ବସ୍‌ରେ ମାସ୍କ ବାଧ୍ୟତାମୂଳକ

୪ଦିନ ପରେ ବି ୨୦ଜିଲ୍ଲାରେ ବସ୍‌ ଚଳାଚଳ ସ୍ବାଭାବିକ ହେଉନି

ଭୁବନେଶ୍ବର : ରାଜ୍ୟ ସରକାର ଜୁଲାଇ ୧ରୁ ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିଲେ ହେଁ ଏନେଇ ଗାଇଡଲାଇନ୍ ଜାରି କରିନାହାନ୍ତି। ତେଣୁ ବସ୍‌ ମାଲିକମାନେ କିପରି ବସ୍‌ ଚଳାଚଳ କରିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଏପରିକି ବସ୍‌ ମାଲିକମାନେ ରାଜ୍ୟ ସରକାରଙ୍କଠାରୁ ଟିକସ ଛାଡ଼ ଏବଂ ଅନ୍ୟାନ୍ୟ ସହାୟତା ଆଶା କରୁଥିବା ବେଳେ କିଛି ନିଷ୍ପତ୍ତି ହୋଇ ନଥିବାରୁ ଏ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ସ୍ବାଭାବିକ ହୋଇପାରିନି।

ଆଜି ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଖୁବ୍‌ଶୀଘ୍ର ଜିଲ୍ଲା ଭିତରେ ବସ୍‌ ଚଳାଚଳ ପାଇଁ ଗାଇଡଲାଇନ୍ ଆସିବ। ଆର୍‌ଟିଓ ଓ ବସ୍‌ ସଂଘଗୁଡ଼ିକୁ ଗାଇଡଲାଇନ୍ ଜଣାଇ ଦିଆଯିବ। କିନ୍ତୁ ଏବେ ଯେଉଁମାନେ ବସ୍‌ ଚଳାଚଳ କରୁଛନ୍ତି, ସେମାନେ ବସ୍‌ ସିଟ୍‌ ଅନୁସାରେ ଲୋକ ନେବେ। କାହାକୁ ଛିଡ଼ା କରି ନେଇପାରିବେନି। ବସ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯିଏ ମାସ୍କ ପିନ୍ଧି ନଥିବେ, ତାଙ୍କୁ ବସ୍‌ରେ ନ ଉଠାଇବାକୁ କୁହାଯାଇଛି। ଏହାସହ ପ୍ରତିଦିନ ବସ୍‌ଗୁଡ଼ିକୁ ବିଶୋଧନ କରିବାକୁ କୁହାଯାଇଛି। ଏହାକୁ କଡ଼ାକଡ଼ି ମାନିବାକୁ ବସ୍‌ ମାଲିକ ସଂଘକୁ କୁହାଯାଇଛି। ଏନେଇ ଆର୍‌ଟିଓମାନେ ଯାଞ୍ଚ କରିବେ। ସେହିପରି ବସ୍‌ ମାଲିକମାନଙ୍କ ଦାବି ନେଇ ଖୁବ୍‌ ଶୀଘ୍ର ଆଲୋଚନା କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ହେଲେ ଭୁବନେଶ୍ବର ଓ କଟକକୁ ବସ୍‌ ଚଳାଚଳ ପାଇଁ ଅନୁମତି ନଥିବାରୁ ବହୁ ବସ୍‌ ଏବେ ବି ଗଡ଼ିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର