ଯାଜପୁର: ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ ହେବା‌ ପରେ ଜଙ୍ଗଲ ବିଭାଗରେ ଚାଲିଥିବା ବ୍ୟାପକ ଦୁର୍ନୀତି କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି। କଟକ ଡିଏଫଓଙ୍କ ଅଧୀନରେ ଥିବା ଯାଜପୁର ଜିଲ୍ଲାର ୪ଟି ରେଞ୍ଜ ମଧ୍ୟରୁ ଡାଳିଯୋଜା(ବୈରୀ) ରେଞ୍ଜର ବହୁ କେଳେଙ୍କାରୀ ସଂପର୍କରେ ସୂଚନା ମିଳିଛି। ଏହି ରେଞ୍ଜ ଅଧୀନରେ ଚୌଦ୍ବାର ଠାରୁ ଆରମ୍ଭ କରି ଯାଜପୁର ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳ ରହିଛି। ଏହି ଅଞ୍ଚଳର ପାହାଡ଼ ପର୍ବତ ପଥର ମାଫିଆଙ୍କ କବଜାରେ ରହିଥିବା ବେଳେ ଏଠାରେ କାଗଜପତ୍ରରେ ବନୀକରଣ କରାଯାଇ ଅର୍ଥ ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଆସୁଛି। ଏବେ ଯେଉଁ ତଥ୍ୟ ହସ୍ତଗତ ହୋଇଛି, ସେଥିରେ ନଣ୍ଡା ପାହାଡ଼ରେ ନିଆଁ ଲିଭା ଆଳରେ ଅର୍ଥ ଚଳୁ କରାଯାଇଛି।

Advertisment

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ ଗତ ୭ବର୍ଷ ତଥା ୨୦୧୨ ରୁ ୨୦୧୯ ମଧ୍ୟରେ ଏହି ରେଞ୍ଜ ଅଧୀନରେ ୩ହଜାର ୭୭୦ ହେକ୍ଟରରୁ ଅଧିକ ଅଞ୍ଚଳରେ ବନୀକରଣ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ସେହିପରି ୮.୫କିମି ରାସ୍ତାରେ ମଧ୍ୟ ବନୀକରଣ ହୋଇଛି। କାମ୍ପା ଅନୁଦାନରୁ ଏହି ବନୀକରଣ ବାବଦରେ ୧୩କୋଟି ୧୮ଲକ୍ଷ ୯୨ହଜାର ୨୭୬ଟଙ୍କା ବ୍ୟୟ ହୋଇଛି। କୋଟି କୋଟି ଟଙ୍କା ବିନିମୟରେ ଲକ୍ଷ ଲକ୍ଷ ଗଛ ଲାଗିଥିବା ଖବର ପଦାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି ହୋଇଛି। ସେହିପରି କାମ୍ପା ଅନୁଦାନରୁ ଏହି ୭ବର୍ଷ ମଧ୍ୟରେ ନିଆଁ ଲିଭାଇବାପାଇଁ ୫୭ଲକ୍ଷ ୨୦ ହଜାର ୭୨୦ ଟଙ୍କା ମଧ୍ୟ ବ୍ୟୟ ହୋଇଛି। ଯାହାକୁ ନେଇ ସନ୍ଦେହ ବୃଦ୍ଧି ପାଇଛି। ଏପରିକି ଗଛ ନଥିବା ପାହାଡ଼ରେ ମଧ୍ୟ ନିଆଁ ଲିଭାଇବା ଆଳରେ ମିଥ୍ୟା ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି। ଜାରକା ନିକଟ ଦେଉଳି ନଣ୍ଡା ପାହାଡ଼ ଓ ଗଡ଼ମଧୁପୁରରେ ୨୦୧୮ ଏପ୍ରିଲରୁ ଜୁନ ମଧ୍ୟରେ ନିଆଁ ଲିଭାଇବା ପାଇଁ କାମ୍ପା ଅନୁଦାନରୁ ୩୮ହଜାର ୩୮୫ ଟଙ୍କା ଏବଂ ପୁଣି ସାଧାରଣ ଅନୁଦାନରୁ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ୨୩ହଜାର ୫୫୩ ଟଙ୍କା ବ୍ୟୟ କରାଯାଇଛି। ଅପରପକ୍ଷରେ ଗତବର୍ଷ ଗଡ଼ମଧୁପୁର ଜଙ୍ଗଲରେ ବିଭାଗୀୟ କର୍ମଚାରୀ ନିଆଁ ଲଗାଇ ଜଙ୍ଗଲ ସଫା କରିବା ପରେ ୮୬ ହେକ୍ଟର ଅଞ୍ଚଳରେ ଶାଗୁଆନ୍ ଗଛ ଲଗାଇଥିଲେ। ସେଥିରୁ ଅନେକ ମରିଯାଇଛି।

ତଥ୍ୟ ମୁତାବକ ଏହି ୭ବର୍ଷରେ କାମ୍ପା ଅନୁଦାନରୁ ବ୍ଲକ୍ ବନୀକରଣ,ଏଏନଆର ବନୀକରଣ, ନଣ୍ଡା ପାହାଡ଼ ବନୀକରଣ ଓ ରାସ୍ତା ପାର୍ଶ୍ବ ବନୀକରଣ ବାବଦରେ ଯେଉଁ ୧୩କୋଟି ୧୮ଲକ୍ଷ ୯୨ହଜାର ୨୭୬ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଇଛନ୍ତି କାଁ ଭାଁ ବନୀକରଣ ପ୍ରକଳ୍ପ ସଫଳ ହୋଇଥିବା ବେଳେ ଅନେକ ପ୍ରକଳ୍ପରେ ଗଛ ଦେଖିବାକୁ ମିଳୁ ନାହିଁ। ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଏହି କାର୍ଯ୍ୟରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ସ୍ଥାନୀୟ ଅଞ୍ଚଳର ଲୋକମାନେ ବନୀକରଣ ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାର ୪ଟି ରେଞ୍ଜ ମଧ୍ୟରୁ ମୁଖ୍ୟତ ଡାଲିଜୋଡ଼ା, ସୁକିନ୍ଦା ଓ ଟମକା ରେଞ୍ଜରେ କୋଟି କୋଟି ଟଙ୍କା ବନୀକରଣ ନାମରେ ହରିଲୁଟ୍ ହେଉଛି ବୋଲି ଅଭିଯୋଗ ହେଉଛି।