ଲକ୍ଡାଉନ୍, ସଟ୍ଡାଉନ୍ ବି ସହାୟକ ହୋଇଛି
ଶ୍ବାସଜନିତ ରୋଗରେ ପ୍ରତିବର୍ଷ ମରିଥାନ୍ତି ୩ ହଜାରରୁ ଅଧିକ
କରୋନା ସଂକ୍ରମଣ ହ୍ରାସ ପରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ: ବିଶେଷଜ୍ଞ
ଭୁବନେଶ୍ୱର : କରୋନା ମହାମାରୀକୁ ରୋକିବାରେ ଏକ ପ୍ରମୁଖ ଅସ୍ତ୍ର ପାଲଟିଛି ମାସ୍କ। ସାର୍ସ କୋଭ-୨ ବା କୋଭିଡ୍-୧୯ ପାଇଁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଚିକିତ୍ସା ନ ଥିବାରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଲାଗି ପ୍ରୋତ୍ସାହିତ କରୁଛନ୍ତି। ଏପରିକି ମାସ୍କ ନ ପିନ୍ଧିଲେ ଜରିମାନା ମଧ୍ୟ ଆଦାୟ କରାଯାଉଛି। ତେବେ ମାସ୍କ କେବଳ କରୋନା ଭୂତାଣକୁ ରୋକିବାରେ ନୁହେଁ, ବର୍ଷବ୍ୟାପୀ ଦେଖା ଯାଉଥିବା ଶ୍ବାସଜନିତ ରୋଗ (ୟୁଆରଆଇ) ହ୍ରାସ କରିବାରେ ମଧ୍ୟ ସଫଳ ହେଉଥିବା ବିଶେଷଜ୍ଞମାନେ ଦାବି କରୁଛନ୍ତି। ରାଜ୍ୟରେ ଗତ ୭/୮ମାସ ମଧ୍ୟରେ ଶ୍ବାସଜନିତ ରୋଗୀଙ୍କ ସଂଖ୍ୟାରେ ୬୦ ପ୍ରତିଶତ ପର୍ଯନ୍ତ ହ୍ରାସ ଦେଖିବାକୁ ମିଳିଛି। ତେଣୁ କରୋନା ମହାମାରୀ ହ୍ରାସ ପରେ ମଧ୍ୟ ମାସ୍କ ପିନ୍ଧିବା ଜାରି ରଖିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ପ୍ରତିବର୍ଷ ଶ୍ବାସଜନିତ ରୋଗରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ଧୂଳି, ପ୍ରଦୂଷଣ। ରାଜଧାନୀରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଧୂଳି ଉଡ଼ୁଛି। ଅନେକ ସମୟରେ ରାଜଧାନୀରେ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚି ଯାଉଛି। ହେଲେ ଚଳିତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ମାସ ମାସ ଧରି ଲକ୍ଡାଉନ୍, ସଟ୍ଡାଉନ୍ ଜାରି ରହିଥିଲା। ଲୋକମାନେ ଘରେ ରହିବା ଲାଗି ବାଧ୍ୟ ହୋଇଥିଲେ। ଏହାସହ ମାସ୍କ ପିନ୍ଧିବା ଲାଗି ଲୋକମାନେ ଏକପ୍ରକାର ବାଧ୍ୟ ହୋଇଥିଲେ। ତାହାର ସୁଫଳ ଏବେ ଲୋକମାନେ ପାଇବାକୁ ଆରମ୍ଭ କରିଛନ୍ତି। ଶ୍ବାସନାଳୀଜନିତ ରୋଗରେ ଯଥେଷ୍ଟ ହ୍ରାସ ପାଇଥିବା ନଜରକୁ ଆସିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲ ଓପିଡିରେ ଶ୍ବାସନାଳୀ ଜନିତ ରୋଗୀଙ୍କ ବିଶେଷ ଗହଳି ଦେଖିବାକୁ ମିଳନୁାହିଁ। ତେବେ ଲୋକମାନେ ଯେଉଁଭଳି କଦର୍ଯ୍ୟ ଢଙ୍ଗରେ ମାସ୍କ ପିନ୍ଧୁଛନ୍ତି ତାହା ଉଭୟ କରୋନା ଓ ଶ୍ବାସନାଳୀ ଜନିତ ରୋଗ ପାଇଁ ଫଳପ୍ରଦ ହେବାର ସମ୍ଭାବନା କମ୍।
/sambad/media/post_attachments/wp-content/uploads/2020/12/mask-2a.jpg)
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ପରେ ଲୋକମାନେ ଅଧିକ ସତର୍କ ହେବା ଆରମ୍ଭ କରିଥିଲେ। ଗତବର୍ଷ ଓ ଚଳିତବର୍ଷ ୟୁଆରଆଇ ରୋଗୀଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଦେଖିବାକୁ ମିଳିଛି। ଗତବର୍ଷ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ରାଜ୍ୟରେ ୧ଲକ୍ଷ ୩୧ହଜାର ୩୧ଜଣ ରୋଗୀଙ୍କ ଚିକିତ୍ସା ହୋଇଥିବା ବେଳେ ଚଳିତବର୍ଷ ପ୍ରାୟତଃ ସମାନ ରହିଥିଲା। ଏହି ସମୟରେ ୧ଲକ୍ଷ ୨୪ହଜାର ୫୮ଜଣଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ପରେ ୟୁଆରଆଇ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା। ସେପ୍ଟେମ୍ବର ମାସ ଶେଷ ସପ୍ତାହ ବେଳକୁ ଗତବର୍ଷ ରାଜ୍ୟରେ ୧ଲକ୍ଷ ୧୯ହଜାର ୫୯୮ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଚଳିତବର୍ଷ ଏହା ହ୍ରାସ ପାଇ ୧୩,୬୫୫ରେ ପହଞ୍ଚିଛି। ଗତବର୍ଷ ଏପ୍ରିଲ-ସେପ୍ଟେମ୍ବର ମାସ ମଧ୍ୟରେ ସମୁଦାୟ ୨୬ଲକ୍ଷ ୫୮ହଜାର ୪୩୧ଜଣଙ୍କ ଚିକିତ୍ସା ହୋଇଥିବା ବେଳେ ଚଳିତବର୍ଷ ଏହା ୧୦ଲକ୍ଷ ୭୨ହଜାର ୨୧୧ ରହିଛି। ୨୦୧୮ ମସିହାରେ ରାଜ୍ୟରେ ୟୁଆରଆଇରେ ୪୫୬୦, ୨୦୧୯ରେ ୩୪୮୩ ଲୋକଙ୍କର ମୃତ୍ୟୁ ହୋଇଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ୟୁଆରଆଇରେ ପ୍ରାୟତଃ ୫୦ ପ୍ରକାରର ରୋଗ ରହିଛି। ଏଥିରେ ବ୍ରୋଙ୍କାଇଟିସ୍, ବ୍ରୋଙ୍କାଲାଇଟିସ୍, ନିମୋନିଆ, ଧୂଳିକଣା ଜନିତ ରୋଗ, ଏସ୍ଏଆରଆଇ ଓ ଆଇଏଲଆଇ ଭଳି ରୋଗ ରହିଛି। ପରିବେଶରେ ଥିବା ଧୂଳିକଣା ଓ ପ୍ରଦୂଷଣ ଯୋଗୁଁ ଏଭଳି ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥାଏ। ଚଳିତବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁଁ ଗାଡ଼ି ଚଳାଚଳ ହ୍ରାସ ପାଇଥିଲା। ଲୋକମାନେ ଘରେ ରହିଥିଲେ, ନିୟମିତ ହାତ ଧୋଇବା ଓ ମାସ୍କ ପିନ୍ଧିବା ଫଳରେ ଏସବୁ ରୋଗୀଙ୍କ ସଂଖ୍ୟାରେ ହ୍ରାସ ହୋଇଛି। ମାସ୍କ ଯୋଗୁଁ ବାୟୁମଣ୍ଡଳରେ ଥିବା ଧୂଳିକଣାରୁ ଲୋକମାନେ ରକ୍ଷା ପାଇଛନ୍ତି। ତେଣୁ ଲୋକମାନେ ମାସ୍କ ପିନ୍ଧିବା ଜାରି ରଖିବା ଜରୁରୀ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲର ଛାତିରୋଗ ବିଶେଷଜ୍ଞ ଡା.