ସମ୍ବଲପୁର: ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଶନିବାର ଅନୁଷ୍ଠିତ ହୋଇଛି। ସିନ୍ଦୂରବର୍ଣ୍ଣା ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିବା ପାଇଁ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କ ଧାଡ଼ି ଲାଗିଥିଲା। ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଇଥାଏ। ଗଙ୍ଗାଦର୍ଶନ ବେଶରେ ମା’ ସମେଲଶ୍ବରୀଙ୍କୁ ଦର୍ଶନ କଲେ ପୁଣ୍ୟଲାଭ ବିଶ୍ବାସ ରହିଛି। ଭକ୍ତମାନଙ୍କ ଦର୍ଶନ ପାଇଁ ସକାଳ ୬ଟାରେ ସମଲେଶ୍ବରୀଙ୍କ ମନ୍ଦିର ଖୋଲାଯାଇଥିଲା। ତେବେ ଏହାର ବହୁ ପୂର୍ବରୁ ମନ୍ଦିର ପରିସରରେ ଭକ୍ତମାନଙ୍କ ଧାଡ଼ି ଆରମ୍ଭ ହୋଇଯାଇଥିଲା। ଅନ୍ନଭୋଗ ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ଯାଏ ବନ୍ଦ ରହିଥିଲା। ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ୭ଟା ୪୫ରୁ ରାତି ୮ଟା ୧୫ ଯାଏ ଏବଂ ରାତ୍ର ଅନ୍ନଭୋଗ ପାଇଁ ୮ଟା ୫୦ରୁ ସାଢ଼େ ୯ଟା ଯାଏ ଦର୍ଶନ ବନ୍ଦ ରହିଥିଲା। ମହାଳୟା ଅବସରରେ ପ୍ରବଳ ଭିଡ଼ ହେଉଥିବାରୁ ଭକ୍ତମାନଙ୍କୁ ମନ୍ଦିରକୁ ଭୋଗ, ଦୀପ, ଧୂପ ଆଦି କୌଣସି ପୂଜା ସାମଗ୍ରୀ ନେବା ଉପରେ ଆଜି କେବଳ ଗୋଟିଏ ଦିନ ପାଇଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବାରଣ କରାଯାଇଥିଲା। ଆସନ୍ତାକାଲି ମଧ୍ୟ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।