ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପାହାଡ଼ରୁ ବ୍ୟାପକ ପଥର ଲୁଟ୍ ହେଉଛି। ପାହାଡ଼ରେ ବେଆଇନ ବିସ୍ଫୋରଣ ଯୋଗୁଁ ଆଖପାଖ ୮୦ଟି ଗାଁ ଭୂକମ୍ପ ଭଳି ଥରିଛି। ଗତକାଲି ରାତିରେ ଖଞ୍ଜାମାହାଲ ପାହାଡ଼ର ୪୩, ୪୪ ଓ ୫୭ ନମ୍ବର ଖଣିରେ ମାଫିଆମାନେ ପଥର ଫଟାଇବାକୁ ବିସ୍ଫୋରଣ କରିଥିଲେ। ଫଳରେ ଆଖପାଖରେ ଥିବା ଗୋବିନ୍ଦପୁର, କେଶରୀପୁର, ମହୁମୁହାଣ, ମାଣତ୍ରୀ ଓ ରଘୁନାଥପୁର ପଞ୍ଚାୟତର ପାଖାପଖି ୮୦ ଗାଁରେ ଭୂମିକମ୍ପ ଭଳି ସ୍ଥିତି ସୃଷ୍ଟି ହୋଇଥିଲା।
ଜବତ ପଥର ୧୩ ଲକ୍ଷ ଟଙ୍କାରେ ନିଲାମ
ଲୋକମାନେ ଏନେଇ ସୋର ତହସିଲଦାର ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ। ଏହାପରେ ବିଳମ୍ବିତ ରାତିରେ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲିକ, ବ୍ଲକ୍ କନିଷ୍ଠ ଖଣି ଅଧିକାରୀଙ୍କ ସହ ସୋର ପୁଲିସ ପାହାଡ଼ରେ ଚଢ଼ଉ କରିଥିଲେ। ତେବେ ଚଢ଼ଉ ପୂର୍ବରୁ ମାଫିଆମାନେ ଚମ୍ପଟ ମାରିଥିଲେ। ସେଠାରେ ଗଦା ହୋଇଥିବା ପଥରକୁ ଜବତ କରାଯାଇଥିଲା। ଆଜି ୪୩ ନମ୍ବର ଖଣିର ଜବତ ପଥରକୁ ୪ ଲକ୍ଷ ୧୦ ହଜାର ୯୫୦ ଟଙ୍କା, ୪୪ ନମ୍ବର ଖଣିର ଜବତ ପଥରକୁ ୨ ଲକ୍ଷ ୮ ହଜାର ୨୧୬ ଟଙ୍କା ଏବଂ ୫୭ ନମ୍ବର ଖଣିର ଜବତ ପଥରକୁ ୬ ଲକ୍ଷ ୮୦ ହଜାର ଟଙ୍କା; ଏଭଳି ମୋଟ ୧୨ ଲକ୍ଷ ୯୯ ହଜାର ୧୬୬ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/21/28QrggMVIqOVG493a9iM.jpg)