ସୁଦାମ ସାହୁଙ୍କ କହିବା କଥା, ଚଳିତବର୍ଷ ହସ୍ପିଟାଲ ଓପିଡିରେ ଶ୍ବାସଜନିତ ରୋଗୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ହୋଇଛି। ନିମୋନିଆ, ଯକ୍ଷ୍ମା, ସିଓପିଡି ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଶୀତଦିନ ଆରମ୍ଭରୁ ଏଭଳି ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବଢ଼ି ଯାଇଥାଏ। ହେଲେ ଚଳିତବର୍ଷ ସେଭଳି ବୃଦ୍ଧି ହୋଇନାହିଁ। ଲକ୍ଡାଉନ୍, ସଟ୍ଡାଉନ୍ ବାଦ ମାସ୍କ ହିଁ, ଶ୍ବାସନାଳୀ ଜନିତ ରୋଗ ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମାସ୍କ ଉଭୟ ଭୂତାଣୁ ଓ ବାହାରର ବ୍ୟାକ୍ଟେରିଆ ରୋକିବାରେ ମଧ୍ୟ ସହାୟକ ହୋଇଥାଏ। ଏପରିକି ଏନ୍-୯୫ ମାସ୍କ ଦେଇ ଯକ୍ଷ୍ମା ଭୂତାଣୁ ମଧ୍ୟ ନାକରେ ପ୍ରବେଶ କରିପାରେ ନାହିଁ। ମାତ୍ର ଲୋକମାନେ ଠିକ୍ରେ ମାସ୍କ ପିନ୍ଧୁ ନାହାନ୍ତି। ମୁହଁ ଘୋଡ଼ାଉଥିଲେ ହେଁ, ନାକ ତଳକୁ ମାସ୍କ ପିନ୍ଧୁଛନ୍ତି। ଏଭଳି ମାସ୍କ ପିନ୍ଧିବାର କୌଣସି ଯଥାର୍ଥତା ନାହିଁ। ମଣିଷ ଫୁସଫୁସ୍ ଭଲ ରହିଲେ ଶରୀର ଭଲ ରହିଥାଏ ବୋଲି ଡା.ସାହୁ କହିଛନ୍ତି।
ପରିବେଶବିତ୍ ବିଜୟ ମିଶ୍ରଙ୍କ କହିଛନ୍ତି, ଚଳିତବର୍ଷ ଲକ୍ଡାଉନ୍, ସଟ୍ଡାଇନ୍ ପାଇଁ ଜୁନ୍-ଜୁଲାଇ ପର୍ଯ୍ୟନ୍ତ ଗାଡ଼ି ଚଳାଚଳରେ ନିୟନ୍ତ୍ରଣ ରହିଥିଲା। ଭିତ୍ତିଭୂମିର ବିକାଶ କାର୍ଯ୍ୟ ବନ୍ଦ ହେବା ଯୋଗୁଁ ବାୟୁମଣ୍ଡଳରେ ପ୍ରଦୂଷଣ ଆଶାତୀତ ଭାବେ ହ୍ରାସ ପାଇଥିଲା। ପରେ ଧୀରେ ଧୀରେ ଲୋକମାନେ ବାହାରକୁ ଆସିଛନ୍ତି। ଏହାସତ୍ବେ ମଧ୍ୟ ଗତବର୍ଷ ଏହି ସମୟ ତୁଳନାରେ ଚଳିତବର୍ଷ ପ୍ରଦୂଷଣ ମାତ୍ରା କମ୍ ରହିଛି। ଦୀପାବଳୀ ବାଣ ଫୁଟିନାହିଁ, ନିଜକୁ ସଫାସୁତରା ରଖିବା ଯୋଗୁଁ ଶ୍ବାସନାଳୀଜନିତ ରୋଗ ହ୍ରାସ କରିବାରେ ସହାୟକ ହୋଇଛି। ତେଣୁ ଆଗାମୀ ଦିନରେ ପ୍ରଦୂଷଣ କମାଇବା ଓ ନିଜକୁ ସଫା ରଖିବା ଉପରେ ପରିବେଶ ଆମକୁ ଶିକ୍ଷା ଦେଇଛି ଶ୍ରୀ ମିଶ୍ର କହିଛନ୍ତି।