ମାସ୍କ, ପିପିଇ କିଟ୍‌ କେଳେଙ୍କାରୀ : ତଦନ୍ତ କରିବ ଭିଜିଲାନ୍‌ସ

ନିର୍ଦେଶ ଦେଲେ ଲୋକାୟୁକ୍ତ, ୨ ମାସ ଭିତରେ ରିପୋର୍ଟ

ଭୁବନେଶ୍ୱର : କରୋନା କାଳରେ ବହୁ ଚର୍ଚିତ ମାସ୍କ ଓ ଅନ୍ୟ କୋଭିଡ୍‌ ସାମଗ୍ରୀ କିଣା କେଳେଙ୍କାରୀ ଘଟଣାରେ ଆଜି ଲୋକାୟୁକ୍ତ ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ଭିଜିଲାନ୍‌ସର ଏସ୍‌ପି/ଅତିରିକ୍ତ ଏସ୍‌ପି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହାର ତଦନ୍ତ କରି‌‌ବେ। ଆସନ୍ତା ଫେବ୍ରୁଆରି ୧୫ତାରିଖ ସୁଦ୍ଧା ମାମଲାର ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବା ଲାଗି ଲୋକାୟୁକ୍ତ କହିଛନ୍ତି।

ଲୋକାୟୁକ୍ତଙ୍କ ଦୁଇଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହ ଓ ଜଷ୍ଟିସ୍ ବି.କେ ନାୟକ ମାମଲାର ଶୁଣାଣି କରିଥିଲେ। ତତ୍କାଳନୀ ପରଚେଜ୍ କମିଟିର ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ନିକଟରେ ପୁନର୍ବାର ହାଜର ହୋଇ ଉତ୍ତର ରଖିଥିଲେ। ଏହି ଘଟଣାରେ ଦୁଇଟି ଆବେଦନ ହୋଇଥିଲା।

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ ମାମଲା ଦାୟର କରିଥିଲେ। ଶୁଣାଣି ସମୟରେ ଦୁହେଁ ଉପସ୍ଥିତ ଥିଲେ। ତେବେ ଦୁଇଟି ଆବେଦନ ଗୋଟିଏ ଘଟଣା ଉପରେ ହୋଇଥିବାରୁ ଲୋକାୟୁକ୍ତ ଯୁଗ୍ମ ଭାବେ ଏହାର ଶୁଣାଣି କରିଥିଲେ। ଏହି ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ଅଢ଼େଇ ଘଣ୍ଟା ଧରି ଶୁଣାଣି ହୋଇଛି।

ଲୋକାୟୁକ୍ତ କହିଛନ୍ତି ଯେ କରୋନା ଭଳି ମହାମାରୀ ସଂପର୍କରେ ବିଶ୍ବ କମ୍ ଜାଣିଛି। ତେଣୁ ଏଭଳି ମହାମାରୀର ମୁକାବିଲା ପାଇଁ ସରକାରକୁ ଆଉଟ୍‌ ଅଫ ଦି ବକ୍ସ ଯାଇ ମୁକାବିଲା କରିବାକୁ ପଡ଼ିଥାଏ। ତେବେ ଏହି ସମୟରେ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ‌ଜାଣିବା ଲାଗି ଲୋକଙ୍କ ଅଧିକାର ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଣା ଯାଇଥିବା ମାସ୍କ ଓ ଅନ୍ୟ କୋଭିଡ୍‌ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ତେଣୁ ପ୍ରକୃତ ଘଟଣା ସଂପର୍କରେ ଜାଣିବା ଲାଗି ଭିଜିଲାନ୍‌ସ ତଦନ୍ତର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ଧାରା ୨୦(୧)ରେ ଏହି ନିର୍ଦେଶ ଦିଆଯାଇଥିବା ଲୋକାୟୁକ୍ତ କହିଛନ୍ତି।

ମାସ୍କ, ପିପିଇ କିଟ୍‌, କୋଭିଡ୍‌ ପରୀକ୍ଷା କିଟ୍‌, ନେବୁଲାଇଜର ଇତ୍ୟାଦି ଜିନିଷପତ୍ର କିଣାରେ ଚଞ୍ଚକତା, ଅହେତୁକ ପକ୍ଷପାତିତା ଓ ନୀତି ନିୟମକୁ ଭଙ୍ଗ କରାଯାଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ଔଷଧ ନିଗମ ଗତ ଏପ୍ରିଲ ୧୫ତାରିଖରେ ଗୋଟିଏ କମ୍ପାନିରୁ ୫ଲକ୍ଷ ମାସ୍କ ୧୦ଟଙ୍କାରେ କିଣି ଥିବା ବେଳେ ‌ଏପ୍ରିଲ ୧୭ତାରିଖରେ ସେହି ମାସ୍କକୁ ତାମିଲନାଡ଼ୁର ଏକ ଘରୋଇ କମ୍ପାନିରୁ ୧୬ଟଙ୍କାରେ କିଣିଥିଲେ। ଯେଉଁ ସମୟରେ ରାଜ୍ୟ ସରକାର ୧୬ ଟଙ୍କାରେ ସେହି କମ୍ପାନିରୁ ମାସ୍କ କିଣିଥିଲେ। ଅନ୍ୟପକ୍ଷରେ ସେହି ସମୟରେ ଦିଲ୍ଲୀ, ପୁଡୁଚେରୀ, ଆଣ୍ଡାମାନ, ତେଲେଙ୍ଗାନା, ଗୁଜୁରାଟ ଇତ୍ୟାଦି ରାଜ୍ୟ ୧.୩୪ ଟଙ୍କାରୁ ଆରମ୍ଭ କରି ୮.୪୭ ଟଙ୍କା ପର୍ଯ୍ୟନ୍ତ ଦରରେ କିଣିଥିଲେ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ରାଜ୍ୟର ଅଧିକାରୀମାନେ କଦର୍ଥ କରି ନିଜକୁ ସୁହାଇବା ଭଳି ବ୍ୟାଖ୍ୟା କରି ନିର୍ଦ୍ଦିଷ୍ଟ କମ୍ପାନିକୁ ୱାର୍କ ଅର୍ଡର ଦେଇଥିଲେ। ଏଥିରେ ସରକାରଙ୍କ ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ସେହିପରି ଆର୍ଟିଫିସିଆଲ ମେସିନ୍ ଓ ଟେଷ୍ଟିଂ କିଟ୍ କିଣାରେ ବ୍ୟାପକ ଅନିୟମିତା ହୋଇଛି। ପିପିଇ କିଟ୍‌ କିଣା କ୍ଷେତ୍ରରେ ହାଇଦ୍ରାବାଦର ଏକ ଚଷମା ଦୋକାନୀ ଓ ଗୁରଗାଓଁର ଏକ ବିଲ୍‌ଡର କମ୍ପାନିଠାରୁ ପିପିଇ କିଟ କିଣାଯିବା ଓ ବିନା ଯାଞ୍ଚରେ କିଭଳି କୋଭିଡ୍‌ ଯୋଦ୍ଧାକୁ ଏହାକୁ ପିନ୍ଧିବାକୁ ଦିଆଗଲା ତାହାକୁ ନେଇ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ପ୍ରଶ୍ନ ଉଠାଇଥିଲେ।

ପୂର୍ବରୁ ଲୋକାୟୁକ୍ତ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ଲାଗି କହିଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି ଜରିଆରେ କୋଭିଡ୍‌ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କ’ଣ ଦାୟିତ୍ବ ଦିଆଯାଇଥିଲା ତାହାର ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର