କରୋନା ମୁକାବିଲା ଚିନ୍ତା, ୧୫ ବିଶେଷଜ୍ଞଙ୍କୁ ମାଷ୍ଟରଟ୍ରେନର୍‌ ତାଲିମ୍‌

କଟକ: କରୋନା ମୁକାବିଲା ପାଇଁ କଟକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ଡାକ୍ତରୀ ଛାତ୍ର, ପାରାମେଡିକାଲ କର୍ମଚାରୀଙ୍କୁ ତାଲିମ୍‌ ଦେବା ପାଇଁ ଆଜି ୧୫ଜଣ ବିଶେଷଜ୍ଞଙ୍କୁ ମାଷ୍ଟରଟ୍ରେନର୍‌ ପାଇଁ ତାଲିମ୍‌ ଦିଆଯାଇଛି।

ପୁଲମ୍ୟୁନାରି ମେଡିସିନ୍‌ ବିଭାଗ ମୁଖ୍ୟ ତଥା କରୋନା ନୋଡାଲ ଅଫିସର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକଙ୍କ ‌ନେତୃତ୍ବରେ ଏହି ତାଲିମ୍‌ ଶିବିର ଆୟୋଜିତ ହୋଇଛି। ତେବେ ଏହି ତାଲିମ୍‌ ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି। ମେଡିସିନ୍‌, ପଲମ୍ୟୁନାରି ମେଡିସିନ୍‌ ତଥା ବିଭିନ୍ନ ବିଭାଗର ୧୫ଜଣ ବିଶେଷଜ୍ଞଙ୍କୁ ମାଷ୍ଟର ଟ୍ରେନର୍‌ ଭାବେ ତାଲିମ୍‌ ଦିଆଯାଇଥିଲା। ସେମାନେ ପାଖାପାଖି ୧ ହଜାର ଡାକ୍ତର, ଡାକ୍ତରୀ ଛାତ୍ର, ଦିଦି, ପାରାମେଡିକାଲ କର୍ମଚାରୀଙ୍କୁ କରୋନା ମୁକାବିଲା ଓ ସ୍ବତନ୍ତ୍ର କରୋନା ହସ୍ପିଟାଲ ପାଇଁ ତାଲିମ୍‌ ଦେବେ। ଏପରିକି ଡାକ୍ତରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ତାଲିମ୍‌ ଦେବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଜଣାପଡ଼ିଛି। ଏଥିପାଇଁ, ପଲମ୍ୟୁନାରି ମେଡିସିନ୍‌ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଥିଟା ମହାନ୍ତି ଓ ମାଇକ୍ରୋ ବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ଡି.ପି ମହାନ୍ତି ଦିଲ୍ଲୀରୁ ତାଲିମ୍‌ ନେଇ ଫେରିଛନ୍ତି। ତାଲିମ୍‌ ଶିବିରରେ ଟିମ୍‌ଲିଡର୍‌ ଭାବେ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ବିରଞ୍ଚି ମହାପାତ୍ର, ବାୟୋକେମେଷ୍ଟ୍ରି ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ରୋମା ରତନ, ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ମେଡିସିନ୍‌, କମ୍ୟୁନିଟି ମେଡିସିନ୍‌, ମାଇକ୍ରୋ‌ବାୟୋଲୋଜି, ପାଥୋଲୋଜି, ବାୟୋକେମିଷ୍ଟ୍ରି, କ୍ରିଟିକାଲ କେୟ‌ାର ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଯେଉଁଥିରେ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସହଯୋଗୀ ପ୍ରଫେସର ଡାକ୍ତର ମନୋରଞ୍ଜନ ବେହେରା, ପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅସରନ୍ତି କର ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର