ହରଭଙ୍ଗା/ପୁରୁଣାକଟକ: ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ଥିବା ଏକ ବେଆଇନ ବାଣ ଗୋଦାମରେ ରବିବାର ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଗ୍ରାମର ଲକ୍ଷ୍ମୀଧର ବେହେରା (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏବଂ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। 

Advertisment

ଏହାବାଦ୍‌ ରମା ଭୋକ୍ତା ନାମ୍ନୀ ଜଣେ ମହିଳା ନିଖୋଜ ଥିବା କୁହାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଥିବା ବିଦ୍ୟୁତ୍‌ଖୁଣ୍ଟ, ଘରଦ୍ୱାର, ଅଟୋ, ବାଇକ୍‌ ଏବଂ ବାଣ ଗଚ୍ଛିତ ଥିବା ଘର ମାଟିରେ ମିଶିଯାଇଛି। ଏପରିକି ୧ କିମି ଦୂରରେ ଥିବା ଟିଭିଏସ୍‌ ସୋ’ରୁମ୍ ଓ ଏକ କ୍ଲିନିକ୍‌ର କାଚ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୌଦ୍ଧ ଏସ୍‌ପି ରାହୁଲ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ ଭୋଇ, ହରଭଙ୍ଗା ତହସିଲଦାର ବଳଦେବ ବେହେରା, ଅତିରିକ୍ତ ତହସିଲଦାର ସନ୍ଦିପ ଶୁଭଦର୍ଶନ ଧଳ, ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ, ହରଭଙ୍ଗା ଅଗ୍ନିଶମ ବାହିନୀ, ବୌଦ୍ଧ ଥାନା ଆଇଆଇସି ନଳିନୀକାନ୍ତ ଦାସ, ପୁରୁଣାକଟକ ଥାନା ଆଇଆଇସି ଅରୁଣ ସିଂହ, ହରଭଙ୍ଗା ଥାନା ଆଇଆଇସି ବାଲ୍ମୀକି ପ୍ରଧାନଙ୍କ ସମେତ ଓଡ୍ରାଫ୍ ଟିମ୍‌, ସାଇଣ୍ଟିଫିକ୍ ଟିମ୍, ଡଗ୍‌ ସ୍କ୍ବାଡ୍‌, ବୋମା ଚିହ୍ନଟକାରୀ ଦଳ ଘଟଣାର ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ଅନ୍ୟପଟେ କ୍ଷତିପୂରଣ ଦାବିରେ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ସହିତ ସ୍ଥାନୀୟ ବିଜେପି ନେତା ସୁଶାନ୍ତ ପ୍ରଧାନ, ଯୁବ ଶିଳ୍ପପତି ଅଶୋକ ଅଗ୍ରୱାଲ ଲୋକମାନଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ୪ ଘଣ୍ଟା ଧରି ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। 

ଥରିଲା ଜିଆଁକଟା, ଭାଙ୍ଗିଲା ଘରଦ୍ୱାର
ଜଣେ ମୃତ, ଜଣେ ନିଖୋଜ, ୯ ଗୁରୁତର
ଖୋର୍ଦ୍ଧା-ବଲାଙ୍ଗୀର ରାଜପଥ ୪ ଘଣ୍ଟା ବନ୍ଦ

ସୂଚନା ଅନୁସାରେ, ଜିଆଁକଟା ଗ୍ରାମର ମାଗି ସାହୁ ନାମକ ଜଣେ ବ୍ୟକ୍ତି ଏକ ବାସନ ଫ୍ୟାକ୍ଟ୍ରି କରି ବହୁଦିନ ଧରି ସେଠାରେ ବ୍ୟବସାୟ କରୁଥିଲେ। ସେ ୧୦-୧୨ଟି ଛୋଟ ଛୋଟ ଆଜ୍‌ବେଷ୍ଟସ୍‌ ଛପର ଘରକୁ ଭଡ଼ା ଆକାରରେ ଅନ୍ୟମାନଙ୍କୁ ଦେଇଥିଲେ। ସେହି ଘରେ ପ୍ଲାଷ୍ଟିକ, ମୁଢ଼ି ଆଦି ବ୍ୟବସାୟ କରୁଥିବା ଲୋକଙ୍କ ସହିତ କିଛି ଶ୍ରମିକ ଶ୍ରେଣୀର ଲୋକ ଭଡ଼ାରେ ରହୁଥିଲେ। ରବିବାର ସକାଳେ ପ୍ରାୟ ସମସ୍ତେ କାମଧନ୍ଦାରେ ବାହାରିଯାଇଥିଲେ। ସକାଳ ପ୍ରାୟ ୧୦ଟା ସମୟରେ ଗୋଟିଏ ଘରୁ ଭୟଙ୍କର ବିସ୍ଫୋରଣ ହେବା ଫଳରେ ଚାରିଆଡ଼େ ଧୂଆଁମୟ ହୋଇଯାଇଥିଲା। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ଓ ୩ କିଲୋମଟର ଦୂରରେ ଥିବା ଚାରିଛକ ବଜାରରେ ଭୂମିକମ୍ପ ଭଳି କମ୍ପନ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ବିଭିନ୍ନ ପ୍ରକାର ବାଣର ଖୋଳପା ପଡ଼ିଥିବା ଦେଖିବା ପରେ ବେଆଇନ ଭାବେ ଘରେ ଗଚ୍ଛିତ ଥିବା ବାଣରୁ ଏଭଳି ବିସ୍ଫୋରଣ ହୋଇଥିବା କୁହାଯାଉଛି। ମାତ୍ର ଏତେ ପରିମାଣର ବାଣ ସେଠାକୁ କେମିତି ଆସିଲା? କେଉଁ କାରଣରୁ ସେଗୁଡ଼ିକ ବିସ୍ଫୋରଣ ଘଟିଲା? ସେଠାରେ ବାଣ ତିଆରି ହେଉଥିଲା କି? ଯଦି ତିଆରି ହେଉଥିଲା ଏ ସର୍ମ୍ପକରେ ପୁଲିସ ପାଖରେ କିପରି ଖବର ନଥିଲା, ଏସବୁ ଦିଗ ଉପରେ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି। ୩ଟି ଜେସିବି ସାହାଯ୍ୟରେ ମାଟିରେ ମିଶିଥିବା ଘର କାନ୍ଥକୁ ସଫା କରାଯାଉଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା
ବୌଦ୍ଧ ଜିଲ୍ଲା ଜିଆଁକଟାଠାରେ ଘଟିଥିବା ବିସ୍ଫୋରଣରେ ଲକ୍ଷ୍ମୀଧର ବେହେରାଙ୍କ ଅକାଳ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ ମାଧ୍ୟମରେ ସୂଚନା ଦିଆଯାଇଛି।