ଭୁବନେଶ୍ବର: ବହୁ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏକ ଦଶନ୍ଧିରୁ ଅଧିକ ଦିନ ଧରି ଆଲୋଚନା, ପର୍ଯ୍ୟାଲୋଚନା ପରେ ରାଜଧାନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଶିଖରଚଣ୍ଡୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପାହାଡ଼ରେ ଥିବା ମୁଖ୍ୟ ମନ୍ଦିର ସମେତ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ଲାଗି ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ୫୩.୬୪ ଏକର ଅଞ୍ଚଳରେ ଉନ୍ନତୀକରଣ କାର୍ଯ୍ୟ କରାଯିବ। ୨୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରାଜଧାନୀର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ବିକଶିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ମାଷ୍ଟରପ୍ଲାନ ଅନୁଯାୟୀ, ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ଉନ୍ନତୀକରଣ ସହ ବିଭିନ୍ନ ସୁବିଧାର ବିକାଶ କରାଯିବ। ଜୋନ୍-୨ରେ ଭ୍ୟୁ-ପଏଣ୍ଟ ଓ ଟ୍ରେକିଂ ରୁଟ୍ ରହିବ। ପର୍ଯ୍ୟଟକମାନେ ଭ୍ୟୁ-ପଏଣ୍ଟରେ ଛିଡ଼ା ହୋଇ ସହରର ଆକର୍ଷଣୀୟ ଦୃଶ୍ୟ ଦେଖିପାରିବେ। ପର୍ଯ୍ୟଟକ ପ୍ରାକୃତିକ ପରିବେଶରେ ସମୟ ବିତାଇ ପାରିବେ। ଟ୍ରେକିଂ ମଜା ମଧ୍ୟ ନେଇପାରିବେ। ଜୋନ୍-୩ ଓ ୪ରେ ମନୋରଞ୍ଜନମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତୀକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ। ମୋଟ ୫୩.୬୪୬ ଏକର ଜମି ମଧ୍ୟରୁ ଇଡ୍କୋର ୧୮.୫ ଏକର ରହିଥିବା ବେଳେ ୩୫.୧୪୬ ଏକର ଜମି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ରହିଛି। ଉକ୍ତ ସମସ୍ତ ଜମି ଗୃହ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର ହେବ। ପାହାଡ଼ ପାଦଦେଶରେ ମୁଖ୍ୟ ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ଯାଇପାରିବେ। ସେହି ବାଟ ଦେଇ ପ୍ରସ୍ଥାନ କରିବେ। ପ୍ରବେଶ ପଥର ବାମ ପାର୍ଶ୍ବରେ ୧୧୦ ମିଟରx୭୦ ମିଟରର ସ୍ଥାନ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗି ରହିବ। ପାହାଡ଼ ତଳେ ଥିବା ପ୍ରବେଶ ପଥର ଡାହାଣ ପାର୍ଶ୍ବରେ ପାର୍କିଂ ଜୋନ୍ ହେବ। ଉକ୍ତ ପ୍ରବେଶ ପଥକୁ ଅଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ କରାଯିବ। ଚାରିପାଖ ପାଚେରି ବୁଲିବ। ପାର୍କିଂ ଜୋନ୍ରେ ବସ୍, କାର୍ ଓ ବାଇକ୍ ଲାଗି ଅଲଗା ଅଲଗା ବ୍ୟବସ୍ଥା ରହିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ମାଷ୍ଟରପ୍ଲାନ୍କୁ ଅନୁମୋଦନ କରିବା ନେଇ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂହ ଯୋଗଦେଇ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍ ଉପସ୍ଥାପନ କରିଥିଲେ। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏହି ଉନ୍ନୟନ କାର୍ଯ୍ୟ କରିବା ସହ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘ ସଭାପତି କ୍ଷିତୀଶ ତ୍ରିପାଠୀ, ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଲେ, ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଲୋକଙ୍କ ବହୁ ଦିନର ଆଶା ଥିଲା। ଆଜି ମୁଖ୍ୟମନ୍ତ୍ରୀ ତାହାକୁ ପୂରଣ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରୁଛନ୍ତି। ବୈଠକରେ ଭୁବନେଶ୍ବର ମେୟର୍ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର୍ ପି.କେ ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ।
ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ରାଜଧାନୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ମନ୍ଦିର। ଏହାର ବିକାଶ ଲାଗି ବହୁ ବର୍ଷ ହେଲା ଯୋଜନା ହେଉଥିଲେ ମଧ୍ୟ ସଫଳତା ମିଳିପାରୁ ନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାଶକ୍ତି ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ଦୂରଦୃଷ୍ଟି ଯୋଗୁଁ ୧୦ ବର୍ଷ ତଳର ଯୋଜନା ଆଜି ସଫଳ ହେବାକୁ ଯାଉଛି। ଉନ୍ନତୀକରଣ ଲାଗି ଇତିମଧ୍ୟରେ ନକ୍ସା ପ୍ରସ୍ତୁତ ହୋଇଛି। ବିଡିଏ କର୍ତ୍ତୃପକ୍ଷ ଏହାର ଦାୟିତ୍ବ ନେଇଥିବାରୁ ଖୁବ୍ଶୀଘ୍ର ଏଥିପାଇଁ ଟେଣ୍ଡର୍ କରାଯିବା ସହ କାମ ଆରମ୍ଭ ହେବ। ୨୦୨୪ ଭିତରେ କାମ ଶେଷ ହେବ ବୋଲି ଆଶା କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ଖଣ୍ଡଗିରି-ଉଦୟଗିରି-ଶିଖରଚଣ୍ଡୀ-ନନ୍ଦନକାନନ-ଚନ୍ଦକା ଗୋଟିଏ ସର୍କିଟ୍ରେ ପରିଣତ ହେବ। ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶର ମଜା ନେବା ସହ ଧାର୍ମିକ ଅନୁଷ୍ଠାନ ବୁଲି ପାରିବେ।
କେଉଁ ଜୋନ୍ରେ କ’ଣ ରହିବ
ଜୋନ୍-୧
ପାର୍କିଂ ସ୍ଥଳ, ପ୍ରବେଶ ପଥ, ପ୍ରସ୍ଥାନ ପଥ, କାର୍ଯ୍ୟକ୍ରମ ଲାଗି ସ୍ଥାନ, ମୁଖ୍ୟ ପ୍ରବେଶ ପଥ, ଫୁଡ୍ କୋର୍ଟ, ବିଶ୍ରାମ ସ୍ଥଳୀ, ମନ୍ଦିରର ଲୋୟର ପ୍ଲାଜା ଷ୍ଟେୟାର, ଟେକ୍ରିଙ୍ଗ୍ ରୁଟ୍
ଜୋନ୍-୨ ଓ ୩
ଭ୍ୟୁ-ପଏଣ୍ଟ, ଟ୍ରେକିଂ ରୁଟ୍, ଚିତ୍ତ ବିନୋଦନ କେନ୍ଦ୍ର, କମ୍ୟୁନିଟି ସେଣ୍ଟର, ଡ୍ରପ୍ ଅଫ୍ ଜୋନ୍, ସର୍ବସାଧାରଣ ସୁବିଧା ସ୍ଥଳୀ
ଜୋନ୍-୪
ମନ୍ଦିର ଦୋକାନ ଓ କାର୍ଯ୍ୟାଳୟ, ମୁଖ୍ୟ ମନ୍ଦିର, ପାହାଡ଼ ରାସ୍ତାରେ ଓହ୍ଲାଇବା ବାଟ, ଜୋନ୍-୧କୁ ପାଦଚଲା ରାସ୍ତା, ମନ୍ଦିର ପ୍ଲାଜା