ପଦ୍ମପୁର : ଚିଟ୍‌ଫଣ୍ତ କମ୍ପାନି ଗୁଡ଼ିକର ଜାଲରେ ସରଳ, ନିରୀହ ଲୋକ ଛନ୍ଦି ହୋଇ ସର୍ବସ୍ବାନ୍ତ ହୋଇଛନ୍ତି। ଜନ ସାଧାରଣଙ୍କୁ ପ୍ରଲୋଭନ ଦେଖାଇ କମ୍ପାନି ଗୁଡ଼ିକ ଟଙ୍କା ଠକି ନେଇଛନ୍ତି। ଜମାକାରୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଜମାକାରୀ ପ୍ରତାରିତ ହୋଇଛନ୍ତି। ସଂପୃକ୍ତ ସଂସ୍ଥାକୁ ବନ୍ଦ କରି ତାର ସଂପତ୍ତି ବ୍ୟାଜ୍ୟାପ୍ତ କରାଯିବ। ଉକ୍ତ ଟଙ୍କା ଜମାକାରୀଙ୍କୁ ଫେରାଯିବ ବୋଲି ସରକାର ଘୋଷଣା କଲେ। ସରକାର କର୍ପସ ପାଣ୍ଠି କରି ଜମାରାଶି ଫେରାଇ କମ୍ପାନି ଏବଂ ଏଥିରେ ସଂପୃକ୍ତ ଥିବା ବଡ଼ବଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କଲେ। କିନ୍ତୁ ତାହା ବି ହେଲାନି। ଫଳରେ ପଦ୍ମପୁରଠାରେ ଜମାକାରୀ ଗର୍ଜିଛନ୍ତି।

Advertisment

ଜମାକାରୀମାନେ ପଦ୍ମପୁର ଗୋରୁ ବଜାରରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣସତ୍ୟାଗ୍ରହ କରିଥିଲେ। ମିଳିତ ମଂଚ ତରଫରୁ ରାଜ୍ୟ ସଭାପତି ଜୟନ୍ତ ଦାସ, ସଂପାଦକ ମଧୁସୁଦନ ବିଶ୍ବାଳ, ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, ଚାଷୀନେତା ରମେଶ ମହାପାତ୍ର, ସୁଧାଂଶୁ ବେହେରା,ଗୌରୀଶଂକର ସାହୁ, ସୁଶାନ୍ତ ମହାପାତ୍ର, ଦେବରାଜ ବେହେରା, ସୁଦାମ ବେହେରା, ରବିନ୍ଦ୍ର ପୁରୋହିତ, ଡମ୍ବରୁଧର ସାହା, ଯୁଗେଶ୍ବର ମେହେର, କୃଷ୍ଣଚନ୍ଦ୍ର ପଣ୍ତା, ଦୀପକ ମେହେର, ସୁଶାନ୍ତ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିଲେ। ସମସ୍ତ ଜମାକାରୀଙ୍କ ଟଂକା ଫେରସ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।