ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମା ଆଖି ବୁଜିଛନ୍ତି। ସୂଚନାଯୋଗ୍ୟ ଯେ ମାଷ୍ଟରପଡ଼ାର ଅର୍ଜୁନ ସାହୁଙ୍କ ୬ ତାରିଖ ପରଲୋକ ଘଟିଥିଲା। ପରିବାରଲୋକେ ସେହି ଦିନରୁ ମାନସିକ ଅବସାଦରେ ଥିଲେ। ରବିବାର ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା(୨୩) ଏକାସାଂଗରେ ବିଷ ପିଇଥିଲେ। ସେହିଦିନ ଚିକିତ୍ସାଧୀନ ଅବସ୍ଥାରେ ବଂଶୀଧର ଏବଂ ସୁବର୍ଣ୍ଣାଙ୍କ ପରଲୋକ ଘଟିଥିଲା। ସୋମବାର କୁମୁଦିନୀ ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଏହି ଅଭାବନୀୟ ଘଟଣାରେ ସାରା ପରିବାର ଉଜୁଡ଼ି ଯାଇଛି।

Advertisment

ତେବେ ସୁବର୍ଣ୍ଣାଙ୍କ ୨ବର୍ଷର ଝିଅ ଏବେ ସଂପୂର୍ଣ୍ଣ ଅସହାୟ। ଏବେ କୁନି ଝିଅଟି ଅର୍ଜୁନଙ୍କ ସାନ ଭାଈଙ୍କ ଘରେ ରହିଛି। ଘରର ମୁଖିଆ ଅର୍ଜୁନଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ପରିବାରଲୋକେ ମାନସିକ ଚାପରେ ରହିଥିଲେ। ସେମାନେ ପୂର୍ବରୁ ସପରିବାର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ।
ଶନିବାର ସପରିବାର ଆତ୍ମହତ୍ୟା କରିବା ଯୋଜନା ଖବର ପାଇ ପଡ଼ାର କିଛି ଲୋକ ତାଙ୍କୁ ରାତିରେ ଜଗି ରହିଥିଲେ। କିନ୍ତୁ ରବିବାର ସକାଳେ ପୁଣି ସମସ୍ତେ ବିଷ ପିଇଥିଲେ। ପରେ ଜଣକ ପରେ ଜଣେ ଆରପାରିକୁ ଚାଲି ଯାଇଛନ୍ତି। ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ କରି ପରିବାରକୁ ହସଖୁସିରେ ରଖୁଥିଲେ। ଏକମାତ୍ର ଝିଅ ସୁବର୍ଣ୍ଣାକୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ବାପାଙ୍କ ଘରେ ନିଜ ୨ବର୍ଷର ଛୋଟ ଝିଅ ସହିତ ରହି ଆସୁଥିଲେ। ତେବେ ଅର୍ଜୁନଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାଂଗି ପଡ଼ିଥିଲା। ସୂଚନାନୁସାରେ, ଅର୍ଜୁନଙ୍କ ଦୋକାନରୁ ଭଲ ରୋଜଗାର ହେଉଥିଲା। ପରିବାର ପାଇଁ କିଛି ଅଭାବ ଅନାଟନ ନ ଥିଲା। ଝିଅ ସୁବର୍ଣ୍ଣା ବାପ ଘରେ ଆସି ରହିବା ପରେ ଅର୍ଜୁନଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ପାଖପଡ଼ୋଶୀ କହୁଛନ୍ତି। ତାଙ୍କର ବି ଗତ ୬ ତାରିଖ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସାରା ପରିବାର ମାନସିକ‌ ଚାପରେ ଥାଇ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ର‌ତ୍ୟକ୍ଷଦର୍ଶୀ କହୁଛନ୍ତି।