ହରିଚନ୍ଦନପୁର: ଅଳ୍ପ କିଛି ବାକ୍ସରେ ପାଞ୍ଚବର୍ଷ ତଳେ ଆରମ୍ଭ କରିଥିଲେ ମହୁଚାଷ। ଆଶାନୁରୂପ ଆୟ ପରେ ବାକ୍ସ ସଂଖ୍ୟା ବଢ଼ିଲା। ମହୁମାଛିଙ୍କ ଖାଦ୍ୟ ପାଇଁ ସେହି ଜମିରେ ଲଗାଇଲେ କିଛି ତୁଳସୀଗଛ। ଏବେ ସେହି ତୁଳସୀ ଚାଷରୁ ତାଙ୍କୁ ମିଳିଛି ୩ ଲକ୍ଷ ଟଙ୍କା। ମହୁରୁ ମଧ୍ୟ ସେ ଲକ୍ଷାଧିକ ଟଙ୍କା ଆୟ କରିଛନ୍ତି। ମହୁମାଛି ପାଳନରେ ସଫଳତା ପାଇଁ ତାଙ୍କୁ  ମାଷ୍ଟର ଟ୍ରେନର୍‌ ରୂପେ ଓୟୁଏଟି ନିଯୁକ୍ତ କରିଛି। ଏହା ହେଉଛି କେନ୍ଦୁଝର ଜିଲ୍ଲା ହରିଚନନ୍ଦପୁର ବ୍ଲକ୍‌ ଠାକୁରପଡ଼ା ପଞ୍ଚାୟତର ବିଏସ୍‌ସି ଶିକ୍ଷାପ୍ରାପ୍ତ ଯୁବକ ମହେଶ୍ବର ମହାନ୍ତଙ୍କ ସଫଳତାର କାହାଣୀ।

Advertisment

ଦିନେ ଚାକିରି ଓ ରୋଜଗାର ଅନ୍ବେଷଣରେ ଥିବା ମହେଶ୍ବର ଘରବାଡ଼ିରେ ପନିପରିବା ଚାଷ କରିବା ସହ ଦୁଇ/ତିନୋଟି ମହୁବାକ୍ସ ରଖିଥିଲେ। ପରେ ଗାୟତ୍ରୀ ପରିବାରର ସହଯୋଗରେ ସେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ମହୁମାଛି ପାଳନ ପ୍ରଶିକ୍ଷଣ ନେଇଥିଲେ। ସେଠାରୁ ଫେରି ନିଜର ୭୦ ଡେସିମିଲ ଜମିରେ ପ୍ରାୟ ଶହେ ବାକ୍ସରେ ଆରମ୍ଭ କରିଥିଲେ ମହୁଚାଷ। ପ୍ରଥମେ ତାଙ୍କୁ ବିଭିନ୍ନ ପ୍ରତିବନ୍ଧକ ସାମ୍‌ନା କରିବାକୁ ପଡ଼ିଥିଲା। ଚାଷ ଛାଡ଼ିଦେବାର ଭାବନା ବି ମନ ଭିତରକୁ ଆସିଥିଲା। ଏହିସମୟରେ ଅପ୍ରତ୍ୟାଶିତ ଭାବେ ମହୁମାଛିଙ୍କ ଖାଦ୍ୟ ନିମନ୍ତେ ଲଗାଇଥିବା ତୁଳସୀଗଛରୁ ପ୍ରାୟ ୩ ଲକ୍ଷ ଟଙ୍କା ମିଳିଥିଲା। ତୁଳସୀ ତେଲ ଲିଟର ୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ସେ ଅଧିକ ଜମିରେ ତୁଳସୀ ଚାଷ କଲେଣି। ତୁଳସୀରୁ ମହୁମାଛି ପୋଲେନ ସଂଗ୍ରହ କରିଥାଏ, ଯାହା ମହୁକୁ ଅଧିକ ଔଷଧୀୟ ଗୁଣଯୁକ୍ତ କରିଥାଏ।  ତାଙ୍କ ବଗିଚାରେ ଲଙ୍କାଗଛ, କଲରା, ସୂର୍ଯ୍ୟମୁଖୀ ଓ ତରଭୁଜ ଓ ଧନିଆପତ୍ର ଚାଷ ହୋଇଛି। ଏସବୁ ଫୁଲରୁ ମହୁମାଛିଙ୍କୁ ଆବଶ୍ୟକ ଖାଦ୍ୟ ମିଳିପାରୁଛି। ଫୁଲ ସମୟରେ ଗୋଟିଏଗୋଟିଏ ବାକ୍ସରୁ ମାସିକ ହାରାହାରି ୨୦ କେଜି ମହୁ ସଂଗ୍ରହ ହୋଇଥାଏ ବୋଲି ମହେଶ୍ବର କହିଛନ୍ତି। କେବଳ ବର୍ଷାଦିନେ ଉତ୍ପାଦନ ସାମାନ୍ୟ କମ୍‌ ହୋଇଥାଏ। ତାଙ୍କ ଉତ୍ପାଦିତ ମହୁର ଚାହିଦା ଅଧିକ ଥିବାରୁ ସେ ଯୋଗାଇ ପାରୁନଥିବା କହନ୍ତି।  ସେ ଇଣ୍ଡିକା ସେରେନା ପ୍ରଜାତିର ମହୁମାଛି ପାଳନ କରିଛନ୍ତି। ଗୋଟିଏ ଦଳ ମହୁମାଛିଙ୍କୁ ୧୫୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ମହୁମାଛି ପାଳନର ବଡ଼ ଲାଭ ହେଉଛି ନିକଟବର୍ତ୍ତୀ ଜମିରେ ହେଉଥିବା ପରିବା ଫସଲ ରୋଗମୁକ୍ତ ରହୁଛି। ଉତ୍ପାଦନ ମଧ୍ୟ ବଢ଼ୁଛି।