ଭିଟାମାଟି ସୁରକ୍ଷା ଦାବିରେ ବିଶାଳ ଜନ ସମାବେଶ, ବନ୍ଦର ଓ ପେଟ୍ରୋକେମିକାଲ୍ସକୁ ବିରୋଧ

କଂଗ୍ରେସ ଲୋକଙ୍କ ସହ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ: ଏ. ଚେଲା କୁମାର

ବାଲିଆପାଳ : କଂଗ୍ରେସ ବିକାଶ କିମ୍ବା ଶିଳ୍ପକୁ କେବେ ବିରୋଧ କରେ ନାହିଁ। ତେବେ ୬୦ ହଜାର ଲୋକଙ୍କୁ ସର୍ବହରା କରି ବାଲିଆପାଳରେ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ କେବେ ପ୍ରଶ୍ରୟ ଦିଆଯିବ ନାହିଁ। ଲୋକଙ୍କ ସ୍ବାର୍ଥ ବିରୋଧୀ ଏହି ପ୍ରକଳ୍ପ ବିରୋଧରେ କଂଗ୍ରେସ ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଆନ୍ଦୋଳନକୁ ଶକ୍ତିଶାଳୀ କରିବ ବୋଲି ଆଜି ଭିଟାମାଟି ସୁରକ୍ଷା ଦାବିରେ ବାଲିଆପାଳ ବ୍ଲକ କାଉମାରୀଠାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗଦେଇ ଏଆଇସିସି ସମ୍ପାଦକ ଡ. ଏ. ଚେଲାକୁମାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ଏହି ଅବସରରେ ଡ. ଚେଲା କୁମାର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ରାଜ୍ୟରେ ୨୧ ବର୍ଷ ଧରି ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଦରଦ ସାଧାରଣ ଜନତାଙ୍କ ପାଇଁ ନୁହେଁ ବରଂ ଜମି ମାଫିଆଙ୍କ ପାଇଁ। ଏ ସରକାର ଅମଳରେ ରାଜ୍ୟରେ ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନାହିଁ। ବରଂ କଂଗ୍ରେସ ଅମଳରେ ହୋଇଥିବା ଶିଳ୍ପ ସଂସ୍ଥାରେ ତାଲା ପକାଇଛନ୍ତି ନବୀନ ସରକାର। ରାଜ୍ୟ ସରକାର ବନ୍ଦର ନାଁରେ ଲୋକଙ୍କୁ ଯେଉଁ ସ୍ବପ୍ନ ଦେଖାଉଛନ୍ତି ତାହା କେବଳ ଧୂଆଁବାଣ। ଧାମରାରେ ଟାଟା କମ୍ପାନି ବନ୍ଦର କରିବା ପରେ ଆଦାନୀ ଗ୍ରୁପ ହାତକୁ ଟେକି ଦିଆଯିବା ଭଳି ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ହେଲେ ମଧ୍ୟ ସେଇ ସମାନ ଅବସ୍ଥା ସୃଷ୍ଟି ହେବ ବୋଲି ସେ କହିଥିଲେ। ଜନ ବିରୋଧୀ ରାଜ୍ୟ ସରକାରଙ୍କୁ ଉଚିତ ଜବାବ ଦେବାକୁ ଉପସ୍ଥିତ ଲୋକଙ୍କୁ ଡ. ଚେଲା କୁମାର ଆହ୍ବାନ ଦେଇଥିଲେ।

ଭିଟାମାଟି ସୁରକ୍ଷା କମଟି ଆବାହକ ଅରୁଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ନିଜ ବକ୍ତବ୍ୟରେ ବିଜେପି ଏବଂ ବିଜେଡିକୁ ତୀବ୍ର ସମାଲୋଚନା କରିଥିଲେ। କଂଗ୍ରେସର ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ବନ୍ଦର ଓ ପେଟ୍ରୋକେମିକାଲ୍ସ ବିରୋଧୀ ଆନ୍ଦୋଳନରେ କଂଗ୍ରେସ ଲୋକଙ୍କ ସହିତ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଡ. ରୁଦ୍ର ରାଜୁ, ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି, ବସ୍ତା ନିର୍ବାଚନମଣ୍ତଳୀ ବିଧାୟକ ପ୍ରାର୍ଥୀ ତଥା ବ୍ଲକ୍ ଅଧ୍ୟକ୍ଷ ବିଜନ କୁମାର ନାୟକ, ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ଜଳେଶ୍ବର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ପ୍ରମୁଖ ନିଜ ବକ୍ତବ୍ୟରେ ପ୍ରକଳ୍ପ ବିରୋଧରେ ରଣହୁଙ୍କାର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା ଜୟନ୍ତ ଦାସ, ସିପିଏମ ରାଜ୍ୟ ନେତା ଶିଶିର ହୁଇ, ସଂଘମିତ୍ରା ଜେନା, ହରେକୃଷ୍ଣ ଦାସ, ମନୋଜ ବିଶ୍ବାଳ ପ୍ରମୁଖ ବହୁ ରାଜ୍ୟସ୍ତରୀୟ ନେତା ଯୋଗଦେଇ ବନ୍ଦର ବିରୋଧରେ ସ୍ବରୋତ୍ତଳନ କରିଥିଲେ।

ଏହି ସମାବେଶରେ ବନ୍ଦର ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ୬ଟି ପଞ୍ଚାୟତର ୫ହଜାରରୁ ଊର୍ଦ୍ଧ୍ବ ଲୋକ ସମବେତ ହୋଇଥିବା ବେଳେ ଯୁବ କଂଗ୍ରେସ ନେତା ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର