ରାଜଧାନୀରେ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ; ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା ଦୃଷ୍ଟିକୁ ଆସି ନ ଥିବା କହିଲେ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାର ପଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜଧାନୀର କେତେକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି।

ବଲାଙ୍ଗୀର ସମେତ ରାଜ୍ୟର କେତେକ ଜିଲ୍ଲାରେ ଆଜିର ପରୀକ୍ଷା ପ୍ରଶ୍ନପତ୍ର (ମାତୃଭାଷା) ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ପ୍ରସଙ୍ଗ ତାଙ୍କ ଦୃଷ୍ଟିକୁ ଆସି ନ ଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି। ଯଦି ସେ ଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ପୂର୍ବାହ୍ନ ପ୍ରାୟ ୧୧:୩୦ ବେଳେ ମନ୍ତ୍ରୀ ଶ୍ରୀ ଦାସ ସ୍ଥାନୀୟ ୟୁନିଭର୍ସିଟି ହାଇସ୍କୁଲ୍‌ରେ ହୋଇଥିବା ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ସେ ପରୀକ୍ଷା କେନ୍ଦ୍ର ବୁଲିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଦାଶ କ୍ୟାପିଟାଲ୍‌ ହାଇସ୍କୁଲ୍‌ରେ ହୋଇଥିବା ପରୀକ୍ଷା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ।

ରାଜ୍ୟର ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୫ ଲକ୍ଷ ୬୦ ହଜାର ୯୦୫ଜଣ ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେଉଥିବା କଥା ଜଣାପଡ଼ିଛି।

ସମ୍ବନ୍ଧିତ ଖବର