ରାଜନଗର : ୧୯୭୧ ବାତ୍ୟାର ୭୫୨ ମୃତକଙ୍କ ସମୂହ ପିଣ୍ଡଦାନ
ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ ଗୁପ୍ତି ପଞ୍ଚାୟତ ଓକିଲପାଳ ଗାଁରେ ଆଜି ୧୯୭୧ ମହାବାତ୍ୟା ମୃତକଙ୍କ ପାଇଁ ସମୂହ ପିଣ୍ଡଦାନ କରାଯାଇଛି। ଗାଁର ୮୨ ପରିବାରରେ ପିଣ୍ଡଦାନ କରାଯାଇଥିବାବେଳେ ନିଃସନ୍ତାନ ୩୨ ପରିବାରର ମୃତକଙ୍କ ପାଇଁ ଗାଁର ଯୁବକମାନଙ୍କ ପକ୍ଷରୁ ସମୂହ ପିଣ୍ଡଦାନ କରାଯାଇଛି। ପିଣ୍ଡଦାନ ବେଳେ ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ମୃତ୍ୟୁକୁ ପାଖରୁ ଦେଖିଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୧, ଅକ୍ଟୋବର ୨୯। ଏହି ଦିନ ପ୍ରଳୟଙ୍କରୀ ମହାବାତ୍ୟା ରାଜନଗର ବ୍ଲକକୁ ଛାରଖାର କରି ଦେଇଥିଲା। ୧୦ ହଜ଼ାର ଲୋକ ପ୍ରାଣ ହରାଇଥିଲେ। ସାତଭାୟା ପଞ୍ଚାୟତର ୫ଟି ଗାଁ ବଙ୍ଗୋପସାଗରରେ ଲୀନ ହୋଇଯାଇଥିଲା। ଏହି ୫ ଗାଁ ମଧ୍ୟରୁ କେବଳ ଗୋବିନ୍ଦପୁର ଗ୍ରାମର ୭୫୨ ଜଣ ପ୍ରାଣ ହରାଇଥିଲେ। ଏହି ଗାଁର କେବଳ ୩୮୨ ଜଣ ଜୀବିତ ଥିଲେ। ୩୨ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଥିବାବେଳେ ଅନ୍ୟ ପରିବାରର କିଏ ବାପ, ମା’ଙ୍କୁ ହରାଇଥିଲା ତ ଆଉ କିଏ ପୁଅଝିଅକୁ ହରାଇଥିଲା। ଗୋବିନ୍ଦପୁର ଗ୍ରାମର ଜୀବିତ ୩୮୨ ଜଣ ଗୁପ୍ତି ପଞ୍ଚାୟତର ଓକିଲପାଳଠାରେ ବସବାସ କରି ଆସୁଛନ୍ତି। ସେମାନଙ୍କୁ ନେଇ ଗଢି ଉଠିଥିବା ଓକିଲପାଳରେ ଏବେ ୧୫୦୦ ଲୋକ ରହୁଛନ୍ତି।
ଆଜି ପ୍ରତ୍ୟେକ ପରିବାର ସେମାନଙ୍କ ପରିବାରର ମୃତ ସଦସ୍ୟଙ୍କ ପାଇଁ ପିଣ୍ଡଦାନ କରିଛନ୍ତି। ଯେଉଁଦିନ ବାତ୍ୟା ହୋଇଥିଲା ସେହିଦିନ ପଞ୍ଚୁକର ପ୍ରଥମ ଦିନ ଥିଲା। ଏଥିପାଇଁ ପଞ୍ଚୁକର ପ୍ରଥମ ଦିନରେ ସମୂହ ଶ୍ରାଦ୍ଧ ପାଳନ କରାଯାଉଛି। ଆଜି ବାତ୍ୟା ମୃତକଙ୍କୁ ମନେ ପକାଇବା ଦିନରେ ଆଉ ଏକ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ଓକିଲପାଳବାସୀ ଆତଙ୍କିତ ହୋଇପଡିଛନ୍ତି। ବିଶେଷ କରି ୧୯୭୧ ପ୍ରଳୟଙ୍କରୀ ମହାବାତ୍ୟାକୁ ନିଜ ଆଖିରେ ଦେଖିଥିବା ଓ ପରିବାର ସଦସ୍ୟଙ୍କ ମୃତ୍ୟୁକୁ ଆଖିରେ ଦେଖିଥିବା ବୃଦ୍ଧବୃଦ୍ଧା ଅଧିକ ଭୟଭୀତ ହୋଇ ପଡିଛନ୍ତି। ଓକିଲପାଳ ଗାଁର ସରସ୍ୱତୀ ଦାସ(୭୦) ବାତ୍ୟାରେ ବାପା ଓ ବଡ଼ ପୁଅକୁ ହରାଇଥିଲେ। କାଳୀ ସାମଲ ପୁଅକୁ ହରାଇଥିବା ବେଳେ ଗୌରୀଲତା ପାତ୍ର ଶ୍ବଶୂରଙ୍କୁ ହରାଇଥିଲେ। ସଚ୍ଚିଲତା ରାଉତ ବାପା, ମା’ଙ୍କୁ ହରାଇଥିବା ବେଳେ ବିଚିତ୍ର କୁମାର ଦାସ ଜେଜେବାପା ଓ ବଡ଼ଭାଇଙ୍କୁ ହରାଇଥିଲେ। ‘ଆଜି ସମାନ ତିଥିରେ ପୁଣି ବାତ୍ୟା ଆସୁଛି। ଏହି ତିଥି ଆମ ପାଇଁ ଅଶୁଭ। ତେଣୁ ବାତ୍ୟା ଖବର ସହିତ ବର୍ଷା ପବନ ଆରମ୍ଭ ହୋଇଯାଇଥିବାରୁ ସମସ୍ତେ ଭୟଭୀତ ହୋଇ ପଡିଛୁ’ ବୋଲି ସେମାନେ କହିଛନ୍ତି।