ଶ୍ରଦ୍ଧାସଞ୍ଜୀବନୀ ଅନ୍ତେବାସୀଙ୍କ ପ୍ରୟାସ: ନିଜ ସୁରକ୍ଷା ପାଇଁ ନିଜେ ପ୍ରସ୍ତୁତ କରୁଛନ୍ତି ସୁରକ୍ଷା କବଚ

ବ୍ରହ୍ମପୁର: କରୋନା ମହାମାରୀ ବିଶ୍ବକୁ କବଳିତ କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ସବୁସ୍ତରରେ ଉଦ୍ୟମ ଚାଲିଛି। ସାମାଜିକ ଦୂରତ୍ବ ଅବଲମ୍ବନ, ସଚେତନତା ଓ ସ୍ବଚ୍ଛତା ଦ୍ବାରା କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ବୋଲି କୁହାଯାଉଛି। ମାସ୍କ୍‌ ପିନ୍ଧିବା ଲାଗି ବାଧ୍ୟତାମୂଳକ କରାଯାଇଛି। କିଛି ଲୋକ ମାସ୍କ୍ କିଣି ପିନ୍ଧୁଥିବା କିଛି ବି ପିନ୍ଧୁ ନାହାନ୍ତି। କିନ୍ତୁ ପ୍ରତିଟି ମୁହୂର୍ତ୍ତ ଜୀବନ ସହ ସଂଗ୍ରାମ କରୁଥିବା ଶ୍ରଦ୍ଧା ସଞ୍ଜୀବନୀର ଅନ୍ତେବାସୀମାନେ ନିଜ ପାଇଁ ନିଜେ ମାସ୍କ୍ ତିଆରି କରି ପିନ୍ଧି ଅନ୍ୟ ମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି। ଆଉ ନିଜର ସୁରକ୍ଷା ପାଇଁ ନିଜେ ସୁରକ୍ଷା କବଚ ପ୍ରସ୍ତୁତ କରି ପରୋକ୍ଷରେ କରୋନା ସଂଗ୍ରାମରେ ସାମିଲ୍ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏଚ୍‌ଆଇଭି ସଂକ୍ରମିତ(ଏଡସ୍‌) ଶିଶୁମାନଙ୍କୁ ଯତ୍ନ, ସୁରକ୍ଷା ସହ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ଗୋପାଳପୁର ଠାରେ ପ୍ରତିଷ୍ଠା ହୋଇଛି ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଅନୁଷ୍ଠାନ। ୨୦୦୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଏବେ ୧୮ବର୍ଷରୁ କମ୍‌ ୫୨ଜଣ ଏଚ୍ଆଇଭି ସଂକ୍ରମିତ ବାଳକବାଳିକା ରହୁଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଏହି ଅନୁଷ୍ଠାନର ଅନ୍ତେବାସୀଙ୍କୁ ଆତ୍ମନିର୍ଭରଶୀଳ ଓ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଅନୁଷ୍ଠାନ ପରିସରରେ ରହିଛି ଟେଲରିଂ ୟୁନିଟ୍‌, ସାନିଟାରି ନ୍ୟାପ୍‌କିନ୍‌ ପ୍ରସ୍ତୁତି ୟୁନିଟ୍‌, ରବର ଷ୍ଟାମ୍ପ୍‌ ଓ ସ୍କ୍ରିନ୍‌ ପ୍ରିଣ୍ଟିଙ୍ଗ ୟୁନିଟ୍‌। ରବର ଷ୍ଟାମ୍ପ୍‌ ୟୁନିଟ୍‌ ଓ ସ୍କ୍ରିନ୍‌ ପ୍ରିଣ୍ଟିଙ୍ଗ ୟୁନିଟ୍ ଗତ କିଛି ବର୍ଷ ହେଲା ବନ୍ଦ ହୋଇ ରହିଛି। ୧୨ ସିଲେଇ ମେସିନ୍ ଜରିଆରେ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ସିଲେଇ ପ୍ରଶିକ୍ଷଣ ଦିଆଯାଉଛି। ସାନିଟାରି ନ୍ୟାପକିନ୍‌ ତିଆରି ତାଲିମ ପ୍ରଦାନ କରାଯାଇଛି। ୧୩୫୦ ସାନିଟାରି ନାପ୍‌କିନ୍‌ ପ୍ରସ୍ତୁତ ହୋଇପାରିବା ଭଳି ୨ଟି ମେସିନ୍ ଉକ୍ତ ଅନୁଷ୍ଠାନରେ ରହିଛି।

କରୋନା ଭଳି ମହାମାରୀ ସମୟରେ ଏହି ଅନୁଷ୍ଠାନର ଅନ୍ତେବାସୀ ମାନେ ସାମାଜିକ ଦ୍ବରତ୍ବ ଓ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି। ଏଥିସହ ନିଜେ ସଚେତନ ହୋଇ ନିଜେ ମାସ୍କ୍ ତିଆରି କରି ପିନ୍ଧୁଛନ୍ତି। ମାସ୍କ୍ ତିଆରି ପାଇଁ ପ୍ରଶାସନ ଆବଶ୍ୟକ କଞ୍ଚାମାଲ ଯଥା କନା, ସୂତା ଓ ଇଲାଷ୍ଟିକ୍‌ ଆଦି ଯୋଗାଇ ଦେଉଛି। ଏଥିସହ ଆବଶ୍ୟକ ମୁତାବକ ସାନିଟାରି ନାପକିନ୍‌ ପ୍ରସ୍ତୁତ କରୁଛନ୍ତି। ତେବେ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ କୌଣସି ସାମଗ୍ରୀକୁ ବଜାରରେ ବିକ୍ରି କରାଯାଉନି। ଅନ୍ତେବାସୀଙ୍କ ଏହି ଉଦ୍ୟମକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର