତଥାପି ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ। ଜିଲ୍ଲାରେ ଆଜି ସୁଦ୍ଧା ୮ ଲକ୍ଷ ୯୨ ହଜାର ୪୪ ଡୋଜ୍ ଟିକାକରଣ କରାଯାଇଛି। ପ୍ରଥମ ଡୋଜ୍ ୫ ଲକ୍ଷ ୩୬୨ ନେଇଥିବା ବେଳେ ଦ୍ବିତୀୟ ଡୋଜ୍ ନେଇଛନ୍ତି ୩ ଲକ୍ଷ ୧୮ ହଜାର ୬୮୨। ୧୮ ରୁ ୪୪ ବର୍ଗରେ ୫ ଲକ୍ଷ ୧୮ ହଜାର ୭୨୬, ୪୫ରୁ ୬୦ ବର୍ଗରେ ୨ ଲକ୍ଷ ୩୧ ହଜାର ୭୮୦, ୬୦ରୁ ଉର୍ଦ୍ଧ୍ବ ବର୍ଗରେ ୧ ଲକ୍ଷ ୪୧ ହଜାର ୫୩୮ ଟିକା ନେଇଛନ୍ତି। ୮.୯୨ ଲକ୍ଷ ଡୋଜରୁ ୪ ଲକ୍ଷ ୨୩ ହଜାର ୨୫୪ ଡୋଜ୍ ପୁରୁଷ, ୪ ଲକ୍ଷ ୬୮ ହଜାର ୬୧୦ ଡୋଜ୍ ମହିଳାଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର