ଭୁବନେଶ୍ୱର : ସଂପ୍ରତି କରୋନାକାଳୀନ ଲକ୍ଡାଉନ୍ ବେଳେ ଏପ୍ରିଲ୍ ୯ ତାରିଖରୁ ବାହାରକୁ ଆସୁଥିବା ସବୁ ଲୋକଙ୍କ ପାଇଁ ଓଡ଼ିଶା ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ମାର୍ଚ ମାସ ଭିତରେ ବିଭିନ୍ନ ଔଷଧ ଦୋକାନରେ ମିଳୁଥିବା ମାସ୍କ ସରିଯିବା ପରେ ଗୁରୁତର ସଂକଟ ଉପୁଜିଥିଲା। ମିଶନଶକ୍ତି ବିଭାଗ ଏହି ଅଭାବ ପୂରଣ ପାଇଁ ମହିଳା ସ୍ୱୟଂ ସହାୟକ ଦଳକୁ ଆହ୍ୱାନ କରିବା ପରେ ଏବେ ଲକ୍ଷ ଲକ୍ଷ ମାସ୍କ ତିଆରି ସମ୍ଭବ ହୋଇପାରିଛି। କିନ୍ତୁ ମୁଖ୍ୟ ସାମଗ୍ରୀ ‘ଇଲାଷ୍ଟିକ୍’ ଆଉ ମିଳୁ ନାହିଁ। ସାଧାରଣତଃ ଦୁଇ କାନରେ ଟାଣି ହୋଇ ରହୁଥିବା ମାସ୍କ ସବୁ ଦୃଷ୍ଟିରୁ ସୁବିଧାଜନକ ଓ ଉପାଦେୟ ହୋଇଥିବା ବେଳେ ଏଥିପାଇଁ ସବୁଠୁ ନମନୀୟ ପତଳା ଇଲାଷ୍ଟିକ୍ ଲୋଡା ହୋଇଥାଏ। ବିଭିନ୍ନ ଦରଜୀ ସାମଗ୍ରୀ ଦୋକାନ ଓ ହୋଲ୍ସେଲ୍ ଦୋକାନର ମହଜୁଦ ସରିଯିବା ପରେ ଏବେ କଳାବଜାରୀ ଆରମ୍ଭ ହୋଇଯାଇଛି। କଟକର ପିଠାପୁରରେ ଥିବା ଜଣେ ବଡ ହୋଲ୍ସେଲରଙ୍କ ଉପରେ ପୂର୍ବ ଓଡ଼ିଶାର କାରିଗର ଓ ଉଦ୍ୟୋଗୀମାନେ ନିର୍ଭରଶୀଳ ଥିବା ବେଳେ, ସାମଗ୍ରୀ ଅଭାବରୁ ବିନା ଇଲାଷ୍ଟିକ୍ରେ ଦୋହରା ଡୋରବାଲା ମାସ୍କ ଏବେ ବଜାରକୁ ଆସିଥିବା ଦେଖିବାକୁ ମିଳୁଛି। ଏହାକୁ ମୁଣ୍ଡ ପଛପଟେ ବାନ୍ଧିବାକୁ ହେଉଛି। ଯାହାକି ଏକ ସ୍ମାର୍ଟ ପସନ୍ଦ ନୁହେଁ। ବିଶେଷତଃ ଲକ୍ଡାଉନ୍ ଖୋଲିବା ପରେ କର୍ମନିଯୁକ୍ତ ଲୋକେ ତାହାକୁ ବାରମ୍ବାର ବାନ୍ଧିବା ଖୋଲିବା ଦ୍ୱାରା କରୋନା ପ୍ରତି ସାବଧାନତା ରକ୍ଷା ସହଜ ହେବ ନାହିଁ। ଅନୁଧ୍ୟାନରୁ ଜଣାପଡିଛି ଯେ ସେହି ଇଲାଷ୍ଟିକ୍ ଓଡ଼ିଶାରେ ଉତ୍ପାଦିତ ହେଉନଥିବା ବେଳେ ତାହା କୋଲକାତାରୁ ବରାଦ ମୁତାବକ ଆସିଥାଏ। ଓଡ଼ିଶାର ସହରାଞ୍ଚଳ ଜନସଂଖ୍ୟା ୭୦ ଲକ୍ଷ ହୋଇଥିବା ବେଳେ ସାରା ଓଡ଼ିଶାରେ ଏବେ ସୁଦ୍ଧା ମାତ୍ର ୩୦ ଲକ୍ଷ ମାସ୍କ ବ୍ୟବହାରରେ ଅଛି। ଯାହାକି କେବଳ ସହରଗୁଡ଼ିକ ପାଇଁ ନିଅଣ୍ଟ। ଅନ୍ୟୂନ ଅଢେଇ କୋଟି ଲୋକଙ୍କ ପାଇଁ ମାସ୍କ ବନେଇବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସାମର୍ଥ୍ୟ ରହିଛି। ମାତ୍ର ଇଲାଷ୍ଟିକ୍ ଅଭାବ ଏବେ ବାଧକ ସାଜିଛି। କୋଭିଡ୍-୧୯ ବିରୋଧୀ ଲଢେଇରେ ଇଲାଷ୍ଟିକ୍ ଅଭାବ ପୂରଣ ପାଇଁ ଯୋଗାଣ ବିଭାଗ ନିଜର ଯୋଗାଣ ଜଂଜିର ଜରିଆରେ ସହଯୋଗ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଗଲେ, ଏପ୍ରିଲ୍ ୨୦ ତାରିଖ ସୁଦ୍ଧା ପ୍ରାୟ ୧ କୋଟି ଲୋକଙ୍କ ପାଇଁ ଉନ୍ନତ ମାନର ମାସ୍କ ପ୍ରସ୍ତୁତ ହୋଇଯାଇଥିବ। ତେବେ କେତେକ ସଂସ୍ଥା ପଲିଷ୍ଟର, ଟେରିଲିନ୍, ଟେରିକଟ୍, ରେୟନ କପଡ଼ା ବ୍ୟବହାର କରୁଥିବାରୁ ଏବେର ଗ୍ରୀଷ୍ମଋତୁରେ ତାହା ମୁହଁ ପାଇଁ ଅସ୍ୱାସ୍ଥ୍ୟକର ବୋଲି ଅଭିଯୋଗ ହେଉଛି। ଏଣୁ ମାସ୍କର ମାନ ଧାର୍ଯ୍ୟ କରି ଅଥବା ପୂର୍ବରୁ ରହିଥିବା ମାନ ଉପରେ ପ୍ରଶାସନ ସ୍ପଷ୍ଟ ନିର୍ଦେଶନାମା ଜାରିକରିବା ଆବଶ୍ୟକ ହୋଇପଡ଼ିଛି।
ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ହେଲେ ତିଆରି ପାଇଁ ସାମଗ୍ରୀ ଅଭାବ
/sambad/media/post_attachments/wp-content/uploads/2020/03/mask.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)