ବିଜେଡିର ମାଷ୍ଟର୍‌ଷ୍ଟ୍ରୋକ୍‌: ବିଦ୍ରୋହୀ ପ୍ରାର୍ଥିନୀଙ୍କୁ ଟାଣିନେଲା

ବରଗଡ଼: ପୌର ନିର୍ବାଚନ ଭୋଟ୍‌ ପଡ଼ିବା ପୂର୍ବରୁ ବରଗଡ଼ ସହରରେ ରାଜନୀତି କଡ଼ ଲେଉଟାଇଛି। ଠିକଣା ସମୟରେ ବିଜେଡି ଖେଳିଛି ମାଷ୍ଟର୍‌ଷ୍ଟ୍ରୋକ୍‌। ପୌରାଧ୍ୟକ୍ଷା ପାଇଁ ଲଢ଼େଇ କରୁଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥିନୀ ରାଜକୁମାରୀ ଦାଶଙ୍କୁ ବିଜେଡି ନିଜ ଶିବିରରେ ସାମିଲ କରି ନେଇଛି। ଯଦ୍ବାରା ବିଜେଡି ମାନସିକ ଭାବେ ଆଉ ଗୋଟିଏ ବିଜୟ ଲାଭ କରିଛି। ରାଜକୁମାରୀ ପ୍ରଥମେ ବିଜେପି ଟିକଟ୍‌ରୁ ପୌରାଧ୍ୟକ୍ଷ ଆସନ ପାଇଁ ଲଢ଼ିବାକୁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକଟ୍‌ ନମିଳିବାରୁ ସେ ସ୍ବାଧୀନ ଭାବେ ନାମାଙ୍କନ କରିଥିଲେ। କିଛି ମାତ୍ରାରେ ପ୍ରଚାର ବି କରିଥିଲେ।

କିନ୍ତୁ ବିଜେଡି ଗୋଟି ଚାଳନା କରି ତାଙ୍କୁ ଦଳରେ ସାମିଲ କରିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ଗଡ଼ି ସାରିଛି। କିନ୍ତୁ ଆଗକୁ ରାଜକୁମାରୀ ବିଜେଡି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କୁ (ରାଜକୁମାରୀ) ଆଉ ଭୋଟ୍ ନ ଦେବାକୁ ସେ ନିବେଦନ କରିଛନ୍ତି। ଏହି ଘଟଣାକ୍ରମ ସହିତ ବିଜେଡି ନିଜ ସ୍ଥିତିକୁ ମଜଭୁତ କରିବାକୁ ଲାଗିଛି। କାରଣ ରାଜକୁମାରୀଙ୍କ ପକେଟ୍‌ ଭୋଟ୍‌ ଆଗକୁ ବିଜେଡି ଖାତାରେ ଚଢ଼ିବ ବୋଲି ଗଣନା କରାଯାଉଛି। ବିଜେପି ନିଜ ବିଦ୍ରୋହୀ ପ୍ରାର୍ଥିନୀଙ୍କୁ ମନାଇବାରେ ଫେଲ୍‌ ମାରିଛି।

ଯାହାର ଫାଇଦା ଚତୁରତାର ସହିତ ବିଜେଡି ଉଠାଇ ନେଇଛି। ସ୍ଥାନୀୟ ମୀରା ହୋଟେଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ  ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ରାଜକୁମାରୀ, ତାଙ୍କ ସ୍ବାମୀ ତଥା ବିଜେପିର ପୁରୁଖା ନେତା ବିଜୟ ଦାଶ ଏବଂ ସମର୍ଥକମାନେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେଡି କାଉନସିଲର ପ୍ରାର୍ଥୀ କବିତା ବେହେରା, ସଂଜୀବ କୋହିଲି, ବରିଷ୍ଠ ନେତା ଗୌରହରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର