ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଡ୍ରାମା ଉପରୁ ପରଦା ହଟିଲା, ମାଷ୍ଟର୍‌ମାଇଣ୍ଡ୍‌ ଡ୍ରାଇଭର୍‌ ସହ ୩ ବନ୍ଧାହେଲେ

୨୦.୯୦ ଲକ୍ଷ, ବାଇକ୍‌ ସହ୪ ମୋବାଇଲ୍‌ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା‌ ରୋଡ଼ରୁ ଏଟିଏମ୍‌ ଟଙ୍କା ଲୋଡିଂ ଭ୍ୟାନ୍‌ ଅପହରଣ ଓ ପରେ ଲୁଟ୍‌ ଡ୍ରାମା ଉପରୁ ପରଦା ହଟାଇଛି ପୁଲିସ। ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଲୁଟ୍‌ ଡ୍ରାମାର ମାଷ୍ଟର୍‌ମାଇଣ୍ଡ୍‌ ହେଉଛି ଖୋଦ୍‌ ଗାଡ଼ିର ଡ୍ରାଇଭର୍‌ ଆଶିଷ କୁମାର ଦିଗାଲ। ଆଶିଷ ତା’ର ଦୁଇଜଣ ସହଯୋଗୀଙ୍କ ସହିତ ଟଙ୍କା ଲୁଟ୍‌ ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଅପରେସନ୍‌ ସଫଳ ପରେ ପୁଲିସକୁ ବାଟବଣା କରିବା ପାଇଁ ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲା ଆଶିଷ। ଯାହାକି ପୁଲିସ ପର୍ଦ୍ଦାଫାସ୍‌ କରିଛି। ଏହି ଘଟଣାରେ ବଡ଼ବଜାର ଥାନା ପୁଲିସ କେସ୍ ନମ୍ବର ୧୭୨/୨୧ରେ ଭ୍ୟାନ୍‌ ଡ୍ରାଇଭର୍‌ ତଥା କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଆଡ଼ାସିକୁପା ଗ୍ରାମର ଆଶିଷ ଓ ତା’ର ଦୁଇଜଣ ସହଯୋଗୀ ସାରଙ୍ଗଗଡ଼ ଥାନା କଟ୍ରିଙ୍ଗିଆ ଗ୍ରାମର ମାନ୍ୟବର ନାୟକ ଓ ରାଣୀପଡ଼ା ଗ୍ରାମର କାର୍ତ୍ତିକ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ୨୦ଲକ୍ଷ ୯୦ହଜାର ଟଙ୍କା, ୪ଟି ମୋବାଇଲ୍‌ ଓ ଲୁଟ୍‌ ଘଟଣାରେ ବ୍ୟବହାର ହୋଇଥିବା ଏକ ବାଇକ୍‌ ଜବତ ହୋଇଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏଜିଏସ୍‌ ସିକ୍ୟୋର୍‌ ନାମକ ଏକ ଘରୋଇ ସଂସ୍ଥା ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମ୍‌ କାଉଣ୍ଟର୍‌ରେ ଭର୍ତ୍ତି କରିଥାଏ। ଗତ ୧୮ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସଂସ୍ଥାର ୪ଜଣ କର୍ମଚାରୀ ୨୬ଲକ୍ଷ ଟଙ୍କା ଭ୍ୟାନ୍‌ରେ ଧରି ବାହାରିଥିଲେ। ରଜାସାହି ସ୍ଥିତ ଏଟିଏମ୍‌ କାଉଣ୍ଟର୍‌ରେ ୨ଲକ୍ଷ ଟଙ୍କା ଭର୍ତ୍ତି କରିବା ପରେ ଆସିକା ରୋଡ଼ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର୍‌କୁ ଯାଇଥିଲା। ଗନ୍‌ମ୍ୟାନ୍‌ ଓ ଦୁଇଜଣ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ବ୍ୟାଙ୍କ ଭିତରକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ଗାଡ଼ିଟି ସେଠାରୁ ଉଭାନ୍‌ ହୋଇ ଯାଇଥିଲା। କର୍ମଚାରୀମାନେ ସଂସ୍ଥାର ମୁଖ୍ୟାଳୟ କରିଥିଲେ। ଭ୍ୟାନ୍‌ରେ ଲାଗିଥିବା ଜିପିଏସ୍‌ ଲୋକେସନ୍‌ ଟ୍ରାକ୍‌ କରାଯାଇଥିଲା। ଭ୍ୟାନ୍‌ର ଲୋକେସନ୍‌ ଆନ୍ଧ୍ର ସୀମାନ୍ତ ଗିରିସୋଲା ପଟେ ଦେଖାଉଥିବାରୁ ଗୋଳନ୍ଥରା ଥାନାକୁ ଖବର ଦିଆଯାଇଥିଲା। ଗୋଳନ୍ଥରା ଥାନା ପୁଲିସ ଗିରିସୋଲା ସୋରଳ ରୋଡ଼ ନିକଟରୁ ଭ୍ୟାନ୍‌ଟି ଠାବ କରିଥିଲା। ଭ୍ୟାନ୍‌ରେ ଡ୍ରାଇଭର୍‌ ଆଶିଷ ଦିଗାଲ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ପ୍ରଥମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ପରେ ଭ୍ୟାନ୍‌ରୁ ୨୪ଲକ୍ଷ ଟଙ୍କା ଗାଏବ ଥିବା ଜଣାପଡ଼ିଥିଲା। ଡ୍ରାଇଭର୍‌ ଆଶିଷ ସାମାନ୍ୟ ସୁସ୍ଥ ହେବା ପରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଦୁଇଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭ୍ୟାନ୍‌ ଅପହରଣ କରି ନେଇଥିଲେ। ପରେ ତାଙ୍କୁ କିଛି ନିଶା ଦେଇଥିଲେ। ଏହାପରେ ସେ କିଛି ଜାଣି ନଥିବା କହିଥିଲେ। ଡ୍ରାଇଭର୍‌ଙ୍କ ବୟାନ ଆଧାର କରି ପୁଲିସ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟ‌ାମେରା ଯାଞ୍ଚ କରିଥିଲା। ହେଲେ ଭ୍ୟାନ୍‌ରେ ଡ୍ରାଇଭର୍‌ଙ୍କ ବ୍ୟତୀତ ଅନ୍ୟ କେହି ବସି ନଥିବା ଜଣାପଡ଼ିଥିଲା। ଏଣୁ ପୁଲିସକୁ ଡ୍ରାଇଭର୍‌ଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ ଡ୍ରାଇଭର୍‌ଙ୍କୁ ମାରାଥନ୍‌ ଜେରା କରିବା ପରେ ସେ ଲୁଟ୍‌ ଘଟଣାକୁ ସ୍ବୀକାର କରିଥିଲା। ଆଶିଷ ତା’ର ଦୁଇଜଣ ସହଯୋଗୀଙ୍କ ସହାୟତାରେ ଲୁଟ୍‌ କରିଥିବା କହିଥିଲେ। ବ୍ରହ୍ମପୁର ପୁଲିସର ଏକ ଟିମ୍‌ କଟ୍ରିଙ୍ଗିଆ ଯାଇ ମାଟି‌ତଳେ ପୋତା ଯାଇଥିବା ୨୦ଲକ୍ଷ ୯୦ହଜାର ଟଙ୍କା ଜବତ କରିଥିଲା। ବାକି ଟଙ୍କା ସେମାନେ ଭାଗବଣ୍ଟା କରି ଖର୍ଚ୍ଚ କରି ଦେଇଥିବା ପୁଲିସ ଅନୁମାନ କରୁଛି। ସେଠାରୁ ଆଶିଷର ଦୁଇ ସହଯୋଗୀ ମାନ୍ୟବର ଓ କାର୍ତ୍ତିକକୁ ପୁଲିସ ଗିରଫ କରି ବ୍ରହ୍ମପୁର ଆଣିଥିଲା।

ଘଟଣା ଦିନ ଆଶିଷ ଟଙ୍କା ଭର୍ତ୍ତି ଭ୍ୟାନ୍‌ ନେଇ ଆସିକା ରୋଡ଼ାରୁ ବାହାରିବା ପରେ ରାସ୍ତାରେ ମାନ୍ୟବରକୁ ଗାଡ଼ିରେ ବସାଇଥିଲା। ମାନ୍ୟବର ନକଲି ଚାବି ସହାୟତାରେ କ୍ୟାସ୍‌ବକ୍ସର ତାଲା ଖୋଲି ସବୁ ଟଙ୍କା ଏକ ଏୟାର୍‌ ବ୍ୟାଗ୍‌ରେ ଭର୍ତ୍ତି କରିଥିଲା। ଭ୍ୟାନ୍‌ଟି ପ୍ରେମନଗର ହୋଇ ଅନ୍ଧପସରା ରୋଡ଼ ପଟେ ଯାଇ ଜାତୀୟ ରାଜପଥ ହୋଇ ଗିରିସୋଲା ଯାଇଥିଲା। ଏହା ପୂର୍ବରୁ ଆମ୍ବ ମାର୍କେଟ ଛକରେ ଆଶିଷ ଭ୍ୟାନ୍‌ ରଖି ମାନ୍ୟବରକୁ ଓହ୍ଲାଇ ଦେଇଥିଲା। ମାନ୍ୟବର ତା’ର ଅନ୍ୟତମ ସହଯୋଗୀ କାର୍ତ୍ତିକ ସହିତ ଏକ ବାଇକ୍‌ରେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ପୁରୁଣା ବ୍ରହ୍ମପୁର ରାସ୍ତା ଦେଇ ଫୁଲବାଣୀ ଅଭିମୁଖେ ଚାଲି ଯାଇଥିଲା ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି। ଗିରିସୋଲା ନିକଟରେ ପହଞ୍ଚିବା ପରେ ଆଶିଷ ଡିଭାଇନ୍‌ ସ୍ଲିପ୍‌ ଲିକ୍ବିଡ୍‌ ନାମକ ଔଷଧ ନାକରେ ସ୍ପ୍ରେ କରି ଦେଇଥିଲା। ଫଳରେ ସେ ସେଠାରେ ଶୋଇ ପଡ଼ିଥିଲା। ପରେ ଗୋଳନ୍ଥରା ଥାନା ପୁଲିସ ଗାଡ଼ି ଠାବ କରି ଡ୍ରାଇଭର୍‌କୁ ଉଦ୍ଧାର କରିଥିଲା। ପୁଲିସକୁ ବାଟବଣା କରିବା ସହିତ ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଡ୍ରାଇଭର୍‌ ଆଶିଷ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା। ଏଥିପାଇଁ ସେ ମାଉଜର୍‌ଧାରୀଙ୍କ କଥା କହି ପୁଲିସକୁ ଭୂଆଁ ବୁଲାଇଥିଲା ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ ସୋରନ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର