ମାହାଙ୍ଗାରେ ଗଣହତ୍ୟା: ଏକାଏକା ୫ଜଣଙ୍କୁ ହାଣିଦେଲା? ରକ୍ତଛିଟା ଲାଗିଲାନି କି କେହି ପ୍ରତିରୋଧ କଲେନି?

ଏକାଏକା ୫ଜଣଙ୍କୁ ହାଣି ଦେଲା ଶିବ? ଏ ଘଟଣାକୁ କେହି ସହଜରେ ହଜମ କରିପାରୁନାହାନ୍ତି। ଗୋଟିଏ କୋଠରୀରେ ୫ ଜଣ ଶୋଇଥିଲେ। ସମସ୍ତଙ୍କ ବୟସ ୧୪ରୁ ୪୪ ବର୍ଷ ମଧ୍ୟରେ। ସମସ୍ତେ ଜୋରଦାର ପ୍ରତିରୋଧ କରିବାରେ ସକ୍ଷମ। କିନ୍ତୁ ଶିବ ଘରେ ପଶି ଜଣଙ୍କ ପରେ ଜଣଙ୍କୁ ହାଣି ଚାଲିଗଲା, କେହି ପ୍ରତିବାଦ କି ପ୍ରତିରୋଧ କଲେନି। କାହାର ଗୋଛି, କାହର ହାତର ଶିରା, କାହାର ମୁଣ୍ଡକୁ ଶିବ ଚୋଟ ମାରିଲା, କେହି ଚିତ୍କାର କଲେନି କି କାହାର ନିଦ ଭାଙ୍ଗିଲାନି? ଶିବ ସେହି ଘରେ ପଶିଲା କେମିତି? ଶିବ ଦେହରେ ବି ରକ୍ତଛିଟା ଲାଗିଲାନି! ଅତ୍ୟନ୍ତ ରହସ୍ୟଜନକ ମନେହେଉଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଶିବ ନିଜେ ଭିଡିଓ କ୍ଲିପ୍‌ ଜାରି କରି ନିଜର ଦୋଷ ସ୍ବୀକାର କରିଛି। ଭିଡିଓରୁ ସ୍ପଷ୍ଟ ହେଉଛି ଯେ, ଏଭଳି ବୀଭତ୍ସ ହତ୍ୟା ପରେ ବି ତା ମନରେ ସାମନ୍ୟତମ ଅନୁଶୋଚନା ନାହିଁ। ବରଂ ଆଇନ ଅନୁସାରେ ଦଣ୍ଡ ବିଧାନକୁ ସେ ସ୍ବୀକାର କରିବ ବୋଲି କହୁଛି। ପାଞ୍ଚ ପାଞ୍ଚ ଜଣଙ୍କୁ ହାଣି ହତ୍ୟା କରିବା ପରେ ବି ଶିବ ଅତ୍ୟନ୍ତ ସ୍ବାଭାବିକ ଭାବେ ନିଜର ଭିଡିଓ ପ୍ରସ୍ତୁତ କରିବା, ତାହାକୁ ସୋସିଆଲ ମିଡିଆରେ ଛାଡିବା, ଥାନାକୁ ଯାଇ ଆତ୍ମସମର୍ପଣ କରିବା, ସବୁ କିଛି ରହସ୍ୟମୟ ମନେହେଉଛି। ଶିବର ସ୍ତ୍ରୀ ଦେଇଥିବା ବୟାନ ବି ରହସ୍ୟଜନକ ମନେ ହେଉଛି। ଶିବ ହାତରେ କିଛି ନଥିଲା। ସେ ତାକୁ କେବଳ ପଳାଇ ଯିବାକୁ କହିଥିଲା ବୋଲି ଶିବର ପତ୍ନୀ ବୟାନ ଦେଇଛି। ଏଭଳି ଏକ ଘଟଣା ପଛରେ ରହିଥିବା ରାଜନୈତିକ ଦିଗକୁ ନେଇ ମଧ୍ୟ ଅଞ୍ଚଳ‌ରେ ଆଲୋଚନା ହେଉଛି। ପୁଲିସର ଉପଯୁକ୍ତ ତଦନ୍ତ ହୁଏତ ଏହି ରହସ୍ୟ ଉପରୁ ପରଦା ଉଠାଇବ। ନଚେତ୍‌ ଶିବକୁ ଏକମାତ୍ର ଅପରାଧୀ ଭାବେ ଧରି ନେଇ ପୁଲିସ ରହସ୍ୟକୁ ସବୁଦିନ ପାଇଁ ଚପାଇ ଦେବ।

ସମ୍ବନ୍ଧିତ ଖବର