ମାସ୍କ, ପିପିଇ କିଟ୍ ଦୁର୍ନୀତି ମାମଲା : ସରକାରଙ୍କୁ ଲୋକାୟୁକ୍ତଙ୍କ କ୍ଲିନ୍‌ଚିଟ୍‌

ଭୁବନେଶ୍ବର : କରୋନା କାଳରେ ବହୁଚର୍ଚ୍ଚିତ ମାସ୍କ, ପିପିଇ କିଟ୍‌ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି ମିଳିଛି। ଭିଜିଲାନ୍‌ସ ଦ୍ବାରା ଦାଖଲ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ କୋଭିଡ୍‌ ସାମଗ୍ରୀ କିଣାରେ ଦୁର୍ନୀତି ପ୍ରମାଣ ନଥିବା ଦର୍ଶାଇ ଲୋକାୟୁକ୍ତ ମାମଲାକୁ ଖାରଜ କରିଦେଇଛନ୍ତି। ଫଳରେ ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତରେ ଦାୟର ହୋଇଥିବା ମାମଲାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ଭିଜିଲାନ୍‌ସ ରିପୋର୍ଟକୁ ସାର୍ବଜନୀନ ନ କରି ଓ ଏହାର ସତ୍ୟାତାକୁ ଅନୁସନ୍ଧାନ ନ କରି ଲୋକାୟୁକ୍ତ ଯେଉଁ ରାୟ ଶୁଣାଇଛନ୍ତି ବେଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଲୋକାୟୁକ୍ତଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।

କରୋନା ମହାମାରୀ ସମୟରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ମାସ୍କ, ପିପିଇ କିଟ୍‌, ଆର୍‌ଟି-ପିସିଆର୍‌ ମେସିନ୍, ଟେଷ୍ଟିଂ କିଟ୍‌ ଭଳି କୋଭିଡ୍‌ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହା ବିରୋଧରେ ରାଜ୍ୟ କଂଗ୍ରେସର ମୁଖପାତ୍ର ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦୁଇଟି ପୃଥକ୍‌ ମାମଲା ଦାୟର ହୋଇଥିଲା। ମାତ୍ର ଦୁଇଟି ମାମଲା ଗୋଟିଏ ଅଭିଯୋଗ ଉପରେ ଆଧାରିତ ହୋଇଥିବାରୁ ଲୋକାୟୁକ୍ତ ଏହାକୁ ଏକତ୍ର ଶୁଣାଣି କରିଥିଲେ।

କୋଭିଡ୍‌ ସାମଗ୍ରୀ କିଣା ଦାୟିତ୍ବରେ ରହିଥିବା ତତ୍କାଳନୀ ଅଧିକାରୀ ହେମନ୍ତ ଶର୍ମା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯିବା ସହିତ ମୌଖିକ ଓ ଲିଖିତ ଜବାବ ତଲବ କରାଯାଇଥିଲା। ଗତବର୍ଷ ଡିସେମ୍ବର ୭ ତାରିଖରେ ଏହାର ପ୍ରାଥମିକ ତଦନ୍ତ କରିବା ଲାଗି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ୧୬ ତାରିଖରେ ଭିଜିଲାନ୍‌ସ ଏହାର ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା। ସେହି ରିପୋର୍ଟ ଆଧାରରେ ଲୋକାୟୁକ୍ତଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରି ଦେଇଛନ୍ତି।

ଆବେଦନକାରୀ ସୁଦର୍ଶନ ଦାସ କହିଛନ୍ତି, ଭିଜିଲାନ୍‌ସ ରିପୋର୍ଟର ନକଲକୁ ସାର୍ବଜନୀନ ନ କରି ଓ ଆବଦେନକାରୀଙ୍କୁ ନ ଦେଖାଇ ମାମଲାକୁ ଖାରଜ କରିବା ଲୋକାୟୁକ୍ତଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି। ଭିଜିଲାନ୍‌ସ ଦେଇଥିବା ରିପୋର୍ଟକୁ ମଧ୍ୟ ତର୍ଜମା କରାଯିବା ଉଚିତ୍ ଥିଲା। ମାତ୍ର ତାହା ନ କରି ଲୋକାୟୁକ୍ତ ଉପସଂହାରରେ ଉପନୀତ ହେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏକପାଖିଆ ନିଷ୍ପତ୍ତି ଗଣତାନ୍ତ୍ରିକ ଭାବନାକୁ କ୍ଷୁଣ୍ଣ କରୁଛି। ଭିଜିଲାନ୍‌ସ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯିବ ବୋଲି ଲୋକାୟୁକ୍ତ କହିଥିଲେ। ମାତ୍ର ଏହି ରିପୋର୍ଟ ଦିଆଯାଇ ନ ଥିଲା। ତେଣୁ ଲୋକାୟୁକ୍ତଙ୍କ ତଦନ୍ତ ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର