ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗ: ଲୋକାୟୁକ୍ତରେ ଆରମ୍ଭ ହେଲା ଶୁଣାଣି

ଭୁବନେଶ୍ବର : ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ଆଜି ଲୋକାୟୁକ୍ତରେ ପ୍ରଥମ ଶୁଣାଣି ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଆଜି ପୂର୍ବାହ୍ନରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବି.କେ ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଆଗରେ ଶୁଣାଣି ହୋଇଥିଲା। ଆବେଦନକାରୀ ସୁଦର୍ଶନ ଦାସ ଖଣ୍ଡପୀଠ ଆଗରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ହାଜର ହୋଇ ମାସ୍କ କିଣା ସମ୍ପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ। କେମିତି ଚଢ଼ା ମୂଲ୍ୟରେ ସରକାର ମାସ୍କ କିଣିଥିଲେ ସେ ସମ୍ପର୍କରେ କହିଥିଲେ। କେବଳ ମାସ୍କ ନୁହେଁ, ଟେଷ୍ଟିଂ କିଟ୍, ରିୟଲ ଟାଇମ୍ ପିସିଆର୍, ରାପିଡ୍ ଟେଷ୍ଟିଂ ମେସିନ୍, ବାଇପାସ୍‌ ମେସିନ୍, ପିପିଇ, ନେବୁଲାଇଜର କିଣାରେ ମଧ୍ୟ ଦୁର୍ନୀତି ହୋଇଥିବା ନେଇ ଯୁକ୍ତି ବାଢ଼ିଥିଲେ ସୁଦର୍ଶନ। ଏହା ସହ ଏ ସମ୍ପର୍କିତ କିଛି ଦସ୍ତାବିଜ୍, ତଥ୍ୟ ଓ ପ୍ରମାଣ କମିସନଙ୍କ ନିକଟରେ ଦାଖଲ କରିଥିବା ସେ କହିଛନ୍ତି। ଏହି ଆଧାରରେ ଅପରପକ୍ଷଙ୍କୁ ସେମାନଙ୍କ ମତ ରଖିବା ପାଇଁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ୍ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୧୭ ତାରିଖରେ କଂଗ୍ରେସ ନେତା ସୁଦର୍ଶନ ଲୋକାୟୁକ୍ତଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର