ମାହାଙ୍ଗାରେ ଗଣହତ୍ୟା: ଜମି ପାଇଁ ୫ ଜଣଙ୍କୁ ହତ୍ୟା, ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନ

ଦୋଷ ସ୍ବୀକାରର ଭିଡିଓ ଭାଇରାଲ୍‌, ହତ୍ୟାକୁ ନେଇ ଉଠିଲାଣି ଅନେକ ପ୍ରଶ୍ନ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଗତକାଲି ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତକମାନେ ହେଲେ; ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)। ସମସ୍ତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା କହିଛି ଅଭିଯୁକ୍ତ ସାନଭାଇ ଶିବପ୍ରସାଦ ସାହୁ।

ଅଭିଯୁକ୍ତ ଶିବ ଆଜି ସକାଳେ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ବାଲିଚନ୍ଦ୍ରପୁର ପୁଲିସକୁ ହତ୍ୟାକାଣ୍ଡ ସଂପର୍କରେ କହିଥିଲା। ପରେପରେ ସେ ଭାଇରାଲ୍‌ କରିଥିବା ଭିଡିଓରୁ ଘଟଣା ସଂପର୍କରେ ସାହିପଡ଼ିଶାମାନେ ଜାଣିଥିଲେ। ଶିବ ଜାରି କରିଥିବା ଭିଡିଓରେ କହିଛି ଯେ ପାରିବାରିକ କଳହ ଯୋଗୁ ବଡ଼ଭାଇଙ୍କ ସହ ତା’ର ସବୁବେଳେ ତିକ୍ତତା ଲାଗି ରହୁଥିଲା। ଗତକାଲି ରାତିରେ ବଡ଼ଭାଇ ସହ ତାଙ୍କ ପରିବାରର ସମସ୍ତ ସଦସ୍ୟ ତାକୁ ମାଡ଼ ମାରିଥିଲେ। ତେଣୁ ସେ ମାନସିକ ଭାରସାମ୍ୟ ହରାଇ ସମସ୍ତଙ୍କୁ ଜୀବନରୁ ମାରିଦେଇଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ସେ ଆତ୍ମସମର୍ପଣ କରିବାକୁ ଯାଉଛି ବୋଲି ମଧ୍ୟ ଭିଡିଓରେ କହିଥିଲା। ଅନ୍ୟପଟେ ଶିବ ନିଜେ ଏହି ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଛି ନା ଅନ୍ୟ କେହି ଏଥିରେ ତାକୁ ସାହାଯ୍ୟ କରିଛି, ତାହାକୁ ନେଇ ବି ସନ୍ଦେହ କରାଯାଉଛି। କିନ୍ତୁ ଶିବର ଏହି ଭିଡିଓ ଦେଖିବାପରେ ପଡ଼ୋଶୀମାନେ ଅଲେଖଙ୍କ ଘର ଓ ଦୋକାନକୁ ଯାଇଥିଲେ। ସେଠା‌ରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଲେଖଙ୍କ ଶାଶୂ ସେହି ଗ୍ରାମର ରୀନା ପୃଷ୍ଟି ଝିଅ ଘରକୁ ଆସି ଡାକିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେ ଘଟଣା ସମ୍ପର୍କରେ ମାହାଙ୍ଗା ଥାନାକୁ ଖବର ଦେଇଥିଲେ।

ଖବର ପାଇ ଥାନା ଅଧିକାରୀ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ମ୍ୟାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗିଥିଲେ। ଘର ଭିତରେ ଖଟ ଉପରେ ଅଲେଖ ଓ ତାଙ୍କ ପତ୍ନୀ ରଶ୍ମିରେଖାଙ୍କ ମୃତଦେହ ପଡ଼ିରହିଥିଲା ବେଳେ ଚଟାଣରେ ଦୁଇପୁଅ ସ୍ମୃତିସାଇ, ସ୍ମୃତିସୌରଭ ଓ ଝିଅ ସ୍ମୃତିସନ୍ଧ୍ୟାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ରକ୍ତରେ ଘରସାରା ଲାଲ୍ ହୋଇଯାଇଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳକିଶୋର, ସାଲେପୁର ଏସ୍‌ଡିପିଓ ବିମଳ ବାରିକ ପ୍ରମୁଖ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବା ସହ ୫ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଘରକୁ ସିଲ୍ କରିବାସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ପୁଲିସ ଜବତ କରିଛି। ହତ୍ୟାକାଣ୍ଡ ଘଟାଇଥିବା ସାନଭାଇ ଅଲେଖକୁ ଆଜି ବାଲିଚନ୍ଦ୍ରପୁର ଥାନାରେ ରଖାଯାଇଥିବା ଜଣାପଡ଼ିଛି।

ଅପରପକ୍ଷରେ ଗାଁରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ଗୋଟିଏ କୋଠରୀରେ ମାରି ଚାଲି ଯାଇଥିଲେ ମଧ୍ୟ କେହି ଟେର୍‌ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡ ପଛରେ ଏକା ଶିବ ସମ୍ପୃକ୍ତ ନା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଛି। ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି। ହତ୍ୟା ପୂର୍ବରୁ ୫ଜଣଙ୍କୁ ନିଶା ଦିଆଯାଇଥିବା ଏବଂ ଶୋଇଯିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଦିଗକୁ ବି ପୁଲିସ ତଦନ୍ତ କରୁଛି। ଅଲେଖଙ୍କ ଶାଶୂ ରୀନା ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ମାହାଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଶିବର ପତ୍ନୀ ସୁନୀତା ସାହୁ କହିଛନ୍ତି ଯେ ଅଲେଖଙ୍କ ପରିବାର ଜମିଜମା ନେଇ ତାଙ୍କୁ ବହୁବର୍ଷ ହେବ ନିର୍ଯାତନା ଦେଇ ଆସୁଥିଲେ। ସେ ରହୁଥିବା ଘରକୁ ବାହାରପଟୁ ବାରମ୍ବାର ବନ୍ଦ କରି ହଇରାଣ ହରକତ କରୁଥିଲେ। ତେବେ ଉକ୍ତ ହତ୍ୟା ଘଟଣା ସମ୍ପର୍କରେ ସେ କିଛି କହିପାରିବେ ନାହିଁ ବୋଲି ସୁନୀତା କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ପୈତୃକ ସମ୍ପତ୍ତିକୁ ନେଇ ବଡ଼ ଭାଇ ଅଲେଖ ସାହୁ ଓ ତାଙ୍କ ପରିବାର ସହ ସାନଭାଇ ଶିବପ୍ରସାଦ ସାହୁର ବିବାଦ ଲାଗି ରହିଥିଲା। ୭ବର୍ଷ ଧରି ଶିବ ନିଜ ପରିବାର ସହ ନିକଟସ୍ଥ ନାନପୁର ଗ୍ରାମରେ ଘରଭଡ଼ା ନେଇ ରହୁଥିଲା। ଶିବପ୍ରସାଦଙ୍କୁ ପୈତୃକ ଘରେ ପୂରାଇ ଦିଆ ନ ଯିବା ଏବଂ ଜମିଜମା ଭାଗବଣ୍ଟାକୁ ନେଇ ବହୁ ସମୟରେ ଥାନାରେ ଅଭିଯୋଗ ହୋଇ ଆସୁଥିଲା। ବିଭିନ୍ନ ସମୟରେ ସ୍ଥାନୀୟ ଭଦ୍ରଲୋକ ବିବାଦର ସମାଧାନ କରିଥିଲେ। ମାତ୍ର ଏହାକୁ କେହି ମାନୁ ନ ଥିବା ଏବଂ ପରସ୍ପର ମଧ୍ୟରେ କଳହ ଲାଗି ରହୁଥିବା ଏହି ସୂଚନାରୁ ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିବା ମଧ୍ୟ କିଛି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର