ଭୁବନେଶ୍ବର : କଟକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଦୁର୍ନୀତି ହୋଇଛି। ସାନି ଟେଣ୍ଡର ନ କରାଯାଇ ପୂର୍ବରୁ କାମ ପାଇଥିବା ଏକ ନିର୍ଦ୍ଦିଷ୍ଟ କମ୍ପାନିକୁ କାମ ଦିଆଯାଇଛି। ଆଜି ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

Advertisment

ଶ୍ରୀ ମିଶ୍ର ଅଭିଯୋଗ କରି କହିଛନ୍ତି, କଟକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଗୋଟିଏ କମ୍ପାନିକୁ ୨ ବର୍ଷ ପାଇଁ ଟେଣ୍ଡର ଦିଆଯାଇଥିଲା। ସେହି କମ୍ପାନିର ଟେଣ଼୍ଡର ୨୦୧୬ରେ ଶେଷ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ସାନି ଟେଣ୍ଡର କରାନଯାଇ ସେହି କମ୍ପାନିକୁ କାମ କରିବାକୁ ଦିଆଯାଇଛି। ରାଜ୍ୟ ପରିମଳ ବିଭାଗର ଆକଳନ ଅନୁସାରେ ମାସକୁ ୨୮୦ରୁ ୩୦୦ ଟନ୍‌ ବର୍ଜ୍ୟବସ୍ତୁ ସହର ବାହାରକୁ ନିଆଯାଇଥାଏ। କିନ୍ତୁ ଏବେ ଦୈନିକ ୧୩୬ ଟନ୍‌ ଅଧିକ ବୋଲି କୁହାଯାଉଛି। ଯାହାକି ସରକାର ଓଜନ ଯନ୍ତ୍ର ଅନୁସାରେ ନୁହେଁ ଘରୋଇ ଓଜନ ଯନ୍ତ୍ର ହିସାବରେ କରାଯାଉଛି। ଏଥିରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇଥିଲେ ବି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଏ ନେଇ ଶ୍ରୀ ମିଶ୍ର ଦୈନିକ 'ସମ୍ବାଦ'ରେ ପ୍ରକାଶିତ ଖବର ପ୍ରଦର୍ଶନ କରିଥିଲେ। ଏହା ପ୍ରମାଣିତ କରୁଛି କି ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ। କଠିକ ବର୍ଜ୍ୟବସ୍ତୁ ପରିଚାଳନାରେ ସମ୍ପୃକ୍ତ କମ୍ପାନି ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି। ଏହା କଣ ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ନିଦର୍ଶନ ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଥିଲେ।