ମହାନଦୀ ସୁରକ୍ଷା ପାଇଁ ସର୍ବଧର୍ମ ପ୍ରାର୍ଥନା

ସମ୍ବଲପୁର : ମହାନଦୀ ସୁରକ୍ଷା ପାଇଁ ବିଜେଡି ମହାସଂଗ୍ରାମ ଅଭିଯାନ ଆରମ୍ଭ ପରେ ମହାନଦୀ ସୁରକ୍ଷା ସମିତି ପକ୍ଷରୁ ସମାବେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଛତିଶଗଡ଼କୁ ସଦ୍‌ବୁଦ୍ଧି ଦେବା ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ସମ୍ବଲପୁର ମହାନଦୀ ଘାଟରେ ଆଳତି କରାଯାଇଥିଲା। ବୁଧବାର ସମିତି ତରଫରୁ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ମହାନଦୀ ତଟରେ ଥିବା ନେଲସନ ମଣ୍ଡେଲା ଛକରେ ଛତିଶଗଡ଼ର ରମଣ ସିଂ ସରକାରଙ୍କୁ ସଦ୍‌ବୁଦ୍ଧି ପ୍ରଦାନ କରିବା ଏବଂ ଓଡ଼ିଶାର ଜୀବନ ରେଖା ମହାନଦୀକୁ ବଞ୍ଚାଇବା ପାଇଁ ପ୍ରାର୍ଥନା କରିଛନ୍ତି। ପରେ ପରେ ଅନୁଷ୍ଠିତ ସର୍ବଦଳୀୟ ସମାବେଶରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ବଲାଂଗୀର, ସୋନପୁର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଆଦି ୬ଟି ଜିଲ୍ଲାରୁ ବହୁ ସଂଖ୍ୟାରେ ଲୋକ ଆସି ସାମିଲ ହୋଇଥିଲେ।

ମହନାଦୀ ସୁରକ୍ଷା ସମିତିର ସଭାପତି ଭାଗବତ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମିତିର ସଂଯୋଜକ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କହିଲେ, ମହାନଦୀ ଜଳ ସଂକଟ ଯୋଗୁଁ ଓଡ଼ିଶାର ବିକାଶ, କୃଷି ଓ ଅର୍ଥନୀତି ପ୍ରଭାବିତ ହେବ। ସିପିଆଇଏମ୍‌ ନେତା ଜନାର୍ଦ୍ଦନ ପତି, ଅଳିକିଶୋର ପଟ୍ଟନାୟକ, ତଳସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଏଆଇସିସିର ଓଡ଼ିଶା ପର୍ଯ୍ୟବେକ୍ଷକ ମସ୍ତାନ ଅଲୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ସେମାନଙ୍କର ମତ ରଖିଥିଲେ।

ସମାବେଶ ଆରମ୍ଭରେ ହରିଶଙ୍କର ପୁରୋହିତ, ଭାଗବତ ନନ୍ଦ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପରେ ଦୁକ୍ଷ୍ମନ୍ତ ଶତପଥୀ, ସତାକ୍ଷୀ ପ୍ରସାଦ ମିଶ୍ର, କମଳ ଲୋଚନ ପୁରୋହିତ, ଡମ୍ବରୁଧର ତ୍ରିପାଠୀ ଶାନ୍ତି ଯଜ୍ଞ କରିଥିଲେ। ଏହାପରେ ରାଜକିଶୋର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭାରେ ସଚିଦାନନ୍ଦ ମିଶ୍ର, ସର୍ଦ୍ଦାର ବଲବୀର ସିଂ, ମୌଲାନା ସର୍ଫଉଦ୍ଦିନ, ପାଷ୍ଟର ଏଲିମନ ପାଣି ପ୍ରମୁଖ ନିଜ ନିଜ ଧର୍ମଗ୍ରନ୍ଥ ପାଠ କରିବା ସହ ଛତିଶଗଡ଼ ସରକାରଙ୍କୁ ସଦବୁଦ୍ଧି ଦେବା ପାଇଁ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର