ଲକ୍‌ଡାଉନ କାଳରେ ବ୍ୟାପକ ହେବ ସର୍ଭେଲାନ୍ସ, ଟ୍ରାକିଂ, ଟ୍ରେସିଂ ଓ ଟେଷ୍ଟିଂ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତାକାଲି ରାତିରୁ ଜୁଲାଇ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସମେତ ରାଉଲକେଲା ମୁନିସିପାଲିଟି  ଅଞ୍ଚଳରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଏଥିସହ ଏହି ଲକ୍‌ଡାଉନ କାଳରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସମେତ ରାଉଲକେଲା ମୁନିସିପାଲିଟି  ଅଞ୍ଚଳରେ ଆଶାଦିଦି, ଅଙ୍ଗନଓ୍ଵାଡ଼ି କର୍ମୀ ଓ ଏଏନ୍‌ଏମ୍‌ ଦିଦିଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ନେଇ ଏକାଧିକ ଟିମ୍‌ ଗଠନ କରାଯିବ ଏବଂ ଏହି ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସମସ୍ତ ଲକ୍ଷଣଯୁକ୍ତ ଲୋକ ଓ ଅନ୍ୟ ସନ୍ଦଗ୍ଧମାନଙ୍କର ନମୁନା ପରୀକ୍ଷା କରିବେ ଏବଂ କରୋନା ପଜିଟିଭ୍‌ମାନଙ୍କୁ ଏକାନ୍ତବାସ ବା ଆଇସୋଲେସନ୍‌ରେ ରଖିବେ। ଏଥିସହ ସର୍ଭେଲାନ୍ସ, ଟ୍ରାକିଂ ଓ ଟ୍ରେସିଂକୁ ମଧ୍ୟ ବ୍ୟାପକ କରାଯିବ। ତେଣୁ, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି ସ୍ୱତନ୍ତ୍ର ସର୍ଭେଲାନ୍ସ, ଟ୍ରାକିଂ ଓ ଟ୍ରେସିଂ କାର୍ଯ୍ୟରେ ସମସ୍ତ ରାଜ୍ୟବାସୀ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର