ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ଆସନରେ ଚଳିତ ୨୦୨୪ ନିର୍ବାଚନରେ ଲଢ଼େଇ ରୋଚକ ହେବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ବିଧାନସଭା ଆସନ ପାଇଁ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନରେ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ ତାଙ୍କ ବିପକ୍ଷରେ ବିଜେପି ପକ୍ଷରୁ କେ.ଅନୀଲ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ରମେଶ ହେଉଛନ୍ତି ଅନୀଲଙ୍କ ରାଜନୈତିକ ଗୁରୁ।

Advertisment

ରମେଶ ବିଧାୟକ ଥିବାବେଳେ ଅନୀଲ ତାଙ୍କର ଜଣେ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଏବେ ଗୁରୁ ଶିଷ୍ୟ ଦୁଇ ବିରୋଧୀ ରାଜନୈତିକ ଦଳର ମଙ୍ଗ ଧରି ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହୋଇଛନ୍ତି। ଅନୀଲଙ୍କ ଅନୁସାରେ ରମେଶ ବାବୁ ହେଉଛନ୍ତି ମୋର ରାଜନୈତିକ ଗୁରୁ। ମୁଁ ୧୧ ବର୍ଷ ଧରି ତାଙ୍କ ଅଧୀନରେ କାମ କରିଛି।

ତେବେ ଗତ ୨୫ ବର୍ଷ ଧରି ବ୍ରହ୍ମପୁରରେ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ସ୍ବେରଜ୍ ବ୍ୟବସ୍ଥାରେ କୌଣସି ଉନ୍ନତି ହୋଇ ନାହିଁ। ପାଣି ସମସ୍ୟା ଲାଗି ରହିଥିବାବେଳେ ରିଙ୍ଗ୍ ରୋଡ୍ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇ ପାରି ନ ଥିବା ଅନୀଲ କହିଛନ୍ତି।

ଏହି ପ୍ରସଙ୍ଗ ନେଇ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ସେ କହିଛନ୍ତି। ରମେଶ ମୋ ଗୁରୁ ହେଲେ ମଧ୍ୟ ତାଙ୍କ ଦଳ ଏବଂ ମୋ ଦଳର ଚିନ୍ତାଧାରାରେ ଭିନ୍ନତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଆମେ ଭୋଟରଙ୍କ ପାଖକୁ ଯିବୁ ଏବଂ ଏକତରଫା ବିଜୟ ହାସଲ କରିବୁ ବୋଲି ଅନୀଲ କହିଛନ୍ତି।

ରମେଶ ଲଗାତାର ୫ ଥର ବ୍ରହ୍ମପୁରରୁ ବିଧାୟକ ହୋଇଛନ୍ତି। ୧୯୯୫ରେ ପ୍ରଥମେ ବ୍ରହ୍ମପୁରରୁ ବିଧାୟକ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ଏହି ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୨୦୧୯ରେ ସେ ନିର୍ବାଚନ ଲଢ଼ି ନ ଥିଲେ।