ଜନ୍ମମାଟିରେ ମାଷ୍ଟର ସେଫ୍‌ ବିଜେତା ଅବିନାଶ, ଆସିକାରେ ଖୁସିର ଲହରୀ ଛୁଟୁଛି ଶୁଭେଚ୍ଛାର ସୁଅ

ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇବା ଲକ୍ଷ୍ୟ: ଅବିନାଶ

ବ୍ରହ୍ମପୁର/ଆସିକା : ମନୋରଞ୍ଜନ ଚାନେଲ୍‌ ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ରିୟଲିଟି କୁକ୍‌ ସୋ ‘ମାଷ୍ଟର ସେଫ୍‌ ସିଜନ୍‌-୬’ର ବିଜେତା ଅବିନାଶ ନାୟକ ଆଜି ଜନ୍ମମାଟି ଗଞ୍ଜାମର ଆସିକା ନିକଟସ୍ଥ କାଳଷଣ୍ଢପୁରରେ ପହଞ୍ଚିଛନ୍ତି। ସେ ଗାଁରେ ପହଞ୍ଚିବା ପରେ ଆସିକା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ନିକଟକୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିଛି। ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ଆସିକା ବି‌ଧାୟିକା ମଞ୍ଜୁଳା ସ୍ବାଇଁ କାଳଷଣ୍ଢପୁର ସ୍ଥିତ ତାଙ୍କ ଘରକୁ ଆସି ଅବିନାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଆସିକା ଜୁନିୟର ଚାମ୍ବର୍‌ ଅଫ୍‌ କର୍ମସ, ଚ୍ୟାମ୍ବର୍‌ ଅଫ୍‌ କର୍ମସ, ବିନାୟକ ବଜାର ଓ ଲକ୍ଷ୍ମୀ ବଜାରର ଶୁଭେଚ୍ଛୁ, ଆସିକା ଓକିଲ ସଂଘର କର୍ମକର୍ତ୍ତା, ଆରିଅନ୍‌ ପବ୍ଲିକ ସ୍କୁଲର କର୍ମଚାରୀମାନେ ଅବିନାଶଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆସିକା ସହର ଉପକଣ୍ଠ କ‌ାଳଷଣ୍ଢପୁର ଗ୍ରାମର ଆଦିକନ୍ଦ ନାୟକ ଓ ବାସନ୍ତୀଙ୍କ ପୁଅ ହେଉଛନ୍ତି ଅବିନାଶ। ଯୁକ୍ତ ଦୁଇ ଶିକ୍ଷା ସମାପ୍ତ ପରେ ଇଲୋକ୍ଟ୍ରନିକ୍ସ ଓ ଟେଲିକମ୍ୟୁନିସନ୍‌ରେ ବିଟେକ୍‌ ସାରି ସେ ହାଇଦ୍ରବାଦ ସ୍ଥିତ ଇନ୍‌ଫୋସିସ୍‌ରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ପେସାରେ ଅବିନାଶ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ସତ୍ତ୍ବେ ରୋଷଇ ତାଙ୍କର ନିଶା ପାଲଟି ଯାଇଛି।

ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇବା ଲକ୍ଷ୍ୟ: ଅବିନାଶ
ଆମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଅବିନାଶ କହିଛନ୍ତି, ମାଷ୍ଟର ସେଫ୍‌ ସିଜନ୍‌-୬ରେ ଏଣ୍ଟ୍ରିଠାରୁ ଟାଇଟଲ୍‌ ହାସଲ ପର୍ଯ୍ୟନ୍ତ ଯାତ୍ରା ଅବିଶ୍ବସନୀୟ ଥିଲା। ଏତେବାଟ ପହଞ୍ଚି ପାରିବି ବୋଲି ‌କେବେ ବି ଆଶା କରି ନ ଥିଲି। କଠିନ ପରିଶ୍ରମ, ବାପାମାଆ ଓ ଗୁରୁଜନଙ୍କ ଆଶୀର୍ବାଦ ମୋତେ ଏହି ସଫଳତା ଦେଇଛି। ପିଲାଟି ଦିନରୁ ଖାଇବା ପ୍ରତି ମୋର ଦୁର୍ବଳତା ରହିଥିଲା। ପାଠପଢ଼ା ପରେ ଯେତେବେଳେ ଚାକିରି କରିବା ଲାଗି ହାଇଦ୍ରାବାଦ ଗଲି, ଘର ଖାଦ୍ୟ ଆଉ ପାଇଲି ନାହିଁ। ମନରେ ଏକ ଅବସୋସ ଥିଲା। ତେଣୁ ସେଠାରେ ଓଡ଼ିଆ ଘରୋଇ ଖାଦ୍ୟ ରାନ୍ଧିବା ଆରମ୍ଭ କଲି। ଏଥିସହ ରୋଷେଇ ସମ୍ପର୍କିତ ବିଭିନ୍ନ ବହି ପଢ଼ିଲି। ବିଭିନ୍ନ କୁକେରି ପ୍ରତିଯୋଗିତାରେ ଯୋଗ ଦେଲି। ଏପରି ପ୍ରାୟ ୪ବର୍ଷ ଧରି ପରିଶ୍ରମ କରିବା ପରେ ମାଷ୍ଟର୍‌ ସେଫ୍‌ ସିଜନ-୬ରେ ପହଞ୍ଚିବାରେ ସକ୍ଷମ ହେଲି। ମାଷ୍ଟର ସେଫ୍‌ ସଜିନ୍‌-୬ରେ ଯେତେବେଳେ ସୁଯୋଗ ପାଇଛି, ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ପ୍ରସ୍ତୁତ କରିଛି। ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁଙ୍କ ‌ଅବଢ଼ା ଓ ମହାପ୍ରସାଦ ମୋତେ ବହୁତ ଭଲ ଲାଗେ। ଅବଢ଼ା, ମିଠାଡାଲି, ଡାଲମା, ବେସର ଆଦି କେବେ ପ୍ରସ୍ତୁତ କରିଛନ୍ତି କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ମୁଁ କେବେ କ‌ୌଣସି ସୋ’ କରିନାହିଁ। କିନ୍ତୁ ଥରେ ଡାଲମା ଘରେ ପ୍ରସ୍ତୁତ କରିଛି। ମାଷ୍ଟର ସେଫ୍‌ ଟାଇଟଲ ହାସଲ ପରେ ପରବର୍ତ୍ତୀ ଲକ୍ଷ୍ୟ କଣ ରହିଛି ପ୍ରଶ୍ନରେ ସେ କହିଛନ୍ତି, ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଟ୍ରାଭେଲ୍‌ ସୋମାନ କରି ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଦେଖାଇବି। ଏହାଛଡ଼ା ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ଟ୍ରାଭେଲ୍‌ ବୁକ୍‌ ପ୍ରକାଶ କରିବା ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର