ରାଜଭବନ ସାମ୍ନାକୁ ଉଠିଯିବ ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

ଭୁବନେଶ୍ବର : ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଅନନ୍ୟ ସୃଷ୍ଟି ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଏବଂ ଯୋଦ୍ଧା ସ୍ଥାପତ୍ୟ ଏବେ ଏଠାରୁ ହଟିବାକୁ ଯାଉଛି। ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି। ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ନିଆ ସରିଲାଣି। ଏହା ଜଣା ପଡ଼ିବା ପରେ ବିଭିନ୍ନ ମହଲରୁ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରା‌ଯାଇଥିବା ବେଳେ ବିରୋଧ ମଧ୍ୟ ଆରମ୍ଭ ହୋଇଛି।

ଗତ ୮ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋ‌ଇଥିବା ଜଣାପଡ଼ିଛି। ଏଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଘୋଡ଼ାକୁ ନେଇ ଥୋଇ ଦେବାକୁ ବିଡିଏକୁ ଦାୟିତ୍ବ ଦିଆଯାଇଛି। ମାସକ ମଧ୍ୟରେ ବିଡିଏ ଏହାକୁ ସ୍ଥାନାନ୍ତର କରିବ ବୋଲି କୁହାଯାଇଛି।

ବିଶ୍ବ ଐତିହ୍ୟ କୋଣାର୍କର ଅବିକଳ ଢାଞ୍ଚାରେ ନିର୍ମିତ ଯେଉଁ ଘୋଡ଼ା ରାଜଧାନୀର ପରିଚୟ ଏବଂ ଓଡ଼ିଶା ଶାସନର ପ୍ରତୀକ ପାଲଟିଛି; ସେହି ମୂର୍ତ୍ତିକୁ ରାଜଭବନ ଛକ ଗୋଲେଇକୁ ସ୍ଥାନାନ୍ତରିତ ହେବ। ବିଧାନ‌ସୌଧର ଠିକ୍ ସାମ୍ନାରେ ଏହି ପ୍ରତୀକାତ୍ମକ ଘୋଡ଼ା‌ ଓ ଯୋଦ୍ଧାକୁ ୧୯୮୮ ମସିହାରେ ସ୍ଥାପିତ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା; ଓଡ଼ିଶା ଶାସନର ଯେଉଁ ଲୋଗୋ ଅଛି ତାହା ପ୍ରକୃତରେ କେମିତି ଦେଖାଯାଏ ତାହା ଜଣେ ସାଧାରଣ ଲୋକ ଏହିଠାରେ ପ୍ରାଞ୍ଜଳ ଭାବେ ଦେଖିପାରିବ। ଏହାର କାରୁକାର୍ଯ୍ୟ ସାରା ବିଶ୍ବରେ ଅନନ୍ୟ ହୋଇଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଯାଉଥିବା ଲୋକ ଏହାକୁ ଦେଖି ଚକିତ ହୋଇଯାଏ।

ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ସ୍ମାର୍ଟ ଜନପଥ କାମ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକ‌ ଗୋଲେଇରେ ଥିବା ଘୋଡ଼ା ଏବଂ ଅନ୍ୟ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ‌ମହାପ୍ରବନ୍ଧକ (ବୈଷୟିକ) ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦେଇଥିଲେ। ସଂସ୍କୃତି ବିଭାଗକୁ ବୁଝାଇଦେଲେ ଯେ, ଜନପଥର ଉନ୍ନତୀକରଣ, ସୌନ୍ଦର୍ଯ୍ୟୀକରଣ ହେବ। ଏହାବାଦ୍ ରେଳ ଷ୍ଟେସନ ମଲ୍‌ଟି ମୋଡାଲ୍ ହବ୍, ଆଇକନିକ୍ ବିଲଡିଂ ନିର୍ମାଣ ହେବ। ଏତେ ବଡ଼ କୋଠା, ଆଧୁନିକ କାରୁକାର୍ଯ୍ୟ ଆଗରେ ଏହି ଘୋଡ଼ା ଛୋଟ ଓ ଅସୁନ୍ଦର ଦେଖାଯିବ। ଏହାବାଦ୍ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହାକୁ ନିଶ୍ଚିତ ହଟାଇବାକୁ ପଡ଼ିବ।

ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୟ ସିଂହଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କିଛି ଉତ୍ତର ଦେଇନଥିଲେ। ଏପରିକି ବିଏସ୍‌ସିଏଲ୍‌ର କୌଣସି ଅଧିକାରୀ ବି ଏ ନେଇ ମୁହଁ ଖୋଲି ନ ଥିଲେ। ଅପରପକ୍ଷରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଆମକୁ ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ଓ ଅନ୍ୟ ପ୍ରସ୍ତର ମୂର୍ତ୍ତି ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜଧାନୀର କୌଣସି ସ୍ଥାନରେ ପ୍ରତିମୂର୍ତ୍ତି କିମ୍ବା ସ୍ଥାପତ୍ୟ ସ୍ଥାପନ ବା ସ୍ଥାନାନ୍ତର କରିବା ପାଇଁ ‌ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଏଥିରେ ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ ପ୍ରତିନିଧିମାନେ ସଦସ୍ୟ ଅଛନ୍ତି। ତେଣୁ ଆମେ ତାଙ୍କ ପ୍ରସ୍ତାବ ଉପରେ ଆଲୋଚନା କରି ନିଷ୍ପତ୍ତି ନେଇଛୁ।

ସମ୍ବନ୍ଧିତ ଖବର