ତୋହରା ଗାଁରେ ଗଣଆତ୍ମହତ୍ୟା ଘଟଣା: ମୋବାଇଲରୁ ମିଳିବ ମୃତ୍ୟୁର କାରଣ!

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁର ଗଣଆତ୍ମହତ୍ୟା ଘଟଣାର ୨୪ଘଣ୍ଟା ପରେ ବି କାରଣ ସ୍ପଷ୍ଟ ହୋଇପାରିଲା ନାହିଁ। ଆଜି ସକାଳେ ତିନି ବାନ୍ଧବୀଙ୍କ ଶବ ପୁଲିସ ଗଛରୁ ଓହ୍ଲାଇବା ପରେ ବ୍ୟବଚ୍ଛେଦ କରିଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନେବା ସହ ଭିଡିଓଗ୍ରାଫି କରିଛି। ଘଟଣାସ୍ଥଳରୁ ପୁଲିସକୁ ଗୋଟିଏ ମୋବାଇଲ ମିଳିଛି। ସେହି ମୋବାଇଲରୁ ହିଁ ମୃତ୍ୟୁର କାରଣ ମିଳିଯିବ ବୋଲି ପୁଲିସ ଆଶା କରୁଛି।

ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହେମଲତା ଆଦୌ ପାଠ ପଢ଼ିବା ନଥିବା ବେଳେ ୪ବର୍ଷ ତଳେ ଜଣେ ଯୁବକଙ୍କୁ ପ୍ରେମ କରି ଘର ଛାଡ଼ିଥିଲା। କିନ୍ତୁ କିଛି ଦିନ ପରେ ନିଜ ଘରକୁ ଚାଲି ଆସିଥିଲା। ସେହିପରି ଫୁଲମତି ଏବଂ କୌଶଲ୍ୟା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଅନ୍ୟ ଦୁଇ ଜଣଙ୍କ ଠାରୁ ହେମଲତା ବୟସରେ ବଡ଼ ହୋଇଥିଲେ ସୁଦ୍ଧା ସଂପର୍କ ଅତି ନିବିଡ଼ ଥିଲା। ଶୁକ୍ରବାର ଦିନ ତିନି ଜଣ ଉମରକୋଟ ଆସି ମୀନାବଜାର ବୁଲିଥିଲେ। ଗତକାଲି ମଧ୍ୟ ବଜାର ଯାଉଥିବା କହି ଘରୁ ବାହାରିଥିଲେ। ଗୋଟିଏ ଲୁନାରେ ଗାଁରେ ପ୍ରାୟ ୧୦ ଘେରା ବୁଲିଥିଲେ। କିନ୍ତୁ ଅପରାହ୍ନ ପରେ ହଠାତ୍‌ କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଅନ୍ଧାର ହୋଇଯିବା ସତ୍ତ୍ବେ ଘରକୁ ନ ଫେରିବାରୁ ଖୋଜାଖୋଜି କରିବାରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା।

ଘଟଣାସ୍ଥଳରୁ ମିଳିଥିବା ମୋବାଇଲ ଫୋନ୍‌ରେ ଗୋଟିଏ ନମ୍ବରକୁ ବାରମ୍ବାର ଯୋଗାଯୋଗ କରାଯାଇଥିବା ପୁଲିସ ଦେଖିବାକୁ ପାଇଛି। ତେଣୁ ଉକ୍ତ ନମ୍ବରକୁ ଫୋନ୍‌ କରିବାରୁ ଚନ୍ଦାହାଣ୍ଡି ଅଞ୍ଚଳର ଜଣେ ଯୁବକ ଉଠାଇଥିଲେ। ଉକ୍ତ ଯୁବକଙ୍କୁ ସନ୍ଦେହରେ ପୁଲିସ ଉଠାଇ ଆଣି ଥାନାରେ ମାରାଥନ୍‌ ଜେରା କରିଥିଲା। ଏହି ସମୟରେ ଉକ୍ତ ଯୁବକଙ୍କ ସହ ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବିବାହ ଠିକ୍‌ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକଙ୍କ ପରିବାର ବିବାହ ପାଇଁ ରାଜି ହୋଇ ନଥିଲେ ବୋଲି ଜଣାପଡ଼ିଛି। ଗଣଆତ୍ମହତ୍ୟା ପଛରେ ସଂପୃକ୍ତ ଯୁବକଙ୍କ କୌଣସି ଭୂମିକା ନଥିବା ପୁଲିସ ସ୍ପଷ୍ଟ ହେବାରୁ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛି। ତେବେ ମୋବାଇଲ ଯାଞ୍ଚ ଚାଲିଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ। ସେହି ତଥ୍ୟ ଆଧାରରେ ଆତ୍ମହତ୍ୟା ପଛର କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା କରୁଛି।

ଏତେବଡ଼ ଘଟଣା ଘଟିବା ସତ୍ତ୍ବେ କୌଣସି ଲୋକପ୍ରତିନିଧି କିମ୍ବା ସରକାରୀ ଅଧିକାରୀଙ୍କ ଦେଖା ଆଜି ମିଳି ନଥିଲା। ସେହିପରି ମୃତକଙ୍କ ପରିବାରକୁ ବି କୌଣସି ପ୍ରକାର ସରକାରୀ ସହାୟତା ମିଳି ନଥିବାରୁ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସ୍‌ପି ଆଜି ଗଣମାଧ୍ୟମକୁ ଘଟଣା ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଆତ୍ମହତ୍ୟା ପଛର କାରଣ ଏବେ ବି ସ୍ପଷ୍ଟ ହୋଇପାରି ନଥିବା ଜଣାଇଥିଲେ। ଘଟଣାର ତଦନ୍ତ ଜାରି ରହିଛି, ସତ ଅତିଶୀଘ୍ର ସାମ୍ନାକୁ ଆସିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର