ରାଉରକେଲା: ସାମୂହିକ ବିବାହ କରାଇ କାମରେ ଖଟାଇବାକୁ ଯୋଜନା ଚାଲିଥିଲା। ବିବାହ ପୂର୍ବରୁ ୫ ଜଣ ଯୁବତୀ ବିନା ପାରିଶ୍ରମିକରେ କିଛି ଦିନ କାମ ବି କରିଥିଲେ। ତେବେ ଯୁବତୀମାନେ ଏଭଳି କାମ କରିବାକୁ ମନା କରିବା ସହ ନିଜର ପ୍ରାପ୍ୟ ମାଗିବାରୁ ନିର୍ଯାତନାର ଶିକାର ହୋଇଛନ୍ତି। ଏ ନେଇ ସେକ୍ଟର-୧୫ ଥାନାରେ ପୀଡ଼ିତା ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ଜଣେ ଡିଏସ୍‌ପି ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣାରେ ରବିବାର ଲାୟନ୍ସ କ୍ଲବ୍‌ ଅଫ୍‌ ରାଉରକେଲା ବେଦବ୍ୟାସର ସଦସ୍ୟା ରିତୁ ଅଗ୍ରୱାଲଙ୍କୁ ପଚରାଉଚରା କରାଯାଇଛି। ଅଭିଯୋଗ ଅନୁସାରେ, ‌ଗତ ମେ’ ମାସରେ ସେକ୍ଟର-୧୮ର ଏକ ବସ୍ତିର ୫ ଜଣ ଯୁବତୀ ଲାୟନ୍ସ କ୍ଲବ୍‌ ଅଫ୍‌ ରାଉରକେଲା ବେଦବ୍ୟାସ ଦ୍ବାରା ସାମୂହିକ ବିବାହ ଆୟୋଜନ କରାଯାଉଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେମାନେ ଲାୟନ୍ସ କ୍ଲବ୍‌ର ସଦସ୍ୟା ଉଦିତନଗର ନିବାସୀ ରିତୁ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିଥିଲେ। ପରେ ତାଙ୍କ କାର୍ଯ୍ୟାଳୟକୁ ଯାଇ ବିବାହ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଶ୍ରୀମତୀ ଅଗ୍ରୱାଲ ଜୁନ୍‌ ୮ ତାରିଖରେ ସାମୂହିକ ବିବାହ ଆୟୋଜନ କରାଯାଉଥିବା ନେଇ ସେମାନଙ୍କୁ କହିଥିଲେ। ତେବେ ବିବାହ ପରେ ୨ ବର୍ଷ ପାଇଁ ଘରେ ଓ କାର୍ଯ୍ୟାଳୟରେ କାମ କରିବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ଏମିତିକି ୫ ଜଣ ଯୁବତୀଙ୍କଠାରୁ ଲିଖିତ ଚୁକ୍ତିନାମା କରିନେଇଥିଲେ। ବିବାହ ପୂର୍ବରୁ ୧୫ ଦିନ ଲେଖାଏଁ ସମସ୍ତଙ୍କୁ ଘର ଓ ଅଫିସ୍‌ କାମରେ ନିୟୋଜିତ କରିଥିଲେ। ଗତ ୮ ତାରିଖରେ ରୀତିନୀତି ଅନୁଯାୟୀ ବେଦବ୍ୟାସ ଗୁରୁକୁଳ ଆଶ୍ରମରେ ଯୁବତୀମାନଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଯୁବତୀମାନେ ୧୫ ଦିନର ବକେୟା ପ୍ରାପ୍ୟ ମାଗିବାରୁ ସେମାନଙ୍କୁ ଧମକଚମକ ଦିଆଯାଇଥିଲା। ଶ୍ରୀମତୀ ଅଗ୍ରୱାଲ କୁଆଡ଼େ ଜାତିଆଣ ମନ୍ତବ୍ୟ ଦେବାକୁ ପଛାଇନଥିଲେ। ଏଣୁ ପୀଡ଼ିତାମା‌ନେ ଶନିବାର ସନ୍ଧ୍ୟାରେ ସେକ୍ଟର-୧୫ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା (ଦଫା-୩୧୮(୨)/୧୪୬/୩୫୧(୨)/୩(୫) ବିଏନ୍‌ଏସ୍‌) ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଉପରେ ତଦନ୍ତ ଜାରି ରହିଥିବା ଡିଏସ୍‌ପି ଯୋଗେଶ୍ବର ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ‌ଲାୟନ୍ସ କ୍ଲବ୍‌ ଅଫ୍‌ ରାଉରକେଲା ବେଦବ୍ୟାସର ସଭାପତି ରୂପେଶ ଅଗ୍ରୱାଲ କହିଛନ୍ତି, ଭୁଲ୍‌ ବୁଝାମଣାରୁ ଏମିତି ସମସ୍ୟା ଉପୁଜିଛି।