ଯାଜପୁର: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଏକାଧିକ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସଚିବସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। କେତେକ ବିଭାଗରେ ଗାଦିମଡ଼ା ସଚିବ ବଦଳୁ ନାହାନ୍ତି। ସେହି ଦୃଷ୍ଟିରୁ ନିର୍ମାଣ ବିଭାଗ ସଚିବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଥାଉକି ନିର୍ମାଣ(ପୂର୍ତ୍ତ) ବିଭାଗରେ ୧୯୮୦ ମସିହାରୁ ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ସଚିବ ପଦରେ ରଖାଯାଉଥିଲା। ୨୦୧୯ରୁ ଏଥିରେ ବ୍ୟତିକ୍ରମ କରାଯାଇଛି। ତା୨୮/୨/୨୦୧୯ ରିଖରୁ ନିର୍ମାଣ ବିଭାଗର ସଚିବ ଇଂଜିନିୟର ନଳିନୀକାନ୍ତ ପ୍ରଧାନ ଅବସର ନେଲା ପରେ ଇଂଜିନିୟର ରସାନନ୍ଦ ସାହୁ ମାତ୍ର ଗୋଟିଏ ଦିନ ଦାୟିତ୍ବରେ ଥିଲେ। ସେବେଠାରୁ ୨ଜଣ ଆଇଏଏସ ଅଧିକାରୀ ରହିଛନ୍ତି। ଆଇଏଏସ ଡକ୍ଟର କ୍ରିଷନ କୁମାର ତା୪/୩/୨୦୧୯ ରିଖରୁ ୭/୩/୨୦୨୨ ପର୍ଯ୍ୟନ୍ତ ରହିଥିଲେ। ଏହାପରେ ତା ୭/୩/୨୦୨୨ ରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଏଏସ ବୀରବିକ୍ରମ ଯାଦବ ଅଛନ୍ତି। ଏହି ପଦବି ପାଇଁ ପୂର୍ବ ସରକାର କରିଥିବା ବ୍ୟତିକ୍ରମକୁ ନୂତନ ସରକାର ସୁଧାରିବେ ନା ସେହି ରାସ୍ତାରେ ଯିବେ ତାକୁ ନେଇ ପ୍ରଶ୍ନ ଉଠିଛି।
ଅଣଓଡ଼ିଆ ଠିକାଦାରଙ୍କ କବ୍ଜାରେ ବୃହତ୍ ପ୍ରକଳ୍ପ
ସୂଚନା ଯୋଗ୍ୟ, ଅନ୍ୟ ଜିଲ୍ଲା ଅପେକ୍ଷା ଯାଜପୁର ଜିଲ୍ଲାରେ ନିର୍ମାଣ(ପୂର୍ତ୍ତ) ବିଭାଗରେ ଶହଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ପାଣିକୋଇଲି ରାସ୍ତା ଓ କୋଠାବାଡ଼ି ବିଭାଜନ ଜରିଆରେ କାର୍ଯ୍ୟକାରୀ କରାଯାଉଛି। ଏହି ଡିଭିଜନ୍ ଜରିଆରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ରୁ ୭୯୦.୮୯ କୋଟି ଟଙ୍କା ଏବଂ ଓମ୍ବାଡ୍ସିରୁ ୧୦୬.୭୨ କୋଟି ଟଙ୍କା ସମେତ ଅନ୍ୟାନ୍ୟ ଯୋଜନାରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଏହି ଡିଭିଜନ ଅଧୀନରେ ୯୪ ଟି ରାସ୍ତା ଓ ୫୭୭ ଟି କୋଠା ରହିଛି। ୨୦୧୭-୧୮ ବର୍ଷରୁ ୨୦୨୨-୨୩ ମଧ୍ୟରେ ୨୨୧୫.୭୧ କୋଟି ଟଙ୍କା ବ୍ୟୟ ହୋଇଛି। ଯାଜପୁରଟାଉନରେ ମେଡିକାଲ କଲେଜ ଟେଣ୍ଡର ଅଟକଳ ୩୨୬.୬୮ କୋଟି ଟଙ୍କା ଥିଲାବେଳେ ଏହା ବୃଦ୍ଧି ପାଇ ୫୨୬.୨୧ କୋଟି ଟଙ୍କାରେ ପହଞ୍ଚିଛି। ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ବିକାଶ ନାମରେ ବ୍ୟାପକ ଅନିୟମିତତା କରାଯାଇଛି। ପ୍ରକଳ୍ପଗୁଡ଼ିକର ଆକଳନକୁ ବାରମ୍ବାର ପରିବର୍ତ୍ତନ କରାଯାଇ ଠିକାଦାରଙ୍କୁ ମୁନାଫା ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ରାଜ୍ୟରେ ଏହି ନିର୍ମାଣ ବିଭାଗକୁ ୨୦୧୨-୧୩ ରୁ ୨୦୨୨-୨୩ (୨୫/୯/୨୦୨୩) ମଧ୍ୟରେ ବିଭିନ୍ନ ରାସ୍ତା ଓ କୋଠାବାଡ଼ି ପ୍ରକଳ୍ପ ବାବଦକୁ ମୋଟ ୪୭,୭୮୯କୋଟି ୧୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
ଯାଜପୁର ମେଡିକାଲ କଲେଜ ଭଳି ବଡ଼ବଡ଼ ପ୍ରକଳ୍ପ ଅଣଓଡ଼ିଆ ଠିକାଦାରଙ୍କ ହାତରେ ଟେକିଦେଇ ଶହଶହ କୋଟି ଟଙ୍କା ମୁନାଫା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ସେଥି ମଧ୍ୟରେ ବହୁଚର୍ଚ୍ଚିତ ପୁରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ ଓ ଏହାର ଜମି ଅଧିଗ୍ରହଣରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଜୋର୍ ଧରିଲାଣି। ନିର୍ମାଣ ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ହେଉଥିବା ଦାବି ସମ୍ପର୍କରେ ସରକାର ପଦକ୍ଷେପ ନେଇନାହାନ୍ତି। ଅପରପକ୍ଷରେ ସଚିବଙ୍କୁ ନ ବଦଳାଇ ପୂର୍ବ ସରକାର କରୁଥିବା ଧାରାରେ କାର୍ଯ୍ୟ କରିବାକୁ ଶାସକଦଳର ଏକ ଗୋଷ୍ଠୀ ଲାଗିପଡ଼ିଛନ୍ତି। ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି ବୋଲି ଜୋରଦାର ଆଲୋଚନା ହେଉଛି। ଦୁଇ ଗୋଷ୍ଠୀଙ୍କ ଟଣାଓଟରା ମଧ୍ୟରେ ନିର୍ମାଣ ବିଭାଗ କ୍ଷେତ୍ରରେ ବିଜେପି ସରକାର କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।