ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ବେରୁଆଁବାରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଧୁଲିପୁର ଗ୍ରାମରେ ଏମିତି କିଛି ଅଭାବନୀୟ ଘଟଣା ଘଟିଛି , ଯାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଧାର୍‌ ଟଙ୍କା ଶୁଝି ନପାରି ସଂଘବଦ୍ଧ ଭାବେ ବୃଦ୍ଧାଙ୍କୁ ପିଟି ପିଟି ମାରିଦେବା ଭଳି ଏକ ଲୋମଟାଙ୍କୁରା ଘଟିଛି।

Advertisment

ସୂଚନା ମୁତାବକ, ବଧୁଲିପୁର ଗ୍ରାମର ଅର୍ଜୁନ ବେହେରାଙ୍କ ସ୍ତ୍ରୀ ତିଳୋତ୍ତମା ବେହେରା ସେହି ଗ୍ରାମର ଝୁନି ବେହେରାଙ୍କୁ ୧୦୦୦ ଟଙ୍କା ଧାର୍‌ ଦେଇଥିଲେ ଏବଂ କିଛିଦିନ ପରେ ତାହା ଶୁଝି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଦିନ ପରେ ଦିନ ବିତି ଯାଇଥିଲେ ସୁଦ୍ଧା ଟଙ୍କା ଫେରେଇବାର ନାଁ ଧରି ନଥିଲେ। ତିଳୋତ୍ତମାଙ୍କ ଘରେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଝୁନିଙ୍କୁ କରଜ ଟଙ୍କା ମାଗିଥିଲେ। କିନ୍ତୁ ଦୁଃଖର ବିଷୟ ଟଙ୍କା ଦେବା ତ ଦୂରର କଥା, ଟଙ୍କା ମାଗିବାରୁ ଅଶ୍ଳୀଳ ଗାଳିଗୁଳଜ କରିଥିବା ତିଳୋତ୍ତମାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଗତକାଲି ସକାଳ ୭ ଘଟିକା ସମୟରେ ତିଳୋତ୍ତମା ନିଜ ଘର ବାରଣ୍ତାରେ ବସି ଚୋପା ପାଛୁଡ଼ୁଥିଲେ। ସ୍ବାମୀ ଅର୍ଜୁନ କୌଣସି କାମରେ ବାହାରକୁ ଯାଇଥିଲେ ଘରେ ନଥିବା ଜାଣିପାରି ଧାର ଟଙ୍କା ନେଇଥିବା ଝୁନି ବେହେରା ଓ ଦୁଇ ଝିଅ ସନ୍ତୋଷୀ ବେହେରା, ଲିପି ବେହେରା ମିଶି ସଂଘବଦ୍ଧ ଭାବରେ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଧାର୍‌ ଟଙ୍କା ନ ଫେରାଇବାରୁ ଗାଁ ଦାଣ୍ତରେ ଚିଲ୍ଲାଇ କହିଥିବା ତିଲୋତ୍ତମାଙ୍କ ସ୍ବାମୀ ବାହାଡ଼ାଝୋଲା ଫାଣ୍ତିରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଗାଁ ମଝିରେ ବାଡ଼େଇ ବାଡ଼େଇ ମାରିଦେବା ଘଟଣାକୁ ଚାପିଦେବାକୁ ଉଦ୍ୟମ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପୁଲିସ ଖବର ଲେଖାହେବା ଭିତରେ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।