ରାତି ପାହିଲେ ବିନା ମାସ୍କରେ ଘରୁ ବାହାରିବା ମନା, ପୁଣି ଥରେ ମନେପକାଇ ଦେଲେ ବାଗଚୀ

ଭୁବନେଶ୍ବର : ରାତି ପାହିଲେ ବିନା ମାସ୍କରେ ଘରୁ ବାହାରିବା ମନା। ଏକଥା ପୁଣି ଥରେ ମନେ ପକାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଗତକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ  ଏକ ନିର୍ଦ୍ଦେଶନାମା ଜାରି କରି ଏପ୍ରିଲ ୯ରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଥିଲା ।  ଏହି ନିର୍ଦ୍ଦେଶନାମା ଆସନ୍ତାକାଲି ସକାଳ ୭ଟାରୁ କଡ଼ାକଡ଼ି ଭାବେ ଲାଗୁ ହେବ। ଏଥିସହ ଶ୍ରୀ ବାଗଚୀ ସମସ୍ତଙ୍କୁ ସତର୍କ କରାଇ କହିଛନ୍ତି ଯେ ୨ବର୍ଷରୁ କମ୍ ବୟସର ପିଲା ଓ ଶ୍ବାସ ରୋଗ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ମନା। ଆଉ ଘରେ ଯଦି ବୟସ୍କ ଲୋକ ରୋଗଗ୍ରସ୍ତ ଅଛନ୍ତି ତେବେ ତାଙ୍କୁ ମାସ୍କ ପିନ୍ଧବାକୁ କହନ୍ତୁ ନାହିଁ।

ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏହା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ତାଲାବନ୍ଦ ସମୟରେ ଆବଶ୍ୟକତା ପଡ଼ିଲେ ଘରୁ ଗୋଡ଼ କାଢ଼ିଲେ, ଏଣିକି ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ। କାରଣ କରୋନା ଭୂତାଣୁ କ୍ଷୁଦ୍ର ବିନ୍ଦୁପରି ବାୟୁମଣ୍ଡଳରେ ଉଡ଼ୁଥିବାରୁ ଲୋକମାନଙ୍କୁ ସଂକ୍ରମଣର ଆଶଙ୍କା ରହିଛି। ଏଥିପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ସଂକ୍ରାନ୍ତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ, ନୋଭେଲ୍‌ କରୋନା ଭୂତାଣୁ ସଂକ୍ରମଣକୁ ବହୁ ମାତ୍ରାରେ ପ୍ରତିହତ କରିବାରେ ମାସ୍କ ବହୁତ କାମରେ ଆସିଥାଏ, ଯାହାକୁ ବିଶ୍ବସ୍ତରରେ ମଧ୍ୟ ଗ୍ରହଣ କରାଯାଇଛି। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହ ସଙ୍ଗରୋଧ ରହିବା ଉପରେ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଘରୁ ପଦାକୁ ଆସିବାକୁ ହେଲେ ମୁହଁରେ ମାସ୍କ କିମ୍ବା ନିଜ ରୁମାଲକୁ ଦୁଇ ପରସ୍ତ କରି ଢାଙ୍କିବାକୁ ପରାମର୍ଶ ଦିଆଯାଇଛି।

ଲୋକମାନେ ମୁହଁରେ ଯେ କୌଣସି ମାସ୍କ, କନା, ରୁମାଲ୍‌, ଗାମୁଛା,ଦୁପଟ୍ଟା ଆଦି ବାନ୍ଧି ବାହାରକୁ ବାହାରିବା ପାଇଁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଓ ମୁନିସିପାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଗୋଟିଏ ଥର ବ୍ୟବହାର କରାଯାଉଥିବା ମାସ୍କ ପିନ୍ଧନ୍ତି ତେବେ ନିର୍ଦ୍ଧାରିତ ଅବଧି ପରେ ସେହି ମାସ୍କକୁ ଏଠିସେଠି ନ ଫୋପାଡ଼ି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ନଷ୍ଟ କରିବା ଦରକାର। ସେହିପରି ଜଣେ ବ୍ୟକ୍ତି ଯଦି କନାରେ ତିଆରି ମାସ୍କ ପିନ୍ଧନ୍ତି ତାହେଲେ ନିୟମିତ ବ୍ୟବଧାନରେ ସାବୁନ, ଡିଟରଜେଣ୍ଟ୍‌, ବିଶୋଧକ ଦ୍ବାରା ବିଶୋଧନ ପୂର୍ବକ ପାଣିରେ ଧୋଇ ଟାଣ ଖରାରେ ଅନ୍ୟୂନ ୫ ଘଣ୍ଟା ଶୁଖାଇ ପୁନର୍ବାର ସେହି ମାସ୍କକୁ ବ୍ୟବହାର କରିପାରିବେ। କୌଣସି ଜଣେ ବ୍ୟକ୍ତି ପିନ୍ଧିଥିବା ମାସ୍କ ଆଉ କେହି ଅନ୍ୟ ବ୍ୟକ୍ତି ବ୍ୟବହାର କରିବେ ନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ଯଥା www.health.odisha.gov.inରେ ଉପଲବ୍ଧ ପରାମର୍ଶ ଅନୁଯାୟୀ ମାସ୍କ ବ୍ୟବହାର କରିବାକୁ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର