ଭୁବନେଶ୍ବର: ପକ୍କା ଘର ଯୋଗାଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପଟେ ଯେ କୌଣସି ମୁହୂର୍ତ୍ତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ। ଠିକ୍ ଏମିତି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଗୋଟିଏ ମାଷ୍ଟର କାର୍ଡ ଖେଳିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ଥିର ହୋଇଛି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ପକ୍କା ଘର ଯୋଜନାର ହିତାଧିକାରୀ ଏବଂ କେନ୍ଦ୍ର ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଥିବା ପରିବାରକୁ ଘର ମରାମତି ପାଇଁ ସରକାର ଅର୍ଥ ପ୍ରଦାନ କରିବେ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି କେନ୍ଦ୍ରର ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ଉଭୟ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯିବ। ରାଜ୍ୟର ପାଖାପାଖି ୩୦ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେବେ। ଏଥିପାଇଁ ରାଜ୍ୟ ରାଜକୋଷରୁ ଯେଉଁ ୧୪୪୪କୋଟି ଟଙ୍କା ଖର୍ଚ୍ଚ ହେବ, ତାହା ବିଜୁ ପକ୍କା ଘର ଯୋଜନାରୁ ବହନ କରାଯିବ।

Advertisment

ଆଜିର ନିଷ୍ପତ୍ତିକୁ ସମୟୋପଯୋଗୀ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି। ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନଙ୍କର ଏ କଷ୍ଟକୁ ସେ ଅନୁଭବ କରିଛନ୍ତି। ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଏହି ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରାଯାଇଛି। କେବଳ ସେତିକି ନୁହେଁ, ଏଭଳି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଡ଼ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ସାମ୍ନାରେ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଆଡକୁ ଆଙ୍ଗୁଠି ଉଠାଇ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଯେ କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏ ସଂପର୍କରେ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦୁଃଖର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡ଼ିଶା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଲୋକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି।

ବିଜୁ ପକ୍କା ଘର ଆଦି ମରାମତି ପାଇଁ ୩ ହଜାର
କେନ୍ଦ୍ର ଲାଗି ଘର ପାଇବାରୁ ବଞ୍ଚିତଙ୍କୁ ୫ ହଜାର
ବିଜୁ ପକ୍କା ଘର ଯୋଜନାରୁ
ଖର୍ଚ୍ଚ ହେବ ୧୪୪୪ କୋଟି
ମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ର ଘର ନ ଦେଲେ ଆମେ ପଦକ୍ଷେପ ନେବୁ

ଏ ବିଷୟରେ ମଧ୍ୟ ମୁଁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି। ହେଲେ ରାଜ୍ୟବାସୀ ଆଶ୍ବସ୍ତ ରହୁନ୍ତୁ ଯେ ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇ ଭଉଣୀମାନଙ୍କୁ ଘର ପାଇଁ ହଇରାଣ ହେବାକୁ ମୁଁ ଦେବି ନାହିଁ। ମୁଁ ଚାହେଁ ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଆପଣମାନଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ। ଯଦି କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବିକୁ ଗ୍ରହଣ ନ କରନ୍ତି, ତେବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ରାଜ୍ୟ ସରକାର ଆପଣମାନଙ୍କ ସାଥୀରେ ଅଛି। ଆପଣଙ୍କୁ ଘର ଦେବା ପାଇଁ ଆମେ ପଦକ୍ଷେପ ନେବୁ । ଅର୍ଥାତ୍ କେନ୍ଦ୍ର ସରକାର ଘର ନ ଦେଲେ ରାଜ୍ୟ ସରକାର ଦେବେ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ପରୋକ୍ଷରେ ଜଣାଇ ଦେଇଛନ୍ତି।

ସାଧାରଣତଃ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥାନ୍ତି। ସ୍ଥଳବିଶେଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ କେବେ କେବେ ଗଣମାଧ୍ୟମକୁ କ୍ୟାବିନେଟ୍ ସୂଚନା ଦେଇଥାନ୍ତି। ଆଜି କିନ୍ତୁ ନବୀନ ନିଜେ ସାମ୍ନାକୁ ଆସି ସୂଚନା ଦେବା ଘଟଣାକୁ ରାଜନୈତିକ ମହଲ ଗୁରୁତ୍ବ ଦେଇଛନ୍ତି। ନବୀନ ବିରୋଧୀଙ୍କୁ ମାତ୍ ଦେବା ପାଇଁ ଏଥିରେ କୌଶଳ କରିବା ସହିତ ଘର ଯୋଗାଣ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ବିଜେଡି ଯେ ଆଗକୁ ପ୍ରସଙ୍ଗ କରିବ, ଏ ନେଇ ଯଥେଷ୍ଟ ସଙ୍କେତ ଛାଡିଛନ୍ତି। ଆଜି କ୍ୟାବିନେଟ୍ ନିଷ୍ପତ୍ତି ପରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଘର ହେଉଛି ଗୋଟିଏ ପରିବାରର ପରିଚୟ। ଭଲ ଘରଟିଏ ସମସ୍ତଙ୍କର ସ୍ବପ୍ନ। ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି । ଏବେ ପ୍ରତି ବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର। ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ବପ୍ନ। ସେହି ସ୍ବପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ଆମେ ନିଷ୍ପତ୍ତି ନେଇଥିଲୁ । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରାଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ୨୦୧୪ରୁ ଏ ପର୍ଯ୍ୟନ୍ତ ୨୨ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି । ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନା କରିଛନ୍ତି । ତା ସହିତ କେନ୍ଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରହିଛି । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି ଅଧା ଖର୍ଚ୍ଚ ବହନ କରୁଛନ୍ତି ।