ଯୁଯୁମୁରାରେ ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ

ବିଜେପିରେ ସାମିଲ‌ ହେଲେ ବହୁ ନେତା ଓ କର୍ମୀ

ଯୁଯୁମୁରା: ଆଜି ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ବିଜେପିରେ ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ପ୍ରଚଣ୍ଡ ତାତିରେ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସାମିଲ ହୋଇଥିଲେ। ଲୋକଙ୍କ ସମାଗମ ଦେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେଶ୍‌ ପ୍ରଭାବିତ ହେବା ସହିତ ବିଜେପିର ଶକ୍ତି ବୃଦ୍ଧି ହେଉଥିବା ଏହା ସୂଚନା ଦେଉଛି ବୋଲି କହିଥିଲେ। ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ମଧ୍ୟ ସମାବେଶରେ ଲୋକଙ୍କ ବହୁ ସଂଖ୍ୟାରେ ଯୋଗଦାନ ପାଇଁ ଲୋକଙ୍କ ପ୍ରତି ଆଭାର ପ୍ରକଟ କରିଥିଲେ। ସେ ଆଜି ବି ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ଲୋକଙ୍କ ସାଥୀ ରହିଛନ୍ତି। ଆଜି ଅଛନ୍ତି, ଆସନ୍ତକାଲି ମଧ୍ୟ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ରହିବେ ବୋଲି କହିଥିଲେ। ଦୀର୍ଘ ଦିନ ଧରି ରେଢ଼ାଖୋଲ ବିଧାନସଭା କ୍ଷେତ୍ର ରାଜ୍ୟର ଶାସକ ଦଳ ବିଜେଡ଼ି ଦଖଲ‌ରେ ରହିଥିଲେହେଁ ଅଂଚଳର ଆଶାନୁରୂପ ଉନ୍ନତି ହୋଇପାରି ନାହିଁ।

ଆଗରୁ ରେଢ଼ାଖୋଲର ବିଧାୟକମାନେ ମନ୍ତ୍ରୀ ଥିବା ବେଳେ ବର୍ତ୍ତମାନର ବିଧାୟକ ବି ଆଜି ମନ୍ତ୍ରୀ ହୋଇଛନ୍ତି। ଯେତେ କ୍ଷମତାରେ ଥିବା ସତ୍ତ୍ବେ ଅଂଚଳର ବିକାଶ ହୋଇପାରୁ ନାହିଁ। ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଜଳସେଚନ ସୁବିଧା ହୋଇପାରି ନାହିଁ। ଲୋକେ ଆଜି ଅଭାବ ଅସୁବିଧାରେ ରହିଛନ୍ତି ବୋଲି ଶ୍ରୀ ମହପାତ୍ର କହିଥିଲେ। ବିଜେପି ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ ରାଜ୍ୟର ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଥିବା କହିବା ସହିତ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରର ମୋଦୀ ସରକାର ଓଡ଼ିଶାର ବିକାଶ ପାଇଁ ଯେଉଁ ଅର୍ଥ ଦେଉଛନ୍ତି, ତାହା ବାଟମାରଣା କରୁଛନ୍ତି। ବିଜେଡି ସରକାରକୁ ଉଚିତ ଜବାବ ଦେବାର ସମୟ ଆସିଛି ବୋଲି ସେ କହିଥିଲେ।

ମୋଦୀ ସରକାର ଓ ବିଜେପିକୁ ଅଧିକ ସୁଦୃଢ଼ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ ପ୍ରଦେଶ ସଂପାଦିକା ସସ୍ମିତାରାଣୀ ଦେହୁରୀ ସାମିଲ ହୋଇ ରାଜ୍ୟର ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଯୁଯୁମୁରା ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶ୍ବିନୀ କୁମୁରା, ସମିତି ସଭ୍ୟ ପ୍ରବାସିନୀ ବାରିକ, ମୁଲୁ ମେହେର, ରିକଟନ୍ ସାହୁ, ଅରକ୍ଷିତ ନାୟକ,  ରଜନୀକାନ୍ତ ସାହୁଙ୍କ ‌ସମେତ ଅନ୍ୟ ଦଳର ବହୁ ରାଜନୈତିକ ଦଳର କର୍ମକର୍ତା, ସ୍ୱେଚ୍ଛାସେବୀ ବିଜେପିରେ ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଥିଲେ। ଏହି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୁଯୁମୁରା ଅଂଚଳରେ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଯୁବନେତା ତଥା ସମିତି ସଭ୍ୟ ଜୟନ୍ତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ତ୍ତା ସମାବେଶରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସୁଶୀଲ କର, ଶିବରାମ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର