ପୁରୀ ବେଳାଭୂମି ପ୍ରତି ବିମୁଖ ଅଲିଭ୍‌ ରିଡ୍‌ଲେ : ସମୟ ଗଡ଼ିଲା, ଅଣ୍ଡାଦାନ କଲେନି

ପୁରୀ : ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରକୃତିର ଏକ ବିରଳ ସୃଷ୍ଟି। ହୃଦୟ ଆକାରର ଏହି କଇଁଛ ପୁରୀ ବେଳାଭୂମିରେ ଦେଖାଦେବା ନିଶ୍ଚିତ ଭାବେ ଏକ ବିରଳ ସଂଯୋଗ। କିନ୍ତୁ ଏମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ପରିଣାମ ସ୍ବରୂପ ଯେଉଁ ସମୟରେ ଏମାନେ ପୁରୀ ବେଳାଭୂମିରେ ଆସି ଅଣ୍ଡାଦାନ କରିବା କଥା ସେ ସମୟରେ ଏମାନଙ୍କ ମୃତଦେହ ଆସି କୂଳରେ ଲାଗୁଛି। ଏ ଭିତରେ ଅଣ୍ଡାଦାନ ସମୟ ବି ଗଡ଼ିବାକୁ ବସିଲାଣି। କିନ୍ତୁ ଯେଉଁ ସଂଖ୍ୟାରେ ଏମାନେ ଦୃଶ୍ୟମାନ ହେବା କଥା ଓ ଅଣ୍ଡାଦାନ କରିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇନି। ବନ ବିଭାଗ ଏଥିପାଇଁ ପ୍ରତିକୂଳ ପରିବେଶକୁ ଦାୟୀ କରୁଥିବା ବେଳେ ବନ୍ୟପ୍ରାଣୀ ପ୍ରେମୀ ଏଥିପାଇଁ ବନ ବିଭାଗର ଅହେତୁକ ଅବହେଳାକୁ ଦାୟୀ କରିଛନ୍ତି। ସେପଟେ ଅଣ୍ଡାଦାନ ସଂପର୍କରେ ବନ ବିଭାଗର ଅଧିକାରୀମାନେ ତଥ୍ୟ ଲୁଚାଇବା ଏହି ଘଟଣାକୁ ଆହୁରି ସନ୍ଦେହ ଭିତରକୁ ଟାଣି ନେଇଛି। ଅଣ୍ଡାଦାନ ନାଁରେ ଏମାନେ ସରକାରଙ୍କୁ ଭୂତାଉଥିବା ସାଧାରଣରେ ଅଭିଯୋଗ ହୋଇଛି।

ସମୁଦ୍ର ମଝିରେ ମିଳନ ପର୍ବ ପରେ ଡିସେମ୍ବରରୁ ମାର୍ଚ୍ଚ ଭିତରେ ଏମାନେ ବେଳାଭୂମି ଅଭିମୁଖେ ଯାତ୍ରା କରିବା ସହ ଅଣ୍ଡାଦାନ ପର୍ବ ଆରମ୍ଭ କରିଥା’ନ୍ତି। ବିଶେଷକରି, ଫେବ୍ରୁଆରିରୁ ମାର୍ଚ୍ଚ ଭିତରେ ଏମାନେ ଗଣ ଅଣ୍ଡାଦାନ କରିଥାନ୍ତି। ପ୍ରତିବର୍ଷ ଏମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବସା ସାଙ୍ଗକୁ ସୁରକ୍ଷା ଶିବିର(କୁଡ଼ିଆ ଘର) ଖୋଲାଯାଇଥାଏ। ସ୍ବତନ୍ତ୍ର ଅଧିକାରୀ ଓ କର୍ମଚାରୀମାନେ ଏହାର ତତ୍ତ୍ବାବଧାନ କରିଥାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଦେବୀ ମୁହାଣ ସହ ଅନ୍ୟାନ୍ୟ ସ୍ଥାନରେ ୧୦ରୁ ଅଧିକ ସୁରକ୍ଷା ଶିବିର ଖୋଲାଯାଇଛି। କଇଁଛଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଅଣ୍ଡା ଫୁଟି ଛୁଆ ସମୁଦ୍ର ଭିତରକୁ ସୁରକ୍ଷିତ ଯିବା ପର୍ଯ୍ୟନ୍ତ ବନ ବିଭାଗ ସହ ମତ୍ସ୍ୟ ସଂପଦ ବିଭାଗ, ତଟରକ୍ଷୀ, ମେରାଇନ୍ ପୁଲିସ ଏହାର ତତ୍ତ୍ବାବଧାନ ଦାୟିତ୍ବ ମୁଣ୍ଡାଇଛନ୍ତି। ନଭେମ୍ବର ୧ରୁ ମେ’ ୩୦ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଜଟାଧାରୀଠାରୁ ଦେବୀମୁହାଣ, ‌କେଳୁଣି ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଦେବୀ ମୁହାଣରେ କୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ସେହିଭଳି ପୁରୀ ବେଳାଭୂମିରେ ୫ କିଲୋମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ନିଷିଦ୍ଧ କରାଯାଇଥିବାବେଳେ ମାଛମରା ଉପରେ କଟକଣା ଲଗାଯାଇଛି। ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପୁରୀ ଜିଲ୍ଲା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ନମାଡ଼ିବା ସୁରକ୍ଷାର ଗଳିଆ ବାଟକୁ ସ୍ପଷ୍ଟ ପ୍ରମାଣିତ କରୁଛି। ସବୁଠୁ ବଡ଼ କଥା ହେଲା ଫେବ୍ରୁଆରିରୁ ମାର୍ଚ୍ଚ ଭିତରେ ଏମାନେ ଗଣ ଅଣ୍ଡାଦାନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହା ଆରମ୍ଭ ହୋଇନି। ଯେଉଁ ସଂଖ୍ୟାରେ ଏମାନେ କୂଳକୁ ଆସିବା କଥା ସେହି ସଂଖ୍ୟାରେ ଆସିନାହାନ୍ତି କି ଅଣ୍ଡାଦାନ କରିନାହାନ୍ତି।

ଏ ସଂପର୍କରେ ପୁରୀ ବନଖଣ୍ଡ ସହକାରୀ ବନ ସଂରକ୍ଷଣ ଅଧିକାରୀ ଅମରେଶନାଥ ପ୍ରଧାନ କହିଛନ୍ତି, ଏ ଭିତରେ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଗଲାଣି। କିନ୍ତୁ ଯେଉଁ ସଂଖ୍ୟାରେ ଅଣ୍ଡାଦାନ ହେବା କଥା ସେ‌ଭଳି ହୋଇନି। ଏହାର ପ୍ରମୁଖ କାରଣ ପ୍ରତିକୂଳ ପରିବେଶ। ଦକ୍ଷିଣା ପବନ ଆରମ୍ଭ ହେଲା ଏମାନେ କୂଳ ମୁହାଁ ହୋଇଥାନ୍ତି। କିନ୍ତୁ ବର୍ଷା ଓ ଅନ୍ୟାନ୍ୟ ଅନୁକୂଳ ପରିବେଶ ଏମାନଙ୍କ ବାଟ ଓଗାଳିଛି। କିନ୍ତୁ ଅଣ୍ଡାଦାନ ସଂଖ୍ୟା ସଂପର୍କରେ ସେ କିଛି କହିପାରି ନାହାନ୍ତି। ଏ ସଂପର୍କରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ହିମନ ନାୟକ କହିଛନ୍ତି, ଏ ଭିତରେ ଅସ୍ତରଙ୍ଗ ବେଳାଭୂମିରେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଗଲାଣି। କିନ୍ତୁ କେତେ ସଂଖ୍ୟାରେ ଅଣ୍ଡାଦାନ କରିଛନ୍ତି, ସେ ସଂପର୍କରେ କିଛି କହି ପାରିବେନି ବୋଲି ସେ କହିଛନ୍ତି। ଦୁଇ ଦୁଇଜଣ ବରିଷ୍ଠ ଅଧିକାରୀ କେତେ କଇଁଛ ଅଣ୍ଡାଦାନ କରିଛନ୍ତି, କେତେ ପରିମାଣର ଅଣ୍ଡାଦାନ କରିଛନ୍ତି, ସେ ସଂପର୍କରେ ତଥ୍ୟ ଦେଇ ନପାରିବା, କଇଁଛ ସୁରକ୍ଷା ଦିଗରେ ଏମାନେ କେତେ ସଜାଗ ତାହା ସ୍ପଷ୍ଟ ପ୍ରମାଣିତ କରୁଛି।

ସମ୍ବନ୍ଧିତ ଖବର