ଜୟପୁର ସହର ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ ହେଉଛି

ଭୁବନେଶ୍ବର: ଜୟପୁର ସହରର ବିକାଶ ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯାଉଛି। କୋରାପୁଟ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଏବଂ କନ୍‌ସଲଟାଣ୍ଟ୍‌ ନୂଆଦିଲ୍ଲୀର ଏନ୍‌ଏଫ୍‌ ଇନ୍‌ଫ୍ରାଟେକ୍ ସର୍ଭିସ୍ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ୨୦୧୬ ଜୁଲାଇରେ ରାଜିନାମା ସ୍ବାକ୍ଷର କରାଯାଇଛି। ବର୍ତ୍ତମାନ ମାଷ୍ଟର୍ ପ୍ଲାନ୍ କାର୍ଯ୍ୟ ଚାଲୁ ରହିଛି। ଆଜି ବିଧାନସଭାର ପ୍ରଶ୍ନକାଳରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ର‌ତାପ ଜେନା ଏହି ସୂଚନା ଦେଇଥିଲେ।

ଜୟପୁର ସହରକୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ମନ୍ତ୍ରୀ କହିଥିଲେ, ଏହି ସହରାଞ୍ଚଳକୁ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଜଳଯୋଗାଣ କରାଯିବ। ବର୍ତ୍ତମାନ ୯୫ ପ୍ରତିଶତ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଛି। ଅବଶିଷ୍ଟ ଅଞ୍ଚଳକୁ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ପରେ ସମ୍ପୂର୍ଣ୍ଣ ଶତ ପ୍ରତିଶତ ଜଳଯୋଗାଣ କରାଯିବ। ଶ୍ରୀ ବାହିନୀପତି କହିଥିଲେ, ଦିଲ୍ଲୀର ଯେଉଁ ସଂସ୍ଥା ନେଇଛି ସେହି ସଂସ୍ଥାର ପ୍ରତିନିଧିମାନେ କେବେ ଜୟପୁର ଆସି କ୍ଷେତ୍ର ପରିଦର୍ଶନ କଲେ ତାହା ଜଣାପଡ଼ିଲାନି। କେବେ ସୁଦ୍ଧା ମା‌ଷ୍ଟର୍ ପ୍ଲାନ୍ ସରିବ, ତାହାର ସମୟ ଧାର୍ଯ୍ୟ କରାଯାଉ। ଜୟପୁର ସହରରେ ପିଇବା ପାଣିର ଉତ୍କଟ ଅଭାବ ରହିଛି। କୋରାପୁଟ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଅଛି ବୋଲି ଅନୁଭବ କରି ହେଉ ନାହିଁ। ସେହି ଅଫିସ୍ କେବେ ଖୋଲିବାର କେହି ଦେଖି ନାହାନ୍ତି। ତୁରନ୍ତ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରି ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ସେ ଦାବି କରିଥିଲେ। ମନ୍ତ୍ରୀ କହିଲେ, ମାଷ୍ଟର୍ ପ୍ଲାନ୍ ପାଇଁ ପ୍ରକ୍ରିୟା ଚାଲିଛି। ବିଭିନ୍ନ ପର୍ଯ୍ୟାୟରେ ଏ ନେଇ ବୈଠକ ହୋଇଛି। ଖୁବ୍ ଶୀଘ୍ର ଡ୍ରାଫ୍ଟ ମାଷ୍ଟର୍ ପ୍ଲାନ୍ ଆସିବ।

ସମ୍ବନ୍ଧିତ ଖବର