ବଲାଙ୍ଗୀର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କେଳେଙ୍କାରୀ : ମାଷ୍ଟରମାଇଣ୍ଡ କିରାଣି ଗିରଫ

ବଲାଙ୍ଗୀର : ବଲାଙ୍ଗୀର ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ନିଲମ୍ବିତ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ରାତି ଅଧିଆ ଚଢ଼ଉ କରି ଭିଜିଲାନ୍ସ ଟିମ୍‌ ପ୍ରମୋଦଙ୍କୁ ଗିରଫ କରିବା ସହ ଘର ସର୍ଚ୍ଚ କରିଛି। ଘରୁ ନଗଦ ୮ ଲକ୍ଷ ୭୧ ହଜାର ଟଙ୍କା ବାହାରି ଥିବା ବେଳେ ସେ ବ୍ୟବହାର କରୁଥିବା ୬ଟି ବୁଲେଟ, କାର୍‌ ଓ ସୁନାଗହଣା (ପ୍ରାୟ୨୦ ଭରି) ଭିଜିଲାନ୍ସ ଠାବ କରିଛି। ଏହାସହ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ବିଇଓ ରିଚପାଲ ସାଗରଙ୍କୁ ଗିରଫ କରିବାକୁ ଭିଜିଲାନ୍ସ ଟିମ୍‌ ଯାଇଥିଲେ ବି ଖାଲି ହାତରେ ଫେରିଛି। ରିଚପାଲଙ୍କ ମୋବାଇଲ ଓ ଅନ୍ୟ କାଗଜପତ୍ର ସବୁ ତାଙ୍କ ଘରୁ ଜବତ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ଶିକ୍ଷା କାର୍ଯ୍ୟାଳୟର ଏହି ମହାକେଳେଙ୍କାରୀର ପର୍ଦ୍ଦାଫାସ୍‌ ପ୍ରଥମେ କରିଥିଲା ସମ୍ବାଦ। ତାପରେ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଥିଲା ଶିକ୍ଷା ବିଭାଗ। ତଦନ୍ତରୁ ଜଣାପଡ଼ିଥିଲା ଅବସରପ୍ରାପ୍ତ ଶିକ୍ଷକମାନଙ୍କ ନାଁରେ ନକଲି ଦଲିଲ କରି କୋଟିଏରୁ ଅଧିକ ଟଙ୍କାର ଅନିୟମିତତା ହୋଇଛି। ପରେ ଭିଜିଲାନ୍ସ ଏହି କେଲେଙ୍କାରୀକୁ ନେଇ ତନାଘନା କରିଥିଲା।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ନିଲମ୍ବିତ କିରାଣି ପ୍ରମୋଦ ନକଲି ଦସ୍ତାବିଜରେ ଅସଲି ଟଙ୍କା ତହବିଲରୁ ଉଠାଇଥିଲେ। ପେନସନ ଫାଇଲପତ୍ରରେ ଚଞ୍ଚକତା କରି ସେ ମୋଟ୍‌ ୧ କୋଟି ୭୧ ଲକ୍ଷ ୫୬ ହଜାର ଟଙ୍କାର ଆତ୍ମସାତ କରିଛନ୍ତି। ଭିଜିଲାନ୍ସ ପାଖରେ ଅଭିଯୋଗ ପହଞ୍ଚିବା ପରେ ପ୍ରଥମେ ଭିତିରିଆ ଭାବରେ ତଦନ୍ତ କରାଯାଇଥିଲା। ସେଥିରେ ସବୁ କିଛିର ତଥ୍ୟ ଭିଜିଲାନ୍ସ ପାଇବା ପରେ ଗତ ୧୯/୦୫/୨୦୨୦ରୁ ତଦନ୍ତକୁ ତ୍ୱରାନ୍ୱିତ କରିଥିଲା। କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଚଢଉ କରି ବିଭିନ୍ନ କାଗଜପତ୍ର ଜବତ କରିଥିଲା। ଗତ ୨୨ ତାରିଖରେ କେସ ନଂ-୩୮/୨୦୨୦ରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା।

ଭିଜିଲାନ୍ସର କହିବା ଅନୁସାରେ, ପ୍ରମୋଦ ନିଜ ବାପା କେଶବ ରଥ, ସ୍ତ୍ରୀ ଝରଣା ରଥ, ଭଉଣୀ ସବିତା ନନ୍ଦ, ସଂପର୍କୀୟ ଶୁଭସିକ୍ତା ମିଶ୍ର, ବନ୍ଧୁ ଚିତ୍ତରଂଜନ ପୂଝାରୀ, ନିରଜ ବହିଦାର, ନିମାଇଁ ଚରଣ ମିଶ୍ର, ନିତାଇ ଚରଣ ମିଶ୍ରଙ୍କ ଆକାଉଣ୍ଟ ବ୍ୟବହାର କରି ସରକାରୀ ତହବିଲରୁ ୧ କୋଟି ୭୧ ଲକ୍ଷ ୫୬ ହଜାର ଟଙ୍କା ଉଠାଇଥିଲେ। ସରକାରୀ ତହବିଲରୁ ଟଙ୍କା ଉଠାଇ ମାଲାମାଲ ହୋଇଥିଲେ। ସବୁ ଫାଇଲପତ୍ରରେ ତତ୍କାଳୀନ ବିଇଓଙ୍କ ବି ଦସ୍ତଖତ ସବୁ ରହିଥିଲା। ସେ ବି ଏହି ମାମଲାରେ ଛନ୍ଦି ହୋଇଥିବା ଭିଜିଲାନ୍ସ କହିଛି। ତଦନ୍ତ ଜାରି ରହିଥିବାବେଳେ ଆଗାମୀ ଦିନରେ ଆହୁରି ତଥ୍ୟ ଭିଜିଲାନ୍ସ ହାତେଇବ ବୋଲି ତଦନ୍ତକାରୀ ଅଧିକାରୀ ସଦାନନ୍ଦ ପାଣି କହିଛନ୍ତି। ତତ୍କାଳୀନ ବିଇଓ ରିଚପାଲଙ୍କୁ ଭିଜିଲାନ୍ସ ଟିମ୍‌ ପାଇନଥିବା ବେଳେ ପ୍ରମୋଦଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପ୍ରମୋଦଙ୍କ ଘରେ ୬ଟି ବୁଲେଟ୍‌, କାର୍‌, ଲକ୍ଷଲକ୍ଷ ନଗଦ ଟଙ୍କା, ସୁନାଗହଣା ଆଦି ଭିଜିଲାନ୍ସ ଟିମ୍‌ ଠାବ କରିଥିଲା। ତଦନ୍ତ ଜାରି ରହିଥିବାରୁ ଭିଜିଲାନ୍ସ ସବିଶେଷ ସୂଚନା ଦେଇ ନାହିଁ। ଦିନସାରା ପ୍ରମୋଦଙ୍କୁ ଭିଜିଲାନ୍ସ ଜେରା କରିବା ପରେ ବହୁ ତଥ୍ୟ ହାସଲ କରିଛି। କେଉଁମାନେ ପ୍ରମୋଦଙ୍କ ସହ ମିଶି ସବୁ କେଳେଙ୍କାରୀ କରିଥିଲେ ସବୁର ତଥ୍ୟ ସଂଗ୍ରହ କରିଛି ଭିଜିଲାନ୍ସ। ଭିଜିଲାନ୍ସ କେସ ନଂ-୩୮/୨୦୨୦, ୩୨/୨ଆରଡବ୍ଲୁ ୩୧ଏ, ପିସି ଆମନମେଣ୍ଟ ଆକ୍ଟ-୨୦୧୮, ୩୪/୪୦୯(ସରକାରୀ ଅର୍ଥ ହେରଫେର), ୧୨୦ବି ଆଇପିସିରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଏଯାଏ ଏହି ମାମଲାରେ ପ୍ରମୋଦଙ୍କ ସହ ତାଙ୍କ ବାପା କେଶବ ରଥ ଓ ତତ୍କାଳୀନ ବିଇଓ ରିଚପାଲଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ପ୍ରମୋଦ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଇଓ ଏହି ମାମଲାରେ ସଂପୃକ୍ତ। ତାଙ୍କୁ ମୋହରା କରାଯାଇଥିଲା। ବିଇଓ ଦୁଇଟି ପଦବିରେ ତାଙ୍କୁ ଜାଣିଶୁଣି ରଖିଥିଲେ। ତାଙ୍କଠାରୁ ଆକାଉଣ୍ଟ ନମ୍ବର ନେଇଯାଇଥିଲେ। ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ପ୍ରମୋଦ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